ଭୁବନେଶ୍ୱର: ରସୁଲଗଡ଼ ଶିଳ୍ପାଞ୍ଚଳକୁ ଲାଗି କରିଥିବା ସପିଂ ମଲ୍ ଏସ୍ପ୍ଲାନେଡ୍ ସ୍ଥାନୀୟ ଲୋକଙ୍କଠାରୁ ଆରମ୍ଭ କରି କମିିସନରେଟ ପୁଲିସ, ଇଡ୍କୋ, ବିଏମ୍ସି ଓ ବିଡିଏ ପାଇଁ ଚିନ୍ତା ବଢ଼ାଇ ଦେଇଛି। ସହର ମଧ୍ୟରେ ଏତେ ବଡ଼ ମଲ୍ କେମିତି ଠିଆ ହେଲା, କିଏ କେଉଁଭଳି ପରିସ୍ଥିତିରେ ସେଠାରେ ଏକ ବିଶାଳ ସପିଂ ମଲ୍ ଖୋଲିବାକୁ ଅନୁମତି ଦେଲା, ତାକୁ ନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ କମିସନରେଟ୍ ପୁଲିସ ପକ୍ଷରୁ ମଙ୍ଗଳବାର ଏସ୍ପ୍ଲାନେଡ୍କୁ ମଗା ଯାଇଥିବା ପ୍ରବେଶ ଓ ପ୍ରସ୍ଥାନ ପ୍ଲାନ୍କୁ ସଂସ୍ଥା ପ୍ରଦାନ କରି ପାରିନାହିଁ। ଏହି କାରଣରୁ କମିସନରେଟ୍ ପୁଲିସ ‘ସହରାଞ୍ଚଳ ପୁଲିସ ନିୟମ’ ଆଧାରରେ ଏସ୍ପ୍ଲାନେଡ୍କୁ ନୋଟିସ୍ କରିଛି। ସପ୍ତାହକ ମଧ୍ୟରେ ଏସ୍ପ୍ଲାନେଡ୍ କର୍ତୃପକ୍ଷ ନିଜ ପକ୍ଷ ରଖିବାକୁ କୁହାଯାଇଛି। ନହେଲେ ସପିଂ ମଲ୍ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ପୁଲିସ କମିସନର୍ ଯୋଗେଶ ବାହାଦୁର ଖୁରାନିଆ ଏଭଳି ଟ୍ରାଫିକ୍ ସମସ୍ୟାକୁ ନେଇ କ୍ଷୁବ୍ଧ ହୋଇଛନ୍ତି। ଏବେ ବି ରସୁଲଗଡ଼ ଶିଳ୍ପାଞ୍ଚଳ ଛକରେ ସେହି ସମାନ ଅବସ୍ଥା। ଅହେତୁକ ଟ୍ରାଫିକ୍ ଜାମ୍ରେ ଲୋକେ ଘଣ୍ଟାଘଣ୍ଟା ଫସୁଛନ୍ତି। ଆଜି ଏ ନେଇ ଶିଳ୍ପାଞ୍ଚଳ ବାସିନ୍ଦା ଟ୍ରାଫିକ୍ ଏସିପି ଅନୁପ କାନୁନଗୋଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି। ଜରୁରୀକାଳୀନ ଭାବେ ଏସ୍ପ୍ଲାନେଡ୍ ପକ୍ଷରୁ ରସୁଲଗଡ଼ ଶିଳ୍ପାଞ୍ଚଳ ଛକରେ ଟ୍ରାଫିକ୍ ମାର୍ଶାଲ ନିୟୋଜନ କରିବାକୁ କମିସନରେଟ୍ ପୁଲିସ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଯେଉଁମାନେ ଏବେ ଏସ୍ପ୍ଲାନେଡ୍ ପାର୍ଶ୍ୱ କିମ୍ବା ନିକଟ ଆଖପାଖରେ ଚାରି ଚକିଆ ଗାଡି ପାର୍କିଂ କରିବେ, ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି ଏସିପି ଶ୍ରୀ କାନୁନଗୋ କହିଛନ୍ତି।
ଭିତିରି ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପ୍ରଥମେ ସେହି ବିଲ୍ଡିଂଟି ଅନ୍ୟ ଏକ ଉଦ୍ଦେଶ୍ୟରେ ନିର୍ମାଣ କରାଯାଉଥିଲା। କିନ୍ତୁ ଏସ୍ପ୍ଲାନେଡ୍ ହଠାତ୍ ନିର୍ମାଣକାରୀ ସଂସ୍ଥାଠାରୁ ଏହା କିଣି ନେଇଥିଲା। ଇଡ୍କୋ, ବିଡିଏ ଓ ବିଏମ୍ସିର କୌଣସି ନିତି ନିୟମକୁ ମଧ୍ୟ ପାଳନ କରାଯାଇ ନଥିବା କୁହାଯାଉଛି। ଏଥିପାଇଁ ଖୁବ୍ ଶୀଘ୍ର କମିସନରେଟ ପୁଲିସ ପକ୍ଷରୁ ବିଡିଏ, ଇଡ୍କୋ ଓ ବିଏମ୍ସିର ଅଧିକାରୀଙ୍କ ସହିତ ଆଲୋଚନା କରାଯିବ ବୋଲି ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି। ଏସ୍ପ୍ଲାନେଡ୍ କର୍ତୃପକ୍ଷଙ୍କୁ ହୋଇଥିବା ନୋଟିସ୍ରେ କୁହାଯାଇଛି, ସପ୍ତାହକ ମଧ୍ୟରେ ମଲ୍ର ପ୍ରବେଶ ଓ ପ୍ରସ୍ଥାନ ପ୍ଲାନ୍ର ନକ୍ସା ପୁଲିସକୁ ଦେଖାଇବା ପାଇଁ ନୋଟିସ୍ ହୋଇଛି। ନକ୍ସା (ଆଫିଡେଭିଟ୍ ହୋଇଥିବ) ନ ଦେଖାଇ ପାରିଲେ, କମିସନରେଟ୍ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ଏ ସମ୍ପର୍କରେ ମଲ୍ କର୍ତୃପକ୍ଷଙ୍କୁ ସହ ଯୋଗାଯୋଗ ସମ୍ଭବ ହୋଇ ପାରି ନାହିଁ।
କ’ଣ କୁହନ୍ତି ସ୍ଥାନୀୟ ବାସିନ୍ଦା
ପରିବେଶ ପ୍ରତି ଧ୍ୟାନ ଦେଉ ନାହାନ୍ତି
ଏଠାରେ ଏସପ୍ଲାନେଡ୍ ହେବା ଦିନରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ମଲ କାମ ସରିନଥିବା କାରଣରୁ ଏଠାକୁ ଆସୁଥିବା ଶହ ଶହ ମାଲବାହୀ ଗାଡ଼ି ଅବାଧ ପ୍ରବେଶ କରୁଛି। ଏହି କାରଣରୁ ପରିବେଶ ବିଗିଡ଼ିବାରେ ଲାଗିଛି। ଏଠାରେ ଓଭରବ୍ରିଜ୍ କାମ ସରୁନଥିବାରୁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ମଲ ଯୋଗୁଁ ରସୁଲଗଡ଼ ଓ ବମିଖାଲର ଲୋକ ନର୍କ ଯନ୍ତ୍ରଣା ଭୋଗ କରୁଛନ୍ତି।
ଶରତ ଚନ୍ଦ୍ର ସାହୁ, ବ୍ୟବସାୟୀ, କୋଚିଲେଇ ହାଟ
ଲୋକଙ୍କୁ ହଇରାଣ କରିବା ପାଇଁ ଷଡ଼ଯନ୍ତ୍ର
ଏହି ମଲ ହେବା ଦିନରୁ ଏଠାରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଟ୍ରାଫିକ ନିୟନ୍ତ୍ରଣ ପାଇଁ କିଛି ଭଡ଼ାଟିଆ ଗୁଣ୍ଡାଙ୍କୁ ନିୟୋଜିତ କରାଯାଇଛି। ଯେଉଁମାନେ କି ରସୁଲଗଡ଼ ଶିଳ୍ପାଞ୍ଚଳ ପ୍ରବେଶ ପଥକୁ ଅବରୋଧ କରି ରଖୁଛନ୍ତି। ଏହି ମଲକୁ ଆସୁଥିବା ବଡ଼ବଡ଼ିଆମାନେ ହାଟ ସମ୍ମୁଖରେ ଗାଡ଼ି ରଖୁଥିବାରୁ ସେଠାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି।
ଅଜୟ କୁମାର ସାହୁ, ସ୍ଥାନୀୟ ଯୁବକ
ଆଗକୁ ପରିସ୍ଥିତି ଜଟିଳ ହେବ
ସଂପୂର୍ଣ୍ଣ ବେଆଇନ ଭାବେ ରାସ୍ତାକୁ ଅବରୋଧ କରି ରଖୁଛନ୍ତି ମଲ୍ କର୍ତୃପକ୍ଷ। ଏହା ଫଳରେ ଶିଳ୍ପାଞ୍ଚଳ ଭିତରକୁ କୌଣସି ମାଲବାହୀ ଗାଡ଼ି ମୋଟର ଆସି ପାରୁନାହିଁ। ଏବେ ମଲ୍ର ଏକ ଚତୁର୍ଥାଂଶ ଖୋଲା ଯାଇଛି। ସଂପୂର୍ଣ୍ଣ ଖୋଲିବା ପରେ ପରିସ୍ଥିତି ଜଟିଳ ହୋଇପଡ଼ିବ।
ତପନ କୁମାର ସ୍ୱାଇଁ, ଶିଳ୍ପାଞ୍ଚଳର ଏକ ଫ୍ୟାକ୍ଟି୍ର ମାଲିକ