ଭୁବନେଶ୍ବର: ଦେଶରେ ସମୁଦାୟ ୬୦୦ରୁ ଅଧିକ ଉତ୍ପାଦକୁ ଜିଆଇ ମାନ୍ୟତା ମିଳିଛି। ଏଥିରେ ଉତ୍ତର ପ୍ରଦେଶର ସର୍ବାଧିକ ୭୬, ତାମିଲନାଡ଼ୁ ୬୧, କର୍ଣ୍ଣାଟକର ସର୍ବାଧିକ ୫୦, ମହାରାଷ୍ଟ୍ର ୪୭, କେରଳର ୩୯ଟି ଓ  ଆସାମ ୩୧ ଉତ୍ପାଦ ଜିଆଇ ମାନ୍ୟତା ପାଇଛି। ଏହା ତୁଳନାରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୨୬ଟି ଉତ୍ପାଦ ଜିଆଇ ମାନ୍ୟତାରେ ସୀମିତ ରହିଛି। ଏଥିରେ ପିପିଲି ଚାନ୍ଦୁଆ, ଗୋପାଳପୁର ଟସର କପଡ଼ା, ବୋମକାଇ ଶାଢ଼ି, ବ୍ରହ୍ମପୁର ଫୋଡା କୁମ୍ଭ ଶାଢ଼ି ଓ ଯୋଡ଼ା, ସମ୍ବଲପୁରୀ ବାନ୍ଧ ଶାଢ଼ି, କଟକ ରୁପା ତାରକସି ଓ ଓଡ଼ିଶା ପଟ୍ଟଚିତ୍ରର ଚାହିଦା ବିଶ୍ବ ଦରବାରରେ ପହଞ୍ଚି ପାରିଛି। ନିକଟ ଅତୀତରେ ରାଜ୍ୟର ଆଉ ୭ଟି ଉତ୍ପାଦକୁ ଜିଆଇ ମାନ୍ୟତା ମିଳିଛି। କିନ୍ତୁ ଏହି ମାନ୍ୟତାରୁ ବଞ୍ଚିତ ଅଛି ଖୋଦ୍‌ ରାଜଧାନୀ ଭୁବନେଶ୍ବର। ହଜାର ବର୍ଷର ମନ୍ଦିରମାଳିନୀ ଐତିହ୍ୟର ସହରର କୌଣସି ଉତ୍ପାଦକୁ ଜିଆଇ ମାନ୍ୟତା ପାଇଁ ସରକାରୀ ସ୍ତରରେ କୌଣସି ଉଦ୍ୟମ ହେଉ ନାହିଁ। ବାରମ୍ବାର କୋରାଖଇକୁ ଜିଆଇ ମାନ୍ୟତା ଦେବାକୁ ଦାବି ଉଠୁଛି, ହେ‌ଲେ ଏନେଇ ବିଧିବଦ୍ଧ ଦସ୍ତାବିଜ ପ୍ରସ୍ତୁତ ହୋଇପାରିନି।  
ଏନେଇ ଜିଆଇ ଟ୍ୟାଗ୍‌ ଉପରେ ଗବେଷଣାରତ ଡ. ଅନୀତା ସାବତ କୁହନ୍ତି, ଏକ ଉତ୍ପାଦ ଜିଆଇ ମାନ୍ୟତା ପାଇବା ପାଇଁ ଏହାର ଅତି କମ୍‌ରେ ୭୦ ବର୍ଷର ଇତିହାସ ରହିଥିବା ଆବଶ୍ୟକ। ଏହା ସ୍ବତନ୍ତ୍ର ଓ ଭିନ୍ନ ହୋଇଥିବା ସହ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ଏଥିପାଇଁ ସୁପରିଚିତ ଓ ପ୍ରତିଷ୍ଠିତ ହୋଇଥିବା ଆବଶ୍ୟକ। କିଛି ସମୁଦାୟ ଏହାକୁ ନେଇ ଜୀବିକା ନିର୍ବାହ କରୁଥିବା ବି ଆବଶ୍ୟକ। ଏହି ସବୁ ଆବଶ୍ୟକତାକୁ ‘କୋରାଖଇ’ ଅତି ସହଜରେ ପୂରଣ କରୁଛି। କୁହାଯାଏ, ଶ୍ରୀ ଲିଙ୍ଗରାଜ ମନ୍ଦିର ଯେବେଠାରୁ, କୋରାଖଇର ଉତ୍ପତ୍ତି ସେବେଠାରୁ। ମହାପ୍ରଭୂ ଲିଙ୍ଗରାଜଙ୍କ ବଲ୍ଲଭ ସେବାରେ ଏହା ଲାଗି ହୋଇଥାଏ। ପୁରୁଣା ଭୁବନେଶ୍ବର ଅଞ୍ଚଳ ବି କୋରାଖଇ ପ୍ରସ୍ତୁତି ପାଇଁ ବେଶ୍‌ ପ୍ରସିଦ୍ଧ। କୋରାଖଇର ପ୍ରସ୍ତୁତି ପ୍ରଣାଳୀ ଭିନ୍ନ ଓ ସ୍ବତନ୍ତ୍ର। ଏଣୁ କୋରାଖଇକୁ ଜିଆଇ ମାନ୍ୟତା ପ୍ରଦାନ କରାଇବାକୁ ଯଥା ସମ୍ଭବ ଉଦ୍ୟମ ହେବା ଉଚିତ। ତେବେ ଜିଆଇ ମାନ୍ୟତା ପାଇଁ କୋରାଖଇର ଉତ୍ପତ୍ତି, ପ୍ରସ୍ତୁତି