ଖଣ୍ତଗିରି: ଗିରଫଦାରୀ ଭୟରେ ପୁରୁଷଶୂନ୍ୟ ହୋଇପଡ଼ିଥିବା ଡୁମୁଡୁମା ରଘୁନାଥନଗର ଏବେ ଖାଁ ଖାଁ ଲାଗୁଛି। ବୁଧବାର ପୁଲିସ ପ୍ରାୟ ୯୦ ଜଣଙ୍କୁ କିଛି ସମୟ ଅଟକ ରଖିବା ପରେ ଛାଡ଼ି ଦେଇଥିଲେ ବି ଲୋକଙ୍କ ମନରୁ ଭୟ ହଟିନାହିଁ। ପ୍ରାୟ ଘରେ ତାଲା ଝୁଲୁଛି ଓ ବିଭିନ୍ନ ସାହିରେ ଥିବା ଦୋକାନ ବଜାର ବନ୍ଦ ରହୁଛି। ସନ୍ଧ୍ୟାବେଳେ ଅଧିକ ଶୂନ୍ଶାନ୍ ହୋଇପଡ଼ୁଛି ସାହି ଭିିତର। ପୁଲିସ ମହିଳାମାନଙ୍କୁ ଗିରଫ କରିବ ନାହିଁ ବୋଲି ଜଣାପଡ଼ିବା ପରେ ବି ମହିଳାମାନେ ସ୍ବାଭାବିକଭାବେ ଚଳପ୍ରଚଳ କରିପାରୁ ନଥିବା ଦେଖିବାକୁ ମିଳୁଛି। ବିଶେଷକରି ସାହିରେ ମୁରବିମାନେ ଆତ୍ମଗୋପନ କରିଥିବାରୁ ସମସ୍ତେ ଅଧିକ ଭୟଭୀତ ହୋଇପଡ଼ିଛନ୍ତି। ଅପରପକ୍ଷେ ପୁଲିସ ଗଣ୍ତଗୋଳର ପ୍ରକୃତ କାରଣ ଖାଜିବାରେ ଲାଗିଛି। ସୋମବାର ସନ୍ଧ୍ୟାରେ ହୋଇଥିବା ବୋମାମାଡ଼ରେ ୨ଟି ବାଇକ୍ ଜଳି ଯାଇଥିବା ପ୍ରଚାର ହୋଇଥିଲା। ପୁଲିସ ଏବେ ଉକ୍ତ ବାଇକ୍ ଦୁଇଟିକୁ ଖୋଜୁଛି। ଏ ପର୍ଯ୍ୟନ୍ତ ସେହି ପୋଡ଼ା ବାଇକ୍ ଦୁଇଟି ମିଳିନାହିଁ କି ସେ ସ˚କ୍ରାନ୍ତରେ କୌଣସି ଗାଡ଼ି ମାଲିକ ପୁଲିସକୁ ଅଭିଯୋଗ କରିନାହାନ୍ତି। ତେଣୁ ବୋମାମାଡ଼ରେ ବାଇକ୍ ଜଳି ଯାଇଥିବା ନେଇ ଏକ ଗୁଜବ ପ୍ରଚାର କରାଯାଇଥିଲା ବୋଲି ପୁଲିସକୁ ସୂଚନା ମିଳିଛି। ଗୁଜବ ପ୍ରଚାରକାରୀମାନେ ଏମିତି କରି ରଘୁନାଥନଗରରେ ଉତ୍ତେଜନା ସୃଷ୍ଟି କରିଥିବା ଜଣାପଡ଼ିଛି। ଆକାଶ ଓ ବଳିଆ ବୋମାମାଡ଼ କରିଥିବା ସତ। ରବିବାର ରାତିରେ ରଘୁନାଥନଗରର କିଛି ଯୁବକ ବଳିଆ ହୋଟେଲ ଭଙ୍ଗାରୁଜା କରିଥିବାରୁ ନିଜର ଦବ୍ଦବା ପ୍ରଦର୍ଶନ ପାଇଁ ସେମାନେ ବୋମାମାଡ଼ କରି ଫେରାର୍ ହୋଇଯାଇଥିଲେ। ଆକାଶ, ଅଗ୍ନି ଓ ବଳିଆକୁ ନେଇ ରଘୁନାଥନଗରରେ ସୃଷ୍ଟି ହୋଇଥିବା ଅଶାନ୍ତିରୁ ରାଜନୈତିକ ଫାଇଦା ଉଠାଇବାକୁ କିଛି ଲୋକ ଉଦ୍ୟମ କରିଆସୁଥିଲେ। ତେଣୁ ସେମାନେ ଲୋକଙ୍କ ଭିତରେ ଅଧିକ ଉତ୍ତେଜନା ସୃଷ୍ଟି କରିଥିଲେ ବୋଲି ଚର୍ଚ୍ଚା ହେଉଛି।
ରଘୁନାଥନଗର ଖାଁ ଖାଁ, ଗୁଜବରୁ ଗଣ୍ତଗୋଳ, ପୋଡ଼ା ବାଇକ୍ ଖୋଜୁଛି ପୁଲିସ
/sambad/media/post_attachments/wp-content/uploads/2018/10/Arjuna-raghunathpur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)