ନୀଳାଦ୍ରି ବିହାର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ନାହାନ୍ତି ସ୍ଥାୟୀ ନର୍ସ, ଫାର୍ମାସିଷ୍ଟ୍‍

ଚନ୍ଦ୍ରଶେଖରପୁର: ନୀଳାଦ୍ରି ବିହାର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ୪୦ ହଜାରରୁ ଊର୍ଧ୍ୱ ଜନସାଧାରଣ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି। ଓ୍ଵାର୍ଡ ନଂ ୭, ୮ ଏବଂ ୧୪ରେ ବସବାସ କରୁଥିବା ଲୋକଙ୍କ ସମେତ ୧୯ଟି ବସ୍ତିବାସିନ୍ଦା ଏହା ଉପରେ ନିର୍ଭରଶୀଳ। ମାତ୍ର ଏପରି ଏକ ଗୁରୁତ୍ୱପୂର୍ଣ୍ଣ ହସ୍ପିଟାଲ୍‌ରେ ସ୍ଥାୟୀ ଷ୍ଟାଫ ନର୍ସ କି ଫାର୍ମାସିଷ୍ଟ୍‍ ନାହାନ୍ତି। ପୁଣି ତିନି ମାସରୁ ଊର୍ଧ୍ୱ ସମୟ ହେଲା ପାଥୋଲୋଜି ସେବା ବନ୍ଦ ରହିଛି। ଏକରକମ ନାହିଁ ନାହିଁରେ ଚାଲିଛି ଏହି ସ୍ୱାସ୍ଥ୍ୟକେନ୍ଦ୍ର। ଏଭଳି ଅବ୍ୟବସ୍ଥା ସତ୍ତ୍ୱେ ଜନପ୍ରତିନିଧି କିମ୍ବା ପ୍ରଶାସନର ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଆଖି ପଡ଼ୁନି। ଓ୍ଵାର୍ଡ ନଂ-୮ସ୍ଥିତ ଏହି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ସମସ୍ତ ମେଡିକାଲ ଉପକରଣ ମହଜୁଦ୍‌ ଅଛି, କିନ୍ତୁ ସ୍ୱାସ୍ଥ୍ୟସେବା ଫେଲ୍‌। ଏହି ଅଞ୍ଚଳରେ ଡେଙ୍ଗୁର ପ୍ରକୋପ ଥିବାରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ନୋଡାଲ କେନ୍ଦ୍ର ମଧ୍ୟ କରାଯାଇଛି। ସ୍ୱାସ୍ଥ୍ୟସେବା ଦୃଷ୍ଟିରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ର ବେଶ ଗୁରୁତ୍ୱ ବହନ କରୁଛି। କିନ୍ତୁ ଜନସାଧାରଣଙ୍କ ଗୁରୁତ୍ୱକୁ ଯେପରି ଏଠାରେ ଉପେକ୍ଷା କରାଯାଇଛି। ତିନି ମାସରୁ ଊର୍ଧ୍ୱ ହେବ ଏଠାରେ ବିଭିନ୍ନ ପ୍ରକାର ରକ୍ତ ପରୀକ୍ଷା ବନ୍ଦ ହୋଇଯାଇଥିଲେ ସୁଦ୍ଧା କାହାରି ନଜର ନାହିଁ। ବର୍ତ୍ତମାନ ଡେଙ୍ଗୁ ବ୍ୟାପିଥିବାରୁ ବସ୍ତି ବାସିନ୍ଦା ଏବଂ ଜନସାଧାରଣ ରକ୍ତ ପରୀକ୍ଷା ପାଇଁ ଏଠାକୁ ଆସୁଥିଲେ ମଧ୍ୟ ନିରାଶ ହୋଇ ଫେରୁଛନ୍ତି। ସେହିପରି ଏହି ଅଞ୍ଚଳରେ ଅନେକ ବସ୍ତି ଥିବାରୁ ଟାଇଫଏଡ୍‌ ମ୍ୟାଲେରିଆ ଭଳି ଜ୍ୱର ଏଠାରେ ସାଧାରଣ କଥା। ଆଗକୁ ପୁଣି ବର୍ଷା ଦିନ ଆସୁଛି। ତେଣୁ ବିଭିନ୍ନ ରକ୍ତ ପରୀକ୍ଷାର ଆବଶ୍ୟକତା ରହିଛି। ମାତ୍ର ଏନେଇ ଉପରିସ୍ଥ ଅଧିକାରୀଙ୍କୁ ପତ୍ର ଲେଖି ମେଡିକାଲ ଅଧିକାରୀ ଦାୟିତ୍ୱ ସାରିଦେଇଛନ୍ତି। ପୂର୍ବରୁ ଏକ ଏନ୍‌ଜିଓ ତତ୍ତ୍ୱାବଧାନରେ ପାଥୋଲୋଜି ଚାଲୁଥିଲା। ମାତ୍ର ଚଳିତ ବର୍ଷ ଏପ୍ରିଲ ମାସରୁ ଉକ୍ତ ସଂସ୍ଥାର ଅବଧି ସମାପ୍ତ ହୋଇଯାଇଛି। ତେଣୁ ବର୍ତମାନ ପାଥୋଲୋଜି ବନ୍ଦ। ଉପକରଣ ଖତ ଖାଉଛି ସିନା କାମରେ ଲାଗୁନି।

ମେଲେରିଆ ପରି ବିଭିନ୍ନ ପରୀକ୍ଷାର ବ୍ୟବସ୍ଥା ମଧ୍ୟ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଅଛି। ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାକୁ ସର୍ବାଧିକ ଗୁରୁତ୍ୱ ଦେବା ସହିତ ଯୋଜନା ପରେ ଯୋଜନା ଘୋଷଣା କରିଚାଲିଛନ୍ତି। କିନ୍ତୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଫାର୍ମାସିଷ୍ଟ୍‍ ଏବଂ ଷ୍ଟାଫ ନର୍ସ ଅବସର ନେଇସାରିଛନ୍ତି। ଅବସର ପରେ ଆଡହକ୍‌ରେ ଫାର୍ମାସିଷ୍ଟ ଏବଂ ନର୍ସ କାମ କରୁଛନ୍ତି। ସେମାନଙ୍କ ଅନୁପସ୍ଥିତିରେ ସ୍ୱାସ୍ଥ୍ୟସେବା ଠପ୍‌ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ପାଥୋଲୋଜି ଟେକ୍ନିସିଆନ୍‌ ରହିବା ନିମନ୍ତେ ଅନୁମତି ଥିଲେ ସୁଦ୍ଧା ଢେର୍‌ ଦିନ ହେବ ଏହି ପୋଷ୍ଟ୍‍ରେ କେହି ନାହାନ୍ତି। କେବଳ ଜଣେ ମେଡ଼ିକାଲ ଅଫିସର ଓ ମ୍ୟାନେଜର୍‌ଙ୍କୁ ନେଇ ଚାଲିଛି ଏହି ସ୍ୱାସ୍ଥ୍ୟକେନ୍ଦ୍ର। ସ୍ୱାସ୍ଥ୍ୟକେନ୍ଦ୍ରର ଏହି ସମସ୍ୟାଗୁଡ଼ିକୁ ତୁରନ୍ତ ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି। ଏସଂପର୍କରେ ସ୍ୱାସ୍ଥ୍ୟ ବିଭାଗର ଏଡିଏମ୍‌ଓଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ସେ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। କେବଳ କଥାରେ କଥାରେ ସେ କାମ ସାରିଦେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।

ଚିଠି ଲେଖା ଯାଇଛି
ପାଥୋଲୋଜି ଟେକ୍ନିସିଆନ ନଥିବାରୁ ରକ୍ତ ପରୀକ୍ଷା ବନ୍ଦ ଅଛି। ଏସଂପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖାଯାଇଛି।
ଅଶୋକ ମହାନ୍ତ, ଜନସ୍ୱାସ୍ଥ୍ୟ ବିଭାଗ ପ୍ରବନ୍ଧକ

ସ୍ୱାସ୍ଥ୍ୟ ସେବା ଶୀଘ୍ର ସୁଧାର
ନୀଳାଦ୍ରିବିହାର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ହଜାର ହଜାର ଲୋକ ନିର୍ଭରଶୀଳ। ମାତ୍ର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଏଠାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ତୁରନ୍ତ ଏହାର ସମାଧାନ କରାଯାଉ। ନଚେତ୍‌ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ।
ବିଶ୍ୱଜିତ ପଟ୍ଟନାୟକ, କଂଗ୍ରେସ୍‌ ଯୁବନେତା

ସମ୍ବନ୍ଧିତ ଖବର