ପ୍ରଣାଳୀ, କେତେ ଲୋକେ ଏହାକୁ ରୋଜଗାରର ମାଧ୍ୟମ କରିଛନ୍ତି; ଏସବୁର ଠିକ୍‌ ଓ ନିର୍ବିବାଦୀୟ ଦସ୍ତାବିଜ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ଗଭୀର ଗବେଷଣା ଓ ତଥ୍ୟଗତ ଅନୁଶୀଳନ ଆବଶ୍ୟକ। ଏହାପରେ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ନିଜେ ସିଧାସଳଖ ବା ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ବିଭାଗକୁ କହି ଜିଆଇ ମାନ୍ୟତା ପାଇଁ ଆବେଦନ କରିପାରିବେ ବୋଲି ଡ. ସାବତ କହିଛନ୍ତି। 
ଶ୍ରୀଲିଙ୍ଗରାଜ ମନ୍ଦିରର ସେବାୟତ ରବୀନ୍ଦ୍ର ବିଶୋଇ କହିଛନ୍ତି, ଲିଙ୍ଗରାଜ ମହାପ୍ରଭୂଙ୍କ ବଲ୍ଲଭ ସେବା, ଚନ୍ଦନଯାତ୍ରା, ରୁକୁଣା ରଥଯାତ୍ରା, ଅଶୋକାଷ୍ଟମୀ, ଜନ୍ମାଷ୍ଟମୀ ଓ ଶୀତଳଷଷ୍ଠୀ ଆଦି ସମୟରେ ଶୁଖିଲି ଭୋଗରେ କୋରାଖଇ ଲାଗି ହୋଇଥାଏ। ପ୍ରତିଦିନ ମନ୍ଦିରକୁ ବିଶୋଇ ସେବାୟତମାନେ କୋରାଖଇ ଯୋଗାଇ ଆସୁଛନ୍ତି। ଏହା କେଉଁ ଆବାହନ କାଳରୁ ଚାଲି ଆସୁଛି। ଲିଙ୍ଗରାଜ ମନ୍ଦିର, କପିଳେଶ୍ବର ମନ୍ଦିର ସହ ପୁରୁଣା ଭୁବନେଶ୍ବରର ସମସ୍ତ ମନ୍ଦିରରେ କୋରାଖଇ ଭୋଗ ଲାଗିଥାଏ। ପୁରୁଣା ଭୁବନେଶ୍ବରର ବଡ଼ଦାଣ୍ଡସାହିରେ ୧୦ଟି ପରିବାର, କପିଳେଶ୍ବରରେ ୮ରୁ ୧୦ ପରିବାର କୋରାଖଇକୁ ବୃତ୍ତି କରି ଜୀବିକା ନିର୍ବାହ କରୁଛନ୍ତି। ସେହିଭଳି ନୂଆଗାଁ, ସୁନ୍ଦରପଦାର କିଛି ଗୁଡ଼ିଆ ପରିବାର ଏହାକୁ ଜୀବିକା ଭାବେ ଗ୍ରହଣ କରିଛନ୍ତି। ମୋଟ୍‌ ଉପରେ ପାଖାପାଖି ୮୦ ପରିବାର କୋରାଖଇ ଉପରେ ନିର୍ଭରଶୀଳ। ଶ୍ରୀ ବିଶୋ‌ଇ କହିଛନ୍ତି, ଜିଆଇ ମାନ୍ୟତା ଦିଗରେ ଆମେ ଆଗରୁ ଅଧିକ ସଚେତନ ନଥିବା ବେଳେ ଗତ ବର୍ଷ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲିଙ୍ଗରାଜ ମନ୍ଦିର ଆସିଥିଲେ। ଆମେ ତାଙ୍କୁ କୋରାଖଇ ଖାଇବାକୁ ଦେଇଥିଲୁ। ସେଠାରୁ ହିଁ ଏହାକୁ ଜିଆଇ ମାନ୍ୟତା ଦେବାକୁ ଆମର ଆଗ୍ରହ ଜମିଥିଲା। ଆଗକୁ ଏ ନେଇ ଏକ ସଂଘ ଗଠନ କରି ଆବଶ୍ୟକୀୟ ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି। 
ଶ୍ରୀଲିଙ୍ଗରାଜଙ୍କ ସହ ଜଡ଼ିତ ତାଙ୍କ ପ୍ରିୟ ଶୁଖିଲା ଭୋଗ କୋରାଖାଇ ଜିଆଇ ମାନ୍ୟତା ପାଇବାକୁ ଯୋଗ୍ୟ ହୋଇଥିଲେ ବି ସଚେତନତା ଓ ଆଗ୍ରହ ଅଭାବରୁ ଏହା ଜିଆଇ ମାନ୍ୟତା ନ ପାଇବା ଅତ୍ୟନ୍ତ ଦୁଃଖର କଥା ବୋଲି ରାଜଧାନୀର ସଚେତନ ନାଗରିକମାନେ ମତ ଦେଇଛନ୍ତି।