ଦିନବେଳେ ଖାଲି ତିନି ଘଣ୍ଟା କୋହଳ
ବିୟୁଟି ପାର୍ଲର, ସ୍ପା, ସେଲୁନ, ଜିମ୍ ଖୋଲିବ

ଭୁବନେଶ୍ବର : ଅଢ଼େଇ ମାସ ହେଲା ଲକ୍‌ଡାଉନ୍ କଟକଣାରେ ବାନ୍ଧି ହୋଇଥିବା ରାଜଧାନୀବାସୀ ଭାବିଥିଲେ ଆଜି ରାଜ୍ୟ ସରକାର ଭୁବନେଶ୍ବରରୁ ଲକ୍‌ଡାଉନ୍ ଉଠାଇଦେବେ। ହାଟବଜାର, ମଲ୍‌, ହଲ୍‌, ପାର୍କ ସବୁ ଖୋଲିବ। ମୁକ୍ତ କିଣାକିଣି ସାଙ୍ଗକୁ ମନୋରଞ୍ଜନର ସୁଯୋଗ ମିଳିବ। କିନ୍ତୁ ତାହା ହେଲାନି। ରାଜଧାନୀରେ ସଂକ୍ରମଣ ଆଶାନୁରୂପ ଭାବେ ନ କମିବା ଏବଂ ଟିପିଆର୍‌ ୫% ଉପରେ ରହିବାରୁ ସରକାର ଭୁବନେଶ୍ବରକୁ ପୂରା ଅନଲକ୍ କଲେନି। ସପ୍ତାହେ ୫ ଦିନ କେବଳ ଅଧିକ ୩ଘଣ୍ଟା କୋହଳ କଲେ। ଆଉ ଯେଉଁମାନେ ‌ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବାକୁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ସେମାନଙ୍କୁ ଅନୁମତି ଦେଇଦେଲେ। କିନ୍ତୁ ପୂର୍ବପରି ନାଇଟ୍ କଫ୍ୟୁ ଓ ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ରହିଲା।

Advertisment

ଏସବୁ ଭିତରେ ରାଜଧାନୀବାସୀଙ୍କ ପାଇଁ ଆଶ୍ବସ୍ତିର ବିଷୟ ହେଲା, ଏଣିକି ‘ମୋ ବସ୍‌’ ରାଜଧାନୀରେ ଗଡ଼ିବ। ରାଜଧାନୀ ବାହାରକୁ ସେମାନେ ବସ୍‌ରେ ଯାତାୟତ କରିପାରିବେ। ଅପରାହ୍ନ ୨ଟା ବଦଳରେ ଏବେ ୫ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବାକୁ ଥିବାରୁ ଟିକିଏ ଅଧିକ ପର୍ଯ୍ୟନ୍ତ ସପିଂ କରିପାରିବେ। ବେପାରୀ ଓ ଦୋକାନୀଙ୍କ ବିକ୍ରିବଟା କିଛିଟା ବଢ଼ିବ।

ଗତ ଥର ରାଜ୍ୟ ସରକାର ଲକ୍‌ଡାଉନ୍ ନିୟମ କୋହଳ କରିବାବେଳେ ବିୟୁଟି ପାର୍ଲର, ସେଲୁନ୍, ସ୍ପା, ଜିମ୍ ଖୋଲିବା ଉପରେ ରୋକ୍ ଲଗାଇଥିଲେ। ଏହାପରେ ଜିମ୍ ମାଲିକମାନେ, ବିୟୁଟିପାର୍ଲର, ସେଲୁନ୍ ଓ ସ୍ପା ମାଲିକମାନେ ବିକ୍ଷୋଭ ପ୍ରଦର୍ଶନ କରିବାରୁ ଏଥର ଏଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇଛି। ଏବେ ବିବାହ ଋତୁ ଚାଲୁଥିବାରୁ ବହୁ ଲୋକ ବିୟୁଟିପାର୍ଲର ଓ ସ୍ପା ଅପେକ୍ଷାରେ ଅଛନ୍ତି। ଯାହା ସେମାନଙ୍କ ପାଇଁ ଖୁସି ଖବର। ଏହ‌ାଛଡ଼ା ଭୁବନେଶ୍ବରରେ ମଧ୍ୟ ଫିଲ୍ମ ଓ ସିରିଆଲର ଇନଡୋର୍‌ ଓ ଆଉଟଡୋର୍ ସୁଟିଂ ପାଇଁ ଅନୁମତି ମିଳିଛି।

