ଭୁବନେଶ୍ବର: ଏଣିକି ସାବାଡ଼୍ ହେବେ ବେପରୁଆ ଅଟୋ ଚାଳକ। ଯେଉଁଠୁ ପାରିବେ ସେଠାରୁ ଯାତ୍ରୀ ଉଠାଇ ପାରିବେ ନାହିଁ। ମନଇଚ୍ଛା ରାସ୍ତା ଉପରେ ପାର୍କିଂ ମଧ୍ୟ କରିପାରିବେ ନାହିଁ। ଯଦି କୌଣସି ଅଟୋ ଚାଳକ ନିୟମ ଭାଙ୍ଗିବାକୁ ଚେଷ୍ଟା କରିବେ, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅଯିବ। ସେମାନେ ମୋଟା ରକମର ତଣ୍ଡ ବି ଗଣିବେ। ଦରକାର ପଡ଼ିଲେ ଲାଇସେନ୍ସ ବାତିଲ କରାଯିବ। ରାଜଧାନୀ ସୃଷ୍ଟି ହେଉଥିବା ଅହେତୁକ ଜାମ ପରିସ୍ଥିତର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି କମିସନରେଟ୍ ପୁଲିସ। ଖୁବ୍ଶୀଘ୍ର ଅଟୋ ଚଳାଚଳ ଉପରେ ଏଭଳି କଟକଣା ଲାଗୁ କରାଯିବ। ଏଥିପାଇଁ କମିସନରେଟ ପୁଲିସ ପକ୍ଷରୁ ଅଟୋସଂଘ ଓ ଷ୍ଟାଣ୍ଡକୁ ନୋଟିସ କରିବ। କମିସନରେଟ ପୁଲିସ ପକ୍ଷରୁ ଚିହ୍ନଟ କରାଯାଇଥିବା ନିର୍ଦ୍ଦିଷ୍ଟ ଷ୍ଟାଣ୍ଡରେ ଅଟୋ ପାର୍କ କରିବେ। ଅଟୋ ବେ’ରୁ ଯାତ୍ରୀଙ୍କୁ ଉଠାଇବେ ଓ ଛାଡ଼ିବେ। ସେହିପରି ବେ’ରେ ଏକା ସମୟରେ ୫ରୁ ଅଧିକ ଅଟୋ ରଖିପାରିବେ ନାହିଁ। ନିକଟରେ ବିଏମ୍ସି, ବିଡିଏ ଏବଂ ଟ୍ରାଫିକ୍ ପୁଲିସ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ଏଭଳି ନିଷ୍ପତ୍ତି ହୋଇଛି।
ପ୍ରଥମ ପର୍ଯ୍ୟାୟରେ ୩ଟି ସ୍ଥାନ ଚିହ୍ନଟ
ସମସ୍ତ ସଂଘକୁ ହେବ ନୋଟିସ୍
ସାରା ରାଜଧାନୀରେ ଲାଗୁହେବ
ଅମାନିଆ ଗଣିବେ ତଣ୍ଡ
ତେବେ ସଂଘ ପକ୍ଷରୁ ୧୫୦ ଷ୍ଟାଣ୍ଡ ପାଇଁ ପ୍ରସ୍ତାବ ଦିଆଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଏହି ନିୟମକୁ ୫ଟି ସ୍ଥାନ ଯଥା ମ୍ୟୁଜିୟମ ଛକ, ରାଜମହଲ, ବାଣୀବିହାର, ଜୟଦେବବିହାର ଓ ରସୁଲଗଡ଼ରେ ଲାଗୁ କରିବା ପାଇଁ ଯୋଜନା ହୋଇଛି। କିନ୍ତୁ ବର୍ତ୍ତମାନ ପରୀକ୍ଷାମୂଳକ ଭାବେ ଏହାକୁ ୩ଟି ଛକ ଯଥା ରସୁଲଗଡ଼, କଳ୍ପନା ଓ ବାଣୀବିହାରରେ ଛକରେ କାର୍ଯ୍ୟକାରୀ କରିବା ପାଇଁ ସ୍ଥିର କରାଯାଇଛି। ସେଠାରେ କେତେ ଅଟୋ ରହିବ? କେତେ ସ୍ଥାନ ଦିଆଯିବ? ଏହା ଖୁବ୍ଶୀଘ୍ର ନିର୍ଦ୍ଧାରଣ କରାଯିବ। ଚିହ୍ନଟ ସ୍ଥାନରେ କମିସନରେଟ ପୁଲିସ ପକ୍ଷରୁ ସାଇନ୍ ବୋର୍ଡ ଲାଗାଯିବ। ସେଠାରେ ରେଟ୍ ଚାର୍ଟ ଲାଗିବ। କୌଣସି ଚାଳକ ମନଇଚ୍ଛା ଚାର୍ଜ କରିପାରିବେ ନାହିଁ। ଏମିତି ସେଠାରେ ଟ୍ରାଫିକ୍ ନୋଡାଲ୍ ଅଧିକାରୀ ଓ କର୍ମଚାରୀଙ୍କ ନମ୍ବର ମଧ୍ୟ ରହିବ। ଯଦି କୌଣସି ଯାତ୍ରୀ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହୁଅନ୍ତି ସେମାନେ ସମ୍ପୃକ୍ତି ଅଧିକାରୀଙ୍କ ନମ୍ବରରେ କଲ୍ କରି ଅଭିଯୋଗ କରିବେ।
ଏହି ତିନିଟି ଛକରେ ରୀତିମତ ଯାଞ୍ଚ ମଧ୍ୟ କରାଯିବ। ଏଥିପାଇଁ ନୋଡାଲ୍ ଅଧିକାରୀ ନିଯୁକ୍ତ ହେବେ। ନୋଡାଲ୍ ଅଧିକାରୀଙ୍କ ନେତୃତ୍ବରେ ଟ୍ରାଫିକ୍ ପୁଲିସ ପାଟ୍ରୋଲିଂ କରି ସ୍ଥିତି ଉପରେ ନଜର ରଖିବ। ପ୍ରଥମ କିଛିଦିନ ସକାଳ ୯ଟାରୁ ଦିନ ୧ଟା ଓ ଅପରାହଣ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଟ୍ରାଫିକ୍ ପୁଲିସ ମୁତୟନ ହେବେ। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେଠାରେ ଉପସ୍ଥିତ ଟ୍ରାଫିକ୍ ପୁଲିସ ଅଟୋ ଚାଳକ ଓ ଗାଡ଼ିନମ୍ବର ନୋଟ କରି ନୋଡାଲ୍ ଅଧିକାରୀଙ୍କୁ ପଠାଇବେ। ଦରକାର ପଡ଼ିଲେ ସେଠାରେ ତାଙ୍କ ବିରୋଧରେ ଚାଲାଣ ମଧ୍ୟ କାଟିବେ। ଏହି ରଣନୀତି ସଫଳ ହେଲେ ଆଗାମୀ ଦିନରେ ସାରା ସହରରେ ନିୟମକୁ ଲାଗୁ କରାଯିବ ବୋଲି ଜଣାପଡ଼ିଛି।