ନିଶା ନିବାରଣ କେନ୍ଦ୍ରର ଚିହ୍ନବର୍ଣ୍ଣ ନାହିଁ: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କଥା ଧୂଅାଁବାଣ

ଯୁଗ୍ମ ଆକାଉଣ୍ଟ ଖୋଲି ଚୁପ୍‌ ବସିଛନ୍ତି, ଜାଗା ଚିହ୍ନଟ ହୋଇନି

ଭୁବନେଶ୍ୱର: ଗତ ସେପ୍ଟେମ୍ବର ମାସରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଆସନ୍ତା ୨ମାସ ଭିତରେ କ୍ୟାପିଟାଲ ହସ୍ପିଟାଲରେ ନିଶା ନିବାରଣ କେନ୍ଦ୍ର କାର୍ଯ୍ୟକ୍ଷମ ହେବ ବୋଲି ବିଧାନସଭାରେ ସୂଚନା ଦେଲେ। ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଜେନା ଏହି ସୂଚନା ଦେଇଥିଲେ। ଗତ ବିଧାନସଭା ଶେଷ ହୋଇ ଚଳିତବର୍ଷ ବିଧାନସଭାର ଅଧା ହେଲାଣି।

ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ଉତ୍ତର ରଖିବାର ୩ ମାସ ପରେ ବାସ୍ତବତା ହେଉଛି, କ୍ୟାପିଟାଲ ହସ୍ପିଟାଲରେ ନିଶା ନିବାରଣ କେନ୍ଦ୍ରର ଚିହ୍ନବର୍ଣ୍ଣ ନାହିଁ। ଖାଲି ଯୁଗ୍ମ ଆକାଉଣ୍ଟ ଖୋଲି ଦେଇ ସମସ୍ତେ ଚୁପ୍‌ ବସିଛନ୍ତି। ନିଶା ନିବାରଣ କେନ୍ଦ୍ର ପାଇଁ ଯେତିକି ସଂଖ୍ୟକ କର୍ମଚାରୀ ଆବଶ୍ୟକ ତାହା ଏ ପର୍ଯ୍ୟନ୍ତ ନିଯୁକ୍ତ ହୋଇ ନାହାନ୍ତି। ଜାଗାକୁ ନେଇ ମଧ୍ୟ ଛକାପଞ୍ଝା ଚାଲିଛି। ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ନିକଟରେ ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ନାହିଁ। ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ୯ଟି ସ୍ଥାନରେ ନିଶା ନିବାରଣ କେନ୍ଦ୍ର ଖୋଲିବା ପାଇଁ ଯୋଜନା ହୋଇଛି। କ୍ୟାପିଟାଲ ହସ୍ପିଟାଲକୁ ମିଶାଇ ୩ଟି ମେଡିକାଲ କଲେଜ, ଅନୁଗୁଳ, ପୁରୀ, ବଲାଙ୍ଗୀର, ଆରଜିଏଚ୍‌ ରାଉରକେଲା ଓ ମୟୂରଭଞ୍ଜ ଜିଲ୍ଲାରେ ଏହ କେନ୍ଦ୍ର ଖୋଲାଯିବ। ମେଡିକାଲ କଲେଜରେ ହେବାକୁ ଥିବା ନିଶା ନିବାରଣ କେନ୍ଦ୍ରରେ ୩୦ଟି ବେଡ୍‌ ରହିଥିବା ବେଳେ ଅନ୍ୟ ହସ୍ପିଟାଲରେ ୧୦ଟି ବେଡ୍‌ ସଂରକ୍ଷିତ ରହିବ। ଅଧିକାଂଶ ଜିଲ୍ଲାରେ ଜାଗା ଚିହ୍ନଟକୁ ନେଇ ସମସ୍ୟା