ଏମ୍‌ସରେ ଅବ୍ୟବସ୍ଥା: ଦାମୀ ୟୁପିଏସ୍‌ ଖତ ଖାଉଛି, ନୂଆ କିଣିବାକୁ ଚକ୍ରାନ୍ତ

ଭୁବନେଶ୍ୱର: ବିଦ୍ୟୁତ କାଟ ହେଲେ ସଂପୂର୍ଣ୍ଣ ଏମ୍‌ସକୁ ନିରନ୍ତର ଆଲୋକ ଯୋଗାଇ ପାଇଁ ୨୨ଶହ କେଭି ଏମ୍ପିୟର୍‌ର ଏକ ୟୁପିଏସ୍‌ ଅଣାଯାଇଥିଲା। ଏହା ଭିତରେ ୩ବର୍ଷ ବିତି ଗଲାଣି, ୟୁପିଏସ୍‌ଟି କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ମାତ୍ର ଏବେ ଅସ୍ତ୍ରୋପଚାର ଗୃହ ବା ଓଟି ପାଇଁ ଆଉ ଏକ ୟୁପିଏସ୍‌ କିଣିବା ପାଇଁ ଯୋଜନା ହୋଇଛି। ତେବେ ପୂର୍ବରୁ କିଣା ହୋଇଥିବା ଦାମୀ ୟୁପିଏସ୍‌ କାହିଁକି କାର୍ଯ୍ୟକ୍ଷମ ହୋଇପାରୁନି ସେଥିପାଇଁ ଏମ୍‌ସ କର୍ତୃପକ୍ଷ ଗୁରୁତ୍ୱ ଦେବା ଦୂରର କଥା ମୁହଁ ମଧ୍ୟ ଖୋଲିବାକୁ ଚାହୁଁ ନାହାନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଏମ୍‌ସ ନିର୍ମାଣ ସମୟରେ ପ୍ରାୟ ୧୦କୋଟି ଟଙ୍କାର ଏହି ୟୁପିଏସ୍‌ ଅଣାଯାଇଥିଲା। ଉତ୍ତର ପ୍ରଦେଶର ଏକ କମ୍ପାନି ଏହାକୁ ଇନଷ୍ଟଲ୍‌ କରିଥିଲା। ତେବେ କମ୍ପାନି ପକ୍ଷରୁ ୟୁପିଏସ୍‌ର ଆଉଟଗୋଇଙ୍ଗ୍‌ ବା ବାହ୍ୟ କେବୁଲ ଲଗେଇଲା ନାହିଁ କି ଡାକ୍ତରଖାନା କର୍ତୃପକ୍ଷ ଏହା ଉପରେ ଗୁରୁତ୍ୱ ଦେଲେନାହିଁ। ଫଳରେ ଡାକ୍ତରଖାନାରେ ୟୁପିଏସ୍‌ ରହିଥିଲେ ହେଁ, ତାହା କୌଣସି କାମରେ ଆସୁନାହିଁ। ଧୀରେ ଧୀରେ ୟୁପିଏସ୍‌ର କାର୍ଯ୍ୟଦକ୍ଷତା ମଧ୍ୟ ନଷ୍ଟ ହେବାକୁ ବସିଲାଣି। ପରବର୍ତୀ ସମୟରେ ଅନ୍ୟ ୟୁପିଏସ୍‌ କିଣାଯାଇ ଅସ୍ତ୍ରୋପଚାର ଗୃହ ବା ଓଟି ଓ ଅନ୍ୟାନ୍ୟ ସ୍ଥାନକୁ ଏହାର ସଂଯୋଗ ଦିଆଯାଇଛି। ମାତ୍ର ଏହି ଦାମୀ ୟୁପିଏସ୍‌ କଥା ସମସ୍ତେ ଭୁଲି ଯାଇଛନ୍ତି। ଏହାସତ୍ୱେ କେବଳ ଓଟିରେ ନିରନ୍ତର ବିଦ୍ୟୁତ ଯୋଗାଇବା ପାଇଁ ୨କୋଟି ଟଙ୍କା ଖର୍ଚରେ ଆଉ ଏକ ୟୁପିଏସ୍‌ କିଣିବା ପାଇଁ ଯୋଜନା ହୋଇଛି। ଏମ୍‌ସ ଏକ ସ୍ୱୟଂଶାସିତ ଅନୁଷ୍ଠାନ ହୋଇଥିବା ବେଳେ କର୍ତୃପକ୍ଷ ବା ନିର୍ଦେଶକଙ୍କ ନିକଟରେ ୫କୋଟି ଟଙ୍କା ଖର୍ଚ କରିବାର କ୍ଷମତା ରହିଛି। ଏହାର ସୁଯୋଗ ନେଇ କେବଳ ଓଟିରେ ୟୁପିଏସ୍‌ କିଣିବା ପାଇଁ ଯୋଜନା ହୋଇଛି। ଏଥିପାଇଁ ଟେଣ୍ଡର ଆହ୍ଵାନ କରାଯାଇଥିଲେ ହେଁ କୌଣସି କାରଣବସତଃ ତାହା ବାତିଲ ହୋଇଯାଇଛି। ବାହ୍ୟ କେବୁଲ ସଂଯୋଗ କଲେ ପୂର୍ବରୁ ଥିବା ୟୁପିଏସ୍‌ଟି କାର୍ଯ୍ୟକ୍ଷମ ହୋଇପାରିବ, ମାତ୍ର ତାହା କରା ନ ଯାଇ କୋଟି କୋଟି ଟଙ୍କା ଖର୍ଚରେ ୟୁପିଏସ୍‌ କିଣିବା ପାଇଁ ଚକ୍ରାନ୍ତ ଚାଲିଛି। ସୁପରିନଟେଣ୍ଡେଣ୍ଟ ଇଞ୍ଜିନିୟର (ଇଲେକ୍‌ଟ୍ରିକାଲ) ପିକେ ମହାଲିକଙ୍କ କହିବାନୁଯାୟୀ, ଓଟି, ଆଡମିନିଷ୍ଟ୍ରେଟିଭ୍‌ କ୍ଲବ୍‌ ଓ ମେଡିକାଲ କଲେଜକୁ ସିଡ୍ୟୁଲ ଅନୁଯାୟୀ କେବଲିଂ କରାଯାଇଛି। ପୂର୍ବର ୟୁପିଏସ୍‌ ଏମ୍‌ସର ପ୍ରୋଜେକ୍ଟ ସମୟରେ ଆସିଥିଲା। ତେବେ ମଡ୍ୟୁଲାର ଓଟିକୁ ନିରନ୍ତର ବିଦ୍ୟୁତ ଯୋଗାଇବା ପାଇଁ ନୂଆ ୟୁପିଏସ୍‌ କିଣିବା ପାଇଁ ନିକଟରେ ଟେଣ୍ଡର ଆହ୍ଵାନ କରାଯାଇଥିଲା। ହେଲେ ତାହା ଏବେ ବାତିଲ ହୋଇଯାଇଛି। ସରକାର ଇ-ପ୍ରୋକ୍ୟୁରମେଣ୍ଟରେ ଏହି ୟୁପିଏସ୍‌ କିଣିପାରନ୍ତି ବୋଲି ଶ୍ରୀ ମହାଲିକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର