ଭୁବନେଶ୍ୱର: ଗତ ବର୍ଷ ଜୁନ ମାସରେ ଖାରବେଳନଗରରେ ଅଞ୍ଚଳରେ ଡ୍ରେନ୍ରେ ପଡ଼ି ଜଣେ ନାବାଳକର ମୃତ୍ୟୁଘଟିଥିଲା। ଏହା ପରେ ବିଏମ୍ସି ତତ୍ପର ହୋଇଉଠିଥିଲା। ପ୍ରତ୍ୟେକ ମୁକୁଳା ନଳାରେ ସ୍ଲାବ୍ ପକାଇବା ପାଇଁ ଯୋଜନା ହୋଇଥିଲା। ଯେଉଁଠି ଏନ୍ଜିଟି କିମ୍ବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପ୍ରତିବନ୍ଧକ ଅଛି ସେଠାରେ ବାଡ଼ କରାଯିବାକୁ ଯୋଜନା ହୋଇଥିଲା। ହେଲେ ଇତିମଧ୍ୟରେ ପ୍ରାୟ ବର୍ଷେ ବିତିଲାଣି। ଏଯାବତ ରାଜଧାନୀ ଡ୍ରେନ୍ରେ କଭର୍ ସ୍ଲାବ୍ ପଡ଼ି ପାରିଲାନି। ସହରର ଅଧିକାଂଶ ସ୍ଥାନ ଯେପରିକି ସହିଦନଗର, ଭିଏସ୍ଏସ୍ନଗର, ସତ୍ୟନଗର, ମଞ୍ଚେଶ୍ୱର, ଶାସ୍ତ୍ରୀନଗର ଆଦି ଅଞ୍ଚଳରେ ଆଁ କରିଛି ମୁକୁଳା ଡ୍ରେନ୍।ସହିଦନଗର ଅଞ୍ଚଳ ରାଜଧାନୀର ଏକ ଜନବହୁଳ ଅଞ୍ଚଳ। ଏଠାରେ ବହୁ ସରକାରୀ ତଥା ବେସରକାରୀ ପ୍ରତିଷ୍ଠାନ ରହିଛି। ହେଲେ ଏଠାରେ ସ୍ଥାନେ ସ୍ଥାନେ ଡ୍ରେନ୍ ମୁକୁଳା ପଡ଼ିଛି । ବିଶେଷ କରି ଆର୍ଯ୍ୟମନ୍ଦିର ପଛ ପଟେ ଥିବା ଡ୍ରେନ୍ ଶୋଚନୀୟ ସ୍ଥିତିରେ ରହିଛି। କିଛି ଡ୍ରେନ୍ରେ କାନ୍ଥ ଓ ସ୍ଲାବ୍ର ବର୍ଜ୍ୟ ପଡ଼ିଥିବା ବେଳେ ଆଉ କିଛିରେ ଆବର୍ଜନା ପଡ଼ିରହିଛି। ଫଳରେ ଦୁର୍ଗନ୍ଧରେ ରହି ହେଉନାହିଁ। ତେବେ ଏନେଇ କର୍ପୋରେଟର ରାଜକିଶୋର ଦାସ କହିଛନ୍ତି ଡ୍ରେନ କାମ ଆରମ୍ଭ ହୋଇଯାଇଛି। ଏହାକୁ ମୁଖ୍ୟ ରାସ୍ତା ସହ ସମତୁଲ କରି ସ୍ଲାବ୍ର ବ୍ୟବସ୍ଥା କରାଯାଉଛି।
ସେହିପରି ସତ୍ୟନଗର ଅଞ୍ଚଳର ତୋଷାଳୀ ଆପାର୍ଟମେଣ୍ଟ ସମ୍ମୁଖ ରାସ୍ତାରେ ଦୁଇରୁ ତିନି ମାସ ଧରି ନ ପାଣିଭାସୁଛି। ଏପରିକି ଵାର୍ଡ ଶୁଣାଣି କାର୍ଯ୍ୟକ୍ରମରେ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ସେହିପରି ସତ୍ୟକାଳୀବସ୍ତିରେ ୧୦ ନମ୍ୱର ଡ୍ରେନ୍ ସେମିତି ମୁକୁଳାପଡ଼ିଛି। ଆଇନ ଦୃଷ୍ଟିରୁ ଏଠାରେ ସ୍ଲାବ୍ ପକା ଯାଇପାରିବ ନାହିଁ। କିନ୍ତୁ ଏହାକୁ ବ୍ୟାରିକେଡିଂ କରାଯାଉନାହିଁ। ତେବେ ଏନେଇ କର୍ପୋରେଟର ପୁଷ୍ପାଞ୍ଜଳି ସେଠୀ କହିଛନ୍ତି, ଏନେଇ ଆଲୋଚନା ହୋଇଛି ଓ ଖୁବ ଶୀଘ୍ର ସମସ୍ୟାର ସମାଧାନ ହେବ। ସେହିପରି ମଞ୍ଚେଶ୍ୱର ଓ ଭିଏସ୍ଏସ୍ନଗର ଅଞ୍ଚଳରେ ମଧ୍ୟ ଡ୍ରେନ୍ ମୁକୁଳା ରଡ଼ିଛି। ଯଦିଓ ଉଭୟ ସ୍ଥାନରେ କାମ ଚାଲିଛି ଖୁବ ଶୀଘ୍ର ସରିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ସେହିପରି ବିଧାନସଭା ସମ୍ମୁଖରେ ଥିବା ଡ୍ରେନ୍ ମଧ୍ୟ ମୁକୁଳା ପଡ଼ିଛି।