ଭୁବନେଶ୍ବର: ରାଜଧାନୀରେ ଛତୁ ଫୁଟିଲା ପରି ଖୋଲୁଛି ଘରୋଇ ପ୍ଲେ’ ସ୍କୁଲ୍। ପିଲାଙ୍କ ନାମଲେଖା ହେଉଛି। ପାଠପଢ଼ା ବି ଚାଲୁଛି। ଖେଳକୁଦ ଶିଖାଯାଉଛି। ହେଲେ ପ୍ଲେ’ ସ୍କୁଲଗୁଡ଼ିକରେ କିଭଳି ଶିକ୍ଷା ଓ ତାଲିମ ଦିଆଯାଉଛି, ସେ ନେଇ ତଦାରଖ ହେଉନି କି ଯାଞ୍ଚ କରାଯାଉନାହିଁ। ସବୁ କିଛି କେବଳ କାଗଜକଲମରେ ଅଟକି ରହିଛି। ଶିକ୍ଷା ଅଧିକାର ଆଇନ-୨୦୦୯, ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଆଇନ-୨୦୧୩ ଓ ଜାତୀୟ ଶିକ୍ଷାନୀତି-୨୦୨୦ର ପ୍ରଚଳନ ପରେ କେନ୍ଦ୍ର ସରକାର ପ୍ଲେ’ ସ୍କୁଲ ପରିଚାଳନା ପାଇଁ ଗାଇଡ୍ଲାଇନ୍ ଜାରି କରି ସାରିଛନ୍ତି। ନିୟମକୁ ଭିତ୍ତି କରି ଜାତୀୟ ଶିଶୁ ସୁରକ୍ଷା ଆୟୋଗଙ୍କ ତରଫରୁ ବେସରକାରୀ ପ୍ଲେ’ ଓ ନର୍ସରୀ ସ୍କୁଲ୍ଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ୨୦୨୨ରେ ସ୍ୱତନ୍ତ୍ର ନୀୟମାବଳୀ ମଧ୍ୟ ଜାରି ହୋଇଛି। ସେହି ଆଧାରରେ ରାଜ୍ୟ ସରକାର ଗାଇଡ୍ଲାଇନ୍ ପ୍ରସ୍ତୁତ କରି ତୁରନ୍ତ ଲାଗୁ କରିବାକୁ କୁହାଯାଇଛି। ତଥାପି ଏଥିପ୍ରତି କାହାର ଧ୍ୟାନ ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ବାରମ୍ବାର ତାଗିଦ୍ ଓ ଚିଠି ପରେ ବି ପ୍ଲେ’ ସ୍କୁଲ ଉପରେ ଲଗାମ ଲାଗୁନଥିବା ଅଭିଯୋଗ ହୋଇଛି।
ପ୍ରତିବର୍ଷ ଭୁବନେଶ୍ବରରେ ପ୍ରାୟ ୧୮ ହଜାର ଛାତ୍ରଛାତ୍ରୀ ଘରୋଇ ପ୍ଲେ’ ସ୍କୁଲରେ ନାମ ଲେଖାଉଛନ୍ତି। ନାମଲେଖା ବାବଦରେ ମୋଟା ଅଙ୍କର ଅର୍ଥ ବି ନେଉଛନ୍ତି ପ୍ଲେ ସ୍କୁଲ କର୍ତ୍ତୃପକ୍ଷ। ଅଧିକାଂଶ ପ୍ଲେ ସ୍କୁଲରେ ନାମଲେଖା ଫି ୧୦ ହଜାରରୁ ଆରମ୍ଭ କରି ୪୦ ହଜାର ଟଙ୍କା ମଧ୍ୟରେ ରହୁଛି। ନାମକରା ସ୍କୁଲ ହେଲେ ଏହି ସଂଖ୍ୟ ଏକ ଲକ୍ଷ ଟପୁଛି। ମାସକୁ ମାସ ମଧ୍ୟ ଏକ ହଜାରରୁ ଆରମ୍ଭ କରି ୬ ହଜାର ଟଙ୍କା ପର୍ଯ୍ୟନ୍ତ ଫି ନିଆଯାଉଛି। ଏ ପର୍ଯ୍ୟନ୍ତ ଫି ଷ୍ଟ୍ରକଚର୍ ନିର୍ଦ୍ଧାରଣ ହୋଇନଥିବାରୁ ସ୍କୁଲ ମାଲିକ ଭରପୂର ଫାଇଦା ନେଉଛନ୍ତି। ସବୁଠାରୁ ବଡ଼କଥା, ଭୁବନେଶ୍ବରରେ କେତେ ସଂଖ୍ୟାରେ ଘରୋଇ ପ୍ଲେ ସ୍କୁଲ ରହିଛି ତାହାର