ଦେଖାଦେଇଛି। କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ସମାନ ଅବସ୍ଥା। ହସ୍ପିଟାଲର କେଉଁଠି ନିଶା ନିବାରଣ କେନ୍ଦ୍ର ଖୋଲିବ ତାହାକୁ ନେଇ ଛକାପଞ୍ଝା ଚାଲିଛି। କ୍ୟାପିଟାଲ ହସ୍ପିଟାଲ ଅଧୀନରେ ଥିବା ଶିଶୁଭବନରେ ପ୍ରଥମେ ଏହି କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ଦୀର୍ଘଦିନ ଧରି ସେଠାରେ ଏହି କେନ୍ଦ୍ର ଖୋଲିବ କି ନାହିଁ ତାହାକୁ ନେଇ ତର୍କ ବିତର୍କ ଚାଲିବା ପରେ ଏହି ନିଷ୍ପତ୍ତିରୁ କର୍ତୃପକ୍ଷ ଓହରି ଯାଇଥିଲେ। ଏବେ ଶିଶୁଭବନରେ ଏନ୍‌ଆରସି କେନ୍ଦ୍ର କାର୍ଯ୍ୟ କରୁଛି। ପରବର୍ତୀ ସମୟରେ ଏହାକୁ ସଂକ୍ରମଣ ରୋଗ ବା ଆଇଡି ଓ୍ଵାର୍ଡ ନିକଟରେ ଏହି କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ମଧ୍ୟରେ ନିଷ୍ପତ୍ତିରେ ରହିଯାଇଛି। ତେବେ ହସ୍ପିଟାଲ ପରିସରରେ ନିଶା ନିବାରଣ କେନ୍ଦ୍ର ଖୋଲିବାକୁ ନେଇ ଅନେକ ନାପସନ୍ଦ କରୁଛନ୍ତି। ହସ୍ପିଟାଲରେ ଅନ୍ୟ ରୋଗର ଚିକିତ୍ସା ଚାଲୁଥିବା ବେଳେ ନିଶାଡ଼ିମାନଙ୍କ ଚିକିତ୍ସା ସମସ୍ୟା ସୃଷ୍ଟି କରିବ ବୋଲି ଅନେକ ଡାକ୍ତର ମତ ଦେଉଛନ୍ତି। ନିଶାଡ଼ିମାନଙ୍କୁ ନିୟନ୍ତ୍ରଣ କରିବା ସହିତ ହସ୍ପିଟାଲକୁ ଆସୁଥିବା ରୋଗୀ ଓ ଅନ୍ୟମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏକ ପ୍ରମୁଖ ସମସ୍ୟା ସୃଷ୍ଟି କରିବ ବୋଲି ହସ୍ପିଟାଲର ଅନେକ ଅଧିକାରୀ ମତ ଦେଉଛନ୍ତି। ଅପରପକ୍ଷରେ ନିଶା ନିବାରଣ କେନ୍ଦ୍ର ପାଇଁ ଆବଶ୍ୟକ ହେଉଥିବା ମନସ୍ତତ୍ତ୍ୱବିତ୍‌, କ୍ଲିନିକାଲ ସାଇକୋଲୋଜିଷ୍ଟ ଓ ଅନ୍ୟ କର୍ମଚାରୀ ଏ ପର୍ଯ୍ୟନ୍ତ ନିଯୁକ୍ତ ହୋଇ ନାହାନ୍ତି। ଓଡ଼ିଶା ଲୋକସେବା ମଣ୍ଡଳ ଜରିଆରେ ଏଥିପାଇଁ କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ ସ୍ଥିର ହୋଇଥିଲେ ହେଁ ତାହା ଏ ପର୍ଯ୍ୟନ୍ତ ଶେଷ ହୋଇପାରି ନାହିଁ।

କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ସି.ଆର ଦାସ କହିଛନ୍ତି, ନିଶା ନିବାରଣ କେନ୍ଦ୍ର ପାଇଁ ଏକ ଯୁଗ୍ମ ଆକାଉଣ୍ଟ ଖୋଲା ଯାଇଛି। ଏହି ଆକାଉଣ୍ଟରେ ବିଭାଗ ପକ୍ଷରୁ