ସେହିପରି ଏଥର ବି ସପିଂ ମଲ୍‌, ସିନେମା ହଲ୍‌, ପାର୍କ ଉପରୁ କଟକଣା ହଟିନି। ହୋଟେଲ, ରେଷ୍ଟୁରାଣ୍ଟରେ ବସି ଖାଇବାର ଅନୁମତି ମିଳିନି। ଲୋକେ ନାଇଟ୍‌ କର୍ଫ୍ୟୁ ଓ ସଟ୍‌ଡାଉନ୍ ନିୟମ ମାନି ଘରେ ରହିବାକୁ ବାଧ୍ୟ। ବାହାରକୁ ବାହାରିଲେ ଜରିମାନା ଆଦାୟ ହେବ। ତେଣୁ ରାଜଧାନୀବାସୀଙ୍କ ମନୋରଞ୍ଜନର ବାଟ ପୂର୍ବ ପରି ବନ୍ଦ ରଖାଯାଇଛି। ଏହି ସବୁ କଟକଣା ଜୁଲାଇ ୩୧ ପର୍ଯ୍ୟନ୍ତ ଲାଗୁ ହେବ।

ଅନ୍ୟପକ୍ଷରେ ଭୁବନେଶ୍ବରରେ ଡବଲ ଡୋଜ୍‌ ଟିକା ନେବା ପରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା କମୁନଥିବାରୁ ମୁଖ୍ୟ ଶାସନ ସଚିବ ଉଦ୍‌ବେଗ ପ୍ରକାଶ କରିଛନ୍ତି।

publive-image CRUT

୧୯ରୁ ଚାଲିବ ‘ମୋ ବସ୍‌’
ଭୁବନେଶ୍ବର : ରାଜ୍ୟ ସରକାର ଲକ୍‌ଡାଉନ୍ ନିୟମ କୋହଳ କରି ସବୁ ଜିଲ୍ଲାରେ ବସ୍‌ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି। ଏହାପରେ କ୍ରୁଟ୍‌ ପକ୍ଷରୁ ନିଷ୍ପତ୍ତି ହୋଇଛି ଯେ, ୧୯ତାରିଖରୁ ଅର୍ଥାତ୍ ସୋମବାରଠାରୁ ମୋ ବସ୍‌ ଚଳାଚଳ କରିବ। ମେ ୪ରୁ ମୋ ବସ୍‌ ଚଳାଚଳ ବନ୍ଦ ଥିବାବେଳେ କେବଳ ବିମାନବନ୍ଦରରୁ ରେଳ ଷ୍ଟେସନ, କଟକକୁ ସଟଲ୍‌ ସେବା ‌ଉପଲବ୍ଧ ହେଉଥିଲା। ଏବେ ଭୁବନେଶ୍ବରରୁ କଟକଣା କୋହଳ ହୋଇଥିଲେ ହେଁ ସୋମବାରରୁ ବିଭିନ୍ନ ରୁଟ୍‌ରେ ମୋ ବସ୍‌ ଚାଲିବ। ହେଲେ କେଉଁ ବସ୍‌ କେଉଁ ରୁଟ୍‌ରେ ଯିବ ତାହା ତୁରନ୍ତ ଜଣାଯିବ। ସଟ୍‌ଡାଉନ୍ ଜାରି ରହିଥିବାରୁ ଏହି ସମୟରେ ବିମାନବନ୍ଦରରୁ ରେଳ ଷ୍ଟେସନ, କଟକ, ଖୋର୍ଦ୍ଧାକୁ ସଟଲ୍‌ ସେବା ଉପଲବ୍ଧ ହେବ ବୋଲି ଜଣାପଡ଼ିଛି।