ପୁରୁଣା ଭୁବନେଶ୍ୱର: ରାଜଧାନୀର ୫୨ ବର୍ଷର ପୁରୁଣା ବିଜେଇଏମ୍ ସ୍କୁଲ ଶିକ୍ଷା, ସାହିତ୍ୟ, ନୃତ୍ୟ, କ୍ରୀଡ଼ା, ସଙ୍ଗୀତ, ବିଜ୍ଞାନ ଆଦି ପ୍ରତ୍ୟେକ କ୍ଷେତ୍ରରେ ଜାତୀୟ ସ୍ତରରେ ପରିଚିତ। ୨୦୨୩ ମସିହାରେ ସୁବର୍ଣ୍ଣ ଜୟନ୍ତୀ ପାଳନ ସହ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ୨୦୨୫-୨୬ରେ ବିଦ୍ୟାଳୟରେ ଶତକଡ଼ା ୧୫ଭାଗରୁ କମ୍ ଫି ବୃଦ୍ଧି କରିଛି। ମାତ୍ର ଅଭିଭାବକ ସଂଘ ଏହି ଫି ବୃଦ୍ଧିର ପ୍ରତିବାଦ କରି ଅନେକ ବିଭ୍ରାନ୍ତିକର ମତ ପ୍ରଦାନ କରୁଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍କୁଲ୍ ପରିଚାଳନା କମିଟି ସ୍ପଷ୍ଟ କରିଛି।
କମିଟି ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଶାସକ ରଘୁନାଥ ମିଶ୍ର, ପ୍ରବନ୍ଧକ ପ୍ରତାପ ଜେନା, ଅଧ୍ୟକ୍ଷ ସନ୍ଧ୍ୟା ଜେନା ଓ କମିଟିର ଅନ୍ୟସଦସ୍ୟମାନେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଅଭିଭାବକ ସଂଘ ଶତକଡ଼ା ୨୦ଭାଗ ଫି ବୃଦ୍ଧି ହୋଇଥିବା ଭୁଲ୍ ତଥ୍ୟ ଦେବା ସହ ପିଲାଙ୍କ ଟଙ୍କାରେ ଶିକ୍ଷୟିତ୍ରୀ ନୂଆ ଶାଢ଼ୀ ପିନ୍ଧିବା ପରି ଅତି ନିମ୍ନମାନର ମତ ଦେଇଛନ୍ତି। ଯେଉଁମାନେ ଅଭିଭାବକ ନୁହନ୍ତି ସେମାନଙ୍କୁ ଗେଟ୍ ସମ୍ମୁଖକୁ ଆଣି ଆପତ୍ତିଜନକ ଆଚରଣ ଓ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବା, ଫି ନ ଦେଲେ ଅନ୍ୟତ୍ର ପିଲାଙ୍କୁ ନେଇଯାଆନ୍ତୁ ବୋଲି କହିବା ଭଳି ଅନେକ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିଛନ୍ତି। କେତେକ ନିଜ ସ୍ବାର୍ଥ ପାଇଁ ଏପରି ମନ୍ତବ୍ୟ ଦେବା ଆଦୌ ଶୋଭନୀୟ ନୁହେଁ ବୋଲି କୁହାଯାଇଛି।
ରି-ଆଡ୍ମିସନ୍ ଫି ନାହିଁ
ଆର୍ଟିଇ ଯୋଗୁଁ କ୍ଷତି ୨.୬୨କୋଟି
କମିଟି ସୂଚନା ମୁତାବକ, ଜଷ୍ଟିସ୍ କେ.