କର୍ପୋରେଟର୍‌ଙ୍କ ବିନାନୁମତିରେ ହେବନି ଜବରଦଖଲ ଉଚ୍ଛେଦ

ଭୁବନେଶ୍ବର: କର୍ପୋରେଟର ଅନୁମତି ବିନା ସହରରେ ଜବରଦଖଲ ଉଚ୍ଛେଦ ହେବନି। କର୍ପୋରେଟରମାନଙ୍କର ଏଭଳି ଦାବି କରିବା ପରେ ଏହାକୁ ଆସନ୍ତା ବୁଧବାର ବସିବାକୁ ଥିବା କର୍ପୋରେସନ ବୈଠକରେ ଅନୁମତି ମିଳିବାକୁ ଯାଉଛି। ବିଏମ୍‌ସି ଇତିହାସରେ ଏପରି ଏକ ଉଦ୍ଭଟ ପ୍ରସ୍ତାବକୁ କର୍ପୋରେସନ୍‌ ବୈଠକରେ ପାରିତ କରାଯିବା ପ୍ରଥମ ଘଟଣା ହେବ। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜବରଦଖଲକାରୀ ନା କର୍ପୋରେଟର, କାହା ସ୍ବାର୍ଥରେ ବିଏମ୍‌ସି ବୋଲି ପ୍ରଶ୍ନ ଉଠିଲାଣି।

ସବୁ କର୍ପୋରେଟରମାନେ ଏମିତି ଦାବି କରିନାହାନ୍ତି। କିଛି ହାତଗଣତି କର୍ପୋରେଟର୍ ବହୁ ଦିନ ହେଲା ଏମିତି ଦାବି କରିଚାଲିଛନ୍ତି। ସେଥିପାଇଁ ପୂର୍ବ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଉଚ୍ଛେଦ ପୂର୍ବରୁ ସମ୍ପୃକ୍ତ କର୍ପୋରେଟରଙ୍କୁ ଜଣାଇ ଦିଆଯିବ ବୋଲି କମିସନର୍‌ ମୌଖିକ ସୂଚନା ଦେଇଥିଲେ। ଏହା ପରେ ଦେଖାଗଲା, ଅଫିସରମାନେ କର୍ପୋରେଟରଙ୍କୁ ସୂଚନା ଦେଇ ଉଚ୍ଛେଦ କରୁଛନ୍ତି। କିନ୍ତୁ କର୍ପୋରେଟରଙ୍କ କଥାରେ ଯାଉ ନାହାନ୍ତି। ଅର୍ଥାତ୍‌ ଯେଉଁ ଦୋକାନ ବା ନିର୍ମାଣ ସବୁକୁ କର୍ପୋ‌ରେଟର ରଖିବାକୁ ଚାହୁଛନ୍ତି ସେଗୁଡ଼ିକୁ ଅଫିସର ଉଚ୍ଛେଦ କରି ଦେଉଛନ୍ତି। ଦୁଇଦିନ ତଳେ ଏଭଳି ଏକ ଘଟଣା ୩୧ ନମ୍ବର ୱାର୍ଡରେ ଘଟିବା ପରେ କେତେକ କର୍ପୋରେଟର ଏକାଠି ହୋଇଛନ୍ତି। ଆଜି ମୋ ୱାର୍ଡରେ ଘଟିଛି କାଲି ତୁମ ୱାର୍ଡରେ ଘଟିବ, ଏଣୁ ଏହି ପ୍ରସଙ୍ଗରେ ଏକ ଠୋସ୍‌ ନିଷ୍ପତ୍ତି ନେବାକୁ ହେବ ବୋଲି କେତେକ କର୍ପୋରେଟର ମେଳି କରିଛନ୍ତି। ଶେଷରେ ଏ ସଂକ୍ରାନ୍ତରେ ଏକ ବିଧିବଦ୍ଧ ପ୍ରସ୍ତାବ କର୍ପୋରେଯସନ୍‌ ବୈଠକରେ ପାରିତ କରିବାକୁ ଯୋଜନା ଚାଲିଛି।

ବୁଧବାର ବିଏମ୍‌ସି ବୈଠକ
ଉଦ୍ଭଟ ପ୍ରସ୍ତାବ ପାରିତ କରିବାକୁ ଯୋଜନା
କାହା ସ୍ବାର୍ଥରେ ବିଏମ୍‌ସି?

ଏପରି ପ୍ରସ୍ତାବକୁ ବିରୋଧ କରୁଥିବା କର୍ପୋ‌ରେଟର୍‌ଙ୍କ ଯୁକ୍ତି ହେଉଛି, କେତେକ କର୍ପୋରେଟର୍‌ ଏଭଳି ବେପାରରେ ସିଧାସଳଖ ଲିପ୍ତ ଅଛନ୍ତି। ତାଙ୍କର ସମ୍ପର୍କୀୟ ବା ସହଯୋଗୀମାନେ ବିଭିନ୍ନ ଜାଗାରେ ସରକାରୀ ଜାଗା ମାଡ଼ି ବସିଛନ୍ତି ଓ କର୍ପୋରେଟର ତାଙ୍କୁ ସୁରକ୍ଷା ଦେଉଛନ୍ତି। କେଉଁଠି କ୍ଲବ୍‌ ଘର ହୋଇଥିବା ବେଳେ କେଉଁଠି ଦୋକାନ ଖୋଲିଛି। କେତେକ କର୍ପୋରେଟର ନିଜ ୱାର୍ଡ ଛାଡ଼ି ଅନ୍ୟ ୱାର୍ଡରେ ମଧ୍ୟ ଏଭଳି କାରବାରରେ ଲିପ୍ତ ଅଛନ୍ତି। ଏବେ ଏହି ଅଲିଖିତ ନିଷ୍ପତ୍ତି ନିଆଗଲେ ସେମାନଙ୍କୁ ବେଶ୍‌ ସୁହାଇବ। ସେମାନେ ଯାହାକୁ ଚାହିବେ ରଖିବେ, ଯାହାକୁ ଚାହିବେ ଭାଙ୍ଗିବେ। ଯାହାର ରଖିବେ ତା’ଠାରୁ ମୋଟା ଅଙ୍କର ହାତଗୁଞ୍ଜା ବି ‌ନେବେ। ତାହା ଛଡ଼ା ଭୁବନେଶ୍ବରରେ ଜବରଦଖଲ ସମସ୍ୟା ବଢ଼ିବ। ଏମିତି ତ ବଡ଼ବଡ଼ିଆ କରିଥିବା ଜବରଦଖଲ ବିଏମ୍‌ସି ଭାଙ୍ଗି ପାରୁନି।

ଏବେ ରାସ୍ତା କଡ଼ ଜବରଦଖଲ ମଧ୍ୟ ଭାଙ୍ଗି ପାରିବନି। ଏସବୁକୁ କିଭଳି ବିଏମ୍‌ସି ପ୍ରସୟ ଦେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ କେବଳ କର୍ପୋରେଟର ନୁହନ୍ତି, ସାଧାରଣ ନାଗରିକ ମଧ୍ୟ ଏହାକୁ ଘୋର ବିରୋଧ କରୁଛନ୍ତି। ଜବରଦଖଲ ଯୋଗୁଁ ସହରରେ ଜଳବନ୍ଦୀ ସମସ୍ୟା ସହ ପରିମଳ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି। ଏଣୁ ସହରରୁ ସମସ୍ତ ଜବରଦଖଲ ଉଚ୍ଛେଦ କରିବା ଆବଶ୍ୟକ ହୋଇଛି। ଉଚ୍ଛେଦକୁ ସମର୍ଥନ କରିବା ବଦଳରେ କର୍ପୋରେଟର ଏଭଳି ଦାବି କରିବା ଓ ବିଏମ୍‌ସି ଏହାକୁ ମାନିନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେମାନେ କହିଛନ୍ତି।

ତେବେ ସପକ୍ଷବାଦୀଙ୍କ ଯୁକ୍ତି ହେଉଛି, ଜବରଦଖଲ ଉଚ୍ଛେଦରେ ମେୟର ଓ କର୍ପୋରେଟରଙ୍କୁ ସୂଚନା ଦେବା ଅର୍ଥ ତାହା ନୁହେଁ ଯେ କେହି ଫାଇଦା ଉଠାଇବେ। କିନ୍ତୁ ଯେତେବେଳେ ଉଚ୍ଛେଦ ହେଉଛି ସେତେବେଳେ ସମ୍ପୃକ୍ତ ଲୋକ ପରିବାର ଧରି କର୍ପୋରେଟରଙ୍କ ଦୁଆର ମହୁଁରେ ବସୁଛି। ଯଦି ଉଚ୍ଛେଦ ପୂର୍ବରୁ କର୍ପୋରେଟର ଜାଣନ୍ତେ ତେବେ ସେମାନେ ସମ୍ପୃକ୍ତ ଜବରଦଖଲକାରୀକୁ ବୁଝାସୁଝା କରି ଉଠାଇ ପାରନ୍ତେ। ଉଚ୍ଛେଦ ପରେ ସମସ୍ୟା ହୁଅନ୍ତା ନାହିଁ। ଏଣୁ ଉଚ୍ଛେଦ ପୂର୍ବରୁ ଜଣାଇବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର