ଭୁବନେଶ୍ବର : ରବିବାରଠାରୁ ସାରା ଦେଶରେ ଟିକା ଉତ୍ସବ ଆରମ୍ଭ ହୋଇଥିବାବେଳେ ରାଜ୍ୟର ୫୯୩ଟି କେନ୍ଦ୍ରରେ ୮୧,୧୬୯ଜଣ ଟିକା ନେଇଛନ୍ତି। ଏହାକୁ ମିଶାଇ ଆଜି ସୁଦ୍ଧା ରାଜ୍ୟରେ ୪୩ଲକ୍ଷ ୭୮ହଜାର ୨୦୧ଜଣ ଟିକା ନେଇସାରିଲେଣି। ତେବେ ରାଜ୍ୟରେ କୋଭିସିଲ୍ଡ ଟିକା ଅଭାବ ଯୋଗୁଁ ପ୍ରାୟ ୯୦୦ କେନ୍ଦ୍ରରେ ଟିକାଦାନ ବ୍ୟାହତ ହୋଇଛି। ଅପରପକ୍ଷରେ ରାଜଧାନୀରେ ଲୋକଙ୍କୁ କୋଭାକ୍ସିନ୍ ଟିକା ଦିଆଯାଉଥିବାବେଳେ ପର୍ଯ୍ୟାପ୍ତ ପରିମାଣର ଟିକା ଗଚ୍ଛିତ ଥିବା ଜଣାପଡ଼ିଛି।
ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ୧୬୫ଜଣ ସ୍ବାସ୍ଥ୍ୟ କର୍ମୀ ପ୍ରଥମ ଡୋଜ୍ ଟିକା ନେଇଥିବାବେଳେ ୧୫୬ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ସେହିପରି ଆଗଧାଡ଼ିର କର୍ମୀ ୩୫୦ଜଣ ପ୍ରଥମ ଡୋଜ୍ ଟିକା ନେଇଥିବାବେଳେ ୩୦୩ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ୪୫ରୁ ୫୯ବର୍ଷ ବୟସର କୋ-ମର୍ବିଡିଟି ଥିବା ୫୨୩୬୫ଜଣ ପ୍ରଥମ ଡୋଜ୍ ଟିକା ନେଇଥିବାବେଳେ ୬୨୯ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ୬୦ବର୍ଷରୁ ଅଧିକ ୧୯୫୭୨ଜଣ ପ୍ରଥମ ଡୋଜ୍ ଟିକା ନେଇଥିବାବେଳେ ୭୬୨୯ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି।
ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟକୁୂ ୪୨ଲକ୍ଷ ୭୧ହଜାର ୮୭୦ଟି କୋଭିସିଲ୍ଡ ଟିକା ମିଳିଥିବାବେଳେ ୪୧ଲକ୍ଷ ୧୨ହଜାର ୪୩୧ ଟି ଟିକା ଦିଆଯାଇଛି। ଏବେ ରାଜ୍ୟ ସରକାରଙ୍କ ପାଖରେ ୧ଲକ୍ଷ ୫୯ହଜାର ୪୩୯ଟି ଟିକା ବାକି ଅଛି।
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କୁ ୩ଲକ୍ଷ ୩୬ହଜାର ୭୮୦ଟି କୋଭାକ୍ସିନ୍ ଟିକା ମିଳିଥିବାବେଳେ ୨ଲକ୍ଷ ୬୫ହଜାର ୭୭୦ଟି ଟିକା ଦିଆଯାଇଛି। ଆଉ ମାତ୍ର ୭୧,୦୧୦ ଟି ଟିକା ବାକି ଅଛି। କେବଳ ଭୁବନେଶ୍ବରରେ କୋଭାକ୍ସିନ୍ ଟିକା ଦିଆଯାଉଥିବାବେଳେ ବିଏମ୍ସି ଦିନକୁ ୧୦ହଜାର ଟିକା ଦେବାକୁ ଯୋଜନା କରିଛି। ତେଣୁ ରାଜଧାନୀରେ ଟିକାକରଣ ପାଇଁ ଆସନ୍ତା ୭ଦିନ ପାଇଁ ଟିକା ସଂରକ୍ଷିତ ଅଛି। ଟିକା ଉତ୍ସବର ଦ୍ବିତୀୟ ଦିନରେ ଅର୍ଥାାତ୍ ସୋମବାର ରାଜ୍ୟ ସରକାର ୭୭୫ଟି ଟିକାକରଣ କେନ୍ଦ୍ରରେ ଟିକାଦାନ କରିବାକୁ ଯୋଜନା କରିଛନ୍ତି। ଏଥିରେ ପ୍ରାୟ ୬୦ଟି କେନ୍ଦ୍ରରେ କୋଭାକ୍ସିନ୍ ଟିକା ଦିଆଯିବ।
ରେଳ ଷ୍ଟେସନରେ ୮ଟି କାଉଣ୍ଟର ଖୋଲିଲା ବିଏମ୍ସି
ଭୁବନେଶ୍ବର : ବାହାର ରାଜ୍ୟରୁ ଟ୍ରେନ୍ରେ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଆରଟିପିସିଆର୍ ପରୀକ୍ଷାରେ ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ଏହାକୁ ଯାଞ୍ଚ କରିବା ଏବଂ ଯାତ୍ରୀଙ୍କର କୋଭିଡ ପରୀକ୍ଷା ପାଇଁ ବିଏମ୍ସି ପକ୍ଷରୁ ଭୁବନେଶ୍ବର ରେଳ ଷ୍ଟେସନରେ ୮ଟି କାଉଣ୍ଟର ଖୋଲାଯାଇଛି।
ବିଏମ୍ସିରୁ ମିଳିଥିବା ସୂଚନା ଅନୁଯାୟୀ, ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀ ଯାତ୍ରା ଆରମ୍ଭ ପୂର୍ବରୁ ୭୨ଘଣ୍ଟା ଭିତରେ କରିଥିବା ଆର୍ଟିପିସିଆର୍ ଟେଷ୍ଟର ନେଗେଟିଭ୍ ରିପୋର୍ଟ ଦେଖାଇବେ ନଚେତ୍ ଦୁଇ ଡୋଜ୍ ଟିକା ନେବାର ସାର୍ଟିଫିକେଟ୍ ଦେଖାଇବେ। ଯେଉଁମାନେ ଏହା ଦେଖାଇ ନ ପାରିବେ ସେମାନଙ୍କର ଷ୍ଟେସନରେ ଆଣ୍ଟିଜେନ୍ ପରୀକ୍ଷା ହେଉଛି। ଏଥିପାଇଁ ଷ୍ଟେସନରେ ଆଜିଠାରୁ ୮ଟି କାଉଣ୍ଟର ଖୋଲିଛି। ୧ରୁ ୩ନମ୍ବର କାଉଣ୍ଟରରେ ଟେଷ୍ଟିଂ ରିପୋର୍ଟ ଓ ଟିକା ସାର୍ଟିଫିକେଟ୍ ଦେଖାଇବା ବ୍ୟବସ୍ଥା ହୋଇଥିବାବେଳେ ୪ରୁ ୮ନମ୍ବର ପର୍ଯ୍ୟନ୍ତ କାଉଣ୍ଟରରେ ନାମ ପଞ୍ଜୀକରଣ କରି କୋଭିଡ ପରୀକ୍ଷା ବ୍ୟବସ୍ଥା କରାଯାଇଛି।