ଭୁବନେଶ୍ବର/ବାଲିଅନ୍ତା : ଆଉ ଗୋଟିଏ ଦିନ ପରେ ମୁସଲମାନଙ୍କର ପବିତ୍ର ପର୍ବ ରମ୍ଜାନ୍ ମାସ ଆରମ୍ଭ ହେବ। ୨୪ ତାରିଖ ରାତି ୧୨ଟାରୁ ଏକ ମାସ ଧରି ମୁସଲମାନ୍ମାନେ ଏହି ପବିତ୍ର ପର୍ବକୁ ପାଳନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ପରମ୍ପରା ମୁତାବକ ମସ୍ଜିଦ୍ଗୁଡ଼ିକରେ ମୁସଲମାନ୍ମାନେ ଏକାଠି ହୋଇ ନମାଜ ପାଠ କରିବେ। ହେଲେ ବର୍ତ୍ତମାନ କୋଭିଡ୍-୧୯ ମୁକାବିଲା ପାଇଁ ତାଲାବନ୍ଦ ପ୍ରକ୍ରିୟା ସହ କଟକଣା ଜାରି ରହିଛି। ଏହି ସମୟରେ ସାମାଜିକ ଦୂରତ୍ବ ରକ୍ଷାକୁ ଅଧିକ ଗୁରୁତ୍ବ ଦିଆଯାଉଛି। ତେଣୁ ମସ୍ଜିଦ୍ରେ ସାମୂହିକ ନମାଜ ପାଠକୁ ବାରଣ କରାଯାଇଛି।
ଅପରପକ୍ଷରେ ମୁସଲମାନ ଭାଇମାନେ କିପରି ସୁରକ୍ଷିତ ଭାବେ ନମାଜ ପାଠ କରିବେ ସେ ନେଇ ଆଜି ସମସ୍ତ ମସଜିଦ୍ ମୁଖିଆମାନଙ୍କ ସହ କମିସନରେଟ୍ ପୁଲିସ ଆଲୋଚନା କରିଛି। କ୍ୟାପିଟାଲ ଥାନା ପରିସରରେ ଜୋନ୍-୧ ଏସିପି ମାନସ ରଞ୍ଜନ ଗଡ଼ନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ମସ୍ଜିଦ୍ଗୁଡ଼ିକ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏପରି ନିଷ୍ପତ୍ତିରେ ସମସ୍ତ ମସଜିଦ୍ର ମୁଖିଆମାନେ ରାଜି ହୋଇଥିବା ଜଣାପଡ଼ିଛି। ଏହି ପର୍ବ ପାଳନ ପୂର୍ବରୁ କମିସନରେଟ୍ ପୁଲିସ ମସଜିଦ୍ ମୁଖିଆମାନଙ୍କ ସହ ଆଲେଚାନା କରିବା ପାଇଁ ଯୋଜନା କରିଥିଲା। କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ଜୋନ୍-୧ ଏସିପି ମାନସ ଗଡ଼ନାୟକ, ଖାରବେଳ ନଗର ଥାନା ଆଇଆଇସି ବିଶ୍ବରଞ୍ଜନ ସେନାପତି, କ୍ୟାପିଟାଲ ଥାନା ଆଇଆଇସି ଗିରିଜା ଶଙ୍କର ଚକ୍ରବର୍ତ୍ତୀ ପ୍ରମୁଖ ଏହି ସବୁ ମସଜିଦ୍ର କର୍ମକର୍ତ୍ତାମାନଙ୍କ ସହ କ୍ୟାପିଟାଲ ଥାନାରେ ଆଲୋଚନା କରିଥିଲେ।
ସେହିପରି ଆଜି ବାଲିଅନ୍ତା ଥାନା ପରିସରରେ ଥାନା ଅଧିକାରୀ ପ୍ରଦୀପ ରାଉତଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ମସ୍ଜିଦ୍ରେ ତରାବି ବା ସମୂହ ନମାଜ ପାଠ ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ସଂଧ୍ୟାରେ ମସ୍ଜିଦ୍ରେ ଇଫତାର ହେବନାହିଁ। ମସ୍ଜିଦ୍ରେ ବିଧି ରକ୍ଷା କରିବା ପାଇଁ ୩ରୁ ୫ ଜଣ ନମାଜ ପାଠ କରିପାରିବେ ବୋଲି ସ୍ଥିର ହୋଇଛି। ବୈଠକରେ ଅଣ୍ଡିଲୋ, ହରିଦାଶପୁର, ଜୟରଶାସନ ଓ ସାତକାଣିଆ ଗ୍ରାମର ମୁସଲମାନ ସଂପ୍ରଦାୟର କର୍ମକର୍ତ୍ତା ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Ramjan-Pain-Baithaka.jpg)