ତଥ୍ୟ କାହା ପାଖରେ ନାହିଁ। କେଉଁଠି ଭଡ଼ା ଘରେ ପ୍ଲେ ସ୍କୁଲ ଚାଲିଛି ତ ଆଉ କେଉଁଠି ଦୁଇ ମହଲା ଉପରେ ଚାଲୁଛି। କେଉଁଠି ଛାତ ଉପରେ ଆଜ୍ବେଷ୍ଟସ୍ ପକାଇ ସ୍କୁଲ୍ ଚାଲୁଛି। କୋଠରିଗୁଡ଼ିକ ଛୋଟ ହେଉ ଅଥବା କୋଠା ଭଲ ନ ଥାଉ, ସେଥିପ୍ରତି ସ୍କୁଲ ପରିଚାଳକ ତଥା ମାଲିକଙ୍କ ନିଘା ନାହିଁ। ଅର୍ଥ ରୋଜଗାର ଲାଳସାରେ ସେମାନେ ପିଲାଙ୍କ ଜୀବନକୁ ବାଜି ଲଗାଉଛନ୍ତି।
ଘରୋଇ ପ୍ଲେ ସ୍କୁଲ୍ ଉପରେ ଲଗାମ ଲଗାଇବା ପାଇଁ ୨୦୧୭-୧୮ ଶିକ୍ଷାବର୍ଷରେ ରାଜ୍ୟ ସରକାର ଅଣ୍ଟା ଭିଡ଼ିଥିଲେ। ବିଶେଷଜ୍ଞ କମିଟି କରି ଗାଇଡ୍ଲାଇନ୍ ପାଇଁ ଡ୍ରାଫ୍ଟ ମଧ୍ୟ ପ୍ରସ୍ତୁତ କରିଥିଲେ। ମାତ୍ର ଏ ପର୍ଯ୍ୟନ୍ତ ତାହା ଲାଗୁ ହୋଇପାରି ନାହିଁ। ନାଲିଫିତା ତଳେ ରହିଯାଇଛି ଗାଇଡ୍ଲାଇନ୍। ଡ୍ରାଫ୍ଟରେ କୁହାଯାଇଥିଲା ଯେ ପ୍ଲେ ସ୍କୁଲରେ ୩ ବର୍ଷରୁ କମ୍ ବୟସର ପିଲାଙ୍କ ନାମଲେଖା ହୋଇପାରିବ ନାହିଁ। ପ୍ରତି ୨୦ ଜଣ ପିଲାଙ୍କ ପାଇଁ ଜଣେ ଲେଖାଏଁ ଶିକ୍ଷକ ଓ କେୟାରଟେକର୍ ରହିବେ। ଏଥିସହ ନାମଲେଖା ଶେଷ ହେବାର ଗୋଟିଏ ମାସ ମଧ୍ୟରେ ଅଭିଭାବକ-ଶିକ୍ଷକ କମିଟି ଗଠନ କରାଯିବ। ଏଥିରେ ୭୫ ପ୍ରତିଶତ ଅଭିଭାବକ ଓ ୨୫ ପ୍ରତିଶତ ଶିକ୍ଷକ ରହିବେ। ପ୍ରତି ମାସରେ ଅଭିଭାବକ-ଶିକ୍ଷକଙ୍କ ବୈଠକ ବସିବ। କୌଣସି ପ୍ଲେ ସ୍କୁଲ ହଠାତ୍ ବନ୍ଦ ହେବ ନାହିଁ। ଉପରିସ୍ଥ ଅଧିକାରୀଙ୍କଠାରୁ ଅନୁମତି ଆଣିବାକୁ ପଡ଼ିବ। ୨୦୧୮ ଜାନୁଆରି ମାସରେ ଏଭଳି ଡ୍ରାଫ୍ଟ ପ୍ରସ୍ତୁତ କରିଥିଲା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ଲାଗୁ ହୋଇପାରିନାହିଁ।
ପ୍ଲେ ସ୍କୁଲ ଉପରେ ଲଗାମ ନାହିଁ
ରାଜଧାନୀରେ ଛତୁ ଫୁଟିଲା ପରି ଖୋଲୁଛି ଘରୋଇ ପ୍ଲେ’ ସ୍କୁଲ୍। ପିଲାଙ୍କ ନାମଲେଖା ହେଉଛି। ପାଠପଢ଼ା ବି ଚାଲୁଛି। ଖେଳକୁଦ ଶିଖାଯାଉଛି। ହେଲେ ପ୍ଲେ’ ସ୍କୁଲଗୁଡ଼ିକରେ କିଭଳି ଶିକ୍ଷା ଓ ତାଲିମ ଦିଆଯାଉଛି....
/sambad/media/media_files/2025/08/19/untitled-14-2025-08-19-05-30-27.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)