ପି. ମହାପାତ୍ର କମିଟିର ରିପୋର୍ଟ ଆଧାରରେ, ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଅନୁସାରେ, ପୂର୍ବ ବର୍ଷ ଫି ଉପରେ ଶତକଡ଼ା ୧୫ଭାଗରୁ କମ୍ ବୃଦ୍ଧି କରାଯାଇଛି। ବିଦ୍ୟାଳୟ କୌଣସି ରି-ଆଡ୍ମିସନ୍ ଫି ନେଉନାହିଁ। ଫି ବୃଦ୍ଧି ସମ୍ପର୍କରେ ବିଦ୍ୟାଳୟ ପରିଚାଳନା କମିଟି ନେଇଥିବା ନିଷ୍ପତ୍ତି ଅଭିଭାବକ-ଶିକ୍ଷକ-ପରିଚାଳନା କମିଟି ବୈଠକରେ ଅନୁମୋଦିତ ହୋଇଥିଲା। ଯାହା ଦ୍ବାରା ଚଳିତ ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ୧୫%ରୁ କମ୍ ଫି ବୃଦ୍ଧି ହୋଇଛି। ଅଭିଭାବକ ସଂଘ ସହ ନିକଟରେ ଥାନା ଅଧିକାରୀଙ୍କ ସଂଯୋଜନାରେ ବିସ୍ତୃତ ଆଲୋଚନା କରାଯାଇ ସମସ୍ତ ସତ୍ୟ ତଥ୍ୟ ପ୍ରକାଶ କରାଯାଇଥିଲା। ଏହା ପରେ ସେମାନେ ସ୍କୁଲ୍କୁ ବଦନାମ କରିବାକୁ ଅଭିଯୋଗ ପ୍ରକୋଷ୍ଠ ଯାଇଥିଲେ। ଆଜି ସାମ୍ବାଦିକ ସମ୍ମିଳନୀ ଖବର ପାଇ ବିଦ୍ୟାଳୟ ଆଗରେ ରୁଣ୍ଡ ହୋଇଥିଲେ। ଏହାର କାରଣ କଣ ହୋଇପାରେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ୨୦୧୧ ମସିହାରୁ ଲୋୟର ନର୍ସରି ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆର୍ଟିଇରେ ୨୫% ସିଟ୍ ସଂରକ୍ଷଣ ରହୁଛି। ଏଥିପାଇଁ ସରକାର କୌଣସି ଅନୁଦାନ ଦେଇନାହାନ୍ତି। ଏହି ବାବଦରେ ବିଦ୍ୟାଳୟ ୨କୋଟି ୬୨ଲକ୍ଷ ୨ହଜାର ୭୨୦ଟଙ୍କାର କ୍ଷତି ସହିଛି। ଆସନ୍ତା ଶିକ୍ଷାବର୍ଷରେ ବିଦ୍ୟାଳୟ ୧କୋଟି ୯୩ଲକ୍ଷ ୮୫ହଜାର ୬୪୦ ଟଙ୍କାର କ୍ଷତି ସହିବ। ଯାହା ବର୍ତ୍ତମାନ ବିଦ୍ୟାଳୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ୨୦୨୦-୨୧ ଠାରୁ ୨୦୨୩-୨୪ ବର୍ଷର ଆୟବ୍ୟୟ ତଥ୍ୟ ଓ ବାଲାନ୍ସ୍ ସିଟ୍ ବିଦ୍ୟାଳୟର ୱେବ୍ସାଇଟ୍ରେ ସମସ୍ତଙ୍କ ଅବଗତି ନିମନ୍ତେ ଉପଲବ୍ଧ କରାଯାଉଛି।
ରାଜଧାନୀରେ ପ୍ରମୁଖ ଘରୋଇ ବିଦ୍ୟାଳୟ ତୁଳନାରେ ବିଜେଇଏମ୍ ସ୍କୁଲର ଫି ସର୍ବନିମ୍ନ। ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଫଳାଫଳ ମଧ୍ୟ ସର୍ବୋତ୍ତମ। ରାଜ୍ୟ ସରକାରଙ୍କ ତରଫରୁ ବିଦ୍ୟାଳୟ ପରିସର ହାଇଜିନିକ୍ ସାର୍ଟିଫିକେଟ୍ ହାସଲ କରୁଛି। ଉପଯୁକ୍ତ ଶ୍ରେଣୀଗୃହ, ତାଲିମପ୍ରାପ୍ତ ଉଚ୍ଚଶିକ୍ଷିତ ଶିକ୍ଷକ, ଲାବୋରେଟୋରି, ଲାଇବ୍ରେରି ଓ କ୍ରୀଡ଼ା ପର୍ଯ୍ୟନ୍ତ ସୁବିଧା ସୁଯୋଗ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ କରାଯାଉଛି।