ଶବ ରଖିବାକୁ ଜାଗା ନାହିଁ:୧୫ଦିନ ହେବ କ୍ୟାପିଟାଲ୍‌ ହସ୍ପିଟାଲ ମର୍ଗ ବକ୍ସ ଅଚଳ

ଭୁବନେଶ୍ୱର: ଦିନେ କିମ୍ବା ଦୁଇ ଦିନ ନୁହେଁ, କ୍ୟାପିଟାଲ ହସ୍ପିଟାଲରେ ଥିବା ମର୍ଗ ବକ୍ସ ଗତ ୧୫ଦିନ ହେବ ଅଚଳ ହୋଇଯାଇଛି। ମୃତଦେହ ରଖିବା ପାଇଁ ମର୍ଗରେ ଜାଗା ନାହିଁ। ତଳେ ପଡ଼ି ପଡ଼ି ମୃତଦେହଗୁଡ଼ିକ ଶଢ଼ିବାରେ ଲାଗିଛି। ଦୁର୍ଗନ୍ଧରେ ଫାଟି ପଡ଼ୁଛି ହସ୍ପିଟାଲର ଏହି ଅଞ୍ଚଳ। ରୋଗୀ ଆଟେଣ୍ଡାଣ୍ଟଙ୍କଠାରୁ ଆରମ୍ଭ କରି ହସ୍ପିଟାଲର କର୍ମଚାରୀମାନେ ମଧ୍ୟ ଏହି ବାଟ ଦେଇ ଯିବାକୁ ଚାହୁଁ ନାହାନ୍ତି।

ତେବେ ଏହି ସମସ୍ୟା ଆଜିର ନୁହେଁ। ଦୀର୍ଘ ବର୍ଷ ଧରି କ୍ୟାପିଟାଲ ହସ୍ପିଟାଲର ମର୍ଗରେ ଏଭଳି ସମସ୍ୟା ଲାଗି ରହିଛି। ମର୍ଗ ଠିକ୍‌ ହେବାର କିଛି ଦିନ ବ୍ୟବଧାନରେ ପୁଣିଥରେ ଖରାପ ହୋଇଯାଉଛି। କମ୍ପାନିର ଟେକ୍‌ନିସିଆନ୍‌ ଆସି ସଜାଡ଼ି ଦେଇ ଚାଲି ଯାଉଛନ୍ତି। ମାତ୍ର କିଛିଦିନ ପରେ ପୁଣି ମର୍ଗ ଅଚଳ ହୋଇଯାଉଛି। ରାଜଧାନୀର ପ୍ରମୁଖ ସରକାରୀ ହସ୍ପିଟାଲରେ ମୃତଦେହକୁ ସମ୍ମାନ ନ ମିଳିବା ସ୍ୱାସ୍ଥ୍ୟ ବିଭାଗ ପାରିବା ପଣିଆ ଆଡ଼କୁ ଅଙ୍ଗୁଳି ନିର୍ଦେଶ କରିଛି।

ସୂଚନା ଅନୁଯାୟୀ, କ୍ୟାପିଟାଲ ହସ୍ପିଟାଲର ଶବ ବ୍ୟବଚ୍ଛେଦ ଗୃହରେ ୨ଟି ମର୍ଗ ରହିଛି। ଗୋଟିଏ ମର୍ଗ ବକ୍ସରେ ୨ଟି ମୃତଦେହ ରହିବାର ବ୍ୟବସ୍ଥା ରହିଛି। ରାଜଧାନୀ କିମ୍ବା ଏହାର ନିକଟବର୍ତୀ ଅଞ୍ଚଳରେ ଯେତେ ସଂଖ୍ୟକ ଦୁର୍ଘଟଣା ଜନିତ ମୃତ୍ୟୁ ହେଉଛି ସେସବୁ ମୃତଦେହ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଉଛି। ଏହାସହ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଉଥିବା ରୋଗୀଙ୍କ ଶବକୁ ମଧ୍ୟ ଏଠାରେ ରଖାଯାଉଛି। ତେବେ ଅଜଣା ମୃତଦେହକୁ ରଖିବା ହସ୍ପିଟାଲ କର୍ତୃପକ୍ଷଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି। ଅଜଣା ମୃତଦେହକୁ ହସ୍ପିଟାଲ ମର୍ଗରେ ୪୮ଘଣ୍ଟା ପର୍ଯ୍ୟନ୍ତ ରଖାଯାଇ ପାରିବ। ପ୍ରତ୍ୟେକ ଦିନ କ୍ୟାପିଟାଲ ହସ୍ପିଟାଲକୁ ୪/୫ଟି ମୃତଦେହ ଆସୁଛି। ଏଭଳି ପରିସ୍ଥିତିରେ ମର୍ଗ ଖରାପ ହୋଇଯିବା ହସ୍ପିଟାଲ କର୍ତୃପକ୍ଷଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି। ପ୍ରବଳ ଦୁର୍ଗନ୍ଧ ହେଉଥିବାରୁ ମର୍ଗ ସଜାଡ଼ିବା ପାଇଁ ବିଦ୍ୟୁତ୍‌ ବିଭାଗର କର୍ମଚାରୀ ଅମଙ୍ଗ ହେଉଛନ୍ତି।

କିଛି ମାସ ପୂର୍ବରୁ ହସ୍ପିଟାଲର ମର୍ଗ ଖରାପ ହେବା କାରଣରୁ ଏଭଳି ସମସ୍ୟା ଉପୁଜିଥିଲା। ମର୍ଗ ଭିତରେ ପଡ଼ି ରହିଥିବା ମୃତଦେହଗୁଡ଼ିକର କାନ ଓ ଆଖିକୁ ମୂଷାମାନେ କଣା କରି ଦେଉଥିବା ଅଭିଯୋଗ ହୋଇଥିଲା। ଏଭଳି ଘଟଣା ସାମ୍ନାକୁ ଆସିବା ପରେ ହସ୍ପିଟାଲ କର୍ତୃପକ୍ଷ ଚାରିପଟୁ ସମାଲୋଚନାର ଶିକାର ହୋଇଥିଲେ। ମର୍ଗର ଫ୍ରିଜର୍‌ର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବା କମ୍ପାନିକୁ ଡକାଇ ଏହାର ମରାମତି କରିଥିଲେ। ତେବେ ଏହି ସମସ୍ୟା ଏବେବି ଲାଗି ରହିଛି।

କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା. ସି.ଆର ଦାସଙ୍କ କହିବାନୁଯାୟୀ, ହସ୍ପିଟାଲର ଶବ ସଂରକ୍ଷିତ ଗୃହରେ ୨ଟି ମର୍ଗ ରହିଛି। ତେବେ ଗୋଟିଏ ବକ୍ସ ଗତ ୧୫ଦିନ ହେବ ଅଚଳ ହୋଇ ପଡ଼ିଛି। ମର୍ଗ ବକ୍ସର ମେସିନ୍‌ ଠିକ୍‌ ରହିଛି, ମାତ୍ର ଏସି ଚାଲିବା ଫଳରେ ଏଥିରୁ ବାହାରୁଥିବା ଗରମ ପବନ ଯୋଗୁଁ ଗୃହ ଭିତରେ ଆର୍ଦ୍ରତା ବଢ଼ିଯାଉଛି। ତେଣୁ ମର୍ଗ ଭିତରେ ଥିବା ବିଦ୍ୟୁତ ସଂଯୋଗରେ ସମସ୍ୟା ଉପୁଜୁଛି।

ମର୍ଗର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା କମ୍ପାନି ସହିତ ହସ୍ପିଟାଲ କର୍ତୃପକ୍ଷଙ୍କ ୫ବର୍ଷ ପାଇଁ ଚୁକ୍ତି ହୋଇଛି। ତେବେ ନିୟମିତ ବ୍ୟବଧାନରେ ମର୍ଗ ଅଚଳ ହେବା କାରଣରୁ ଏଥିପାଇଁ ନୂତନ ମର୍ଗ ନିର୍ମାଣ ପାଇଁ ଯୋଜନା ହୋଇଛି। ଏଥିପାଇଁ ନିକଟରେ ଟେଣ୍ଡର ଆହ୍ଵାନ କରାଯାଇଥିଲା। ତେବେ ରାଜ୍ୟ ଔଷଧ ନିଗମ ଦ୍ୱାରା ଏଥିପାଇଁ ଥିବା ସର୍ତାବଳୀ ଯୋଗୁଁ ଆବେଦନ କରିଥିବା ୨ଟି କମ୍ପାନି ଶେଷ ମୁହୂର୍ତରେ ଓହରି ଯାଇଥିଲେ। ତେଣୁ ପୂର୍ବରୁ ଥିବା ସର୍ତାବଳୀରେ ପରିବର୍ତନ କରାଯାଇ ପୁଣିଥରେ ଟେଣ୍ଡର୍‌ ଆହ୍ଵାନ କରାଯାଇଛି। ହସ୍ପିଟାଲରେ ଆହୁରି ୬ଟି ନୂତନ ମର୍ଗ ବକ୍ସ ନିର୍ମାଣ କରାଯିବ। ନୂଆ ଗୃହ ନିର୍ମାଣ କରାଯିବ ଏଥିରେ ୨ଟି ୨ଟନ୍‌ ବିଶିଷ୍ଟ ଏସି ଲଗାଯିବ ବୋଲି ଡା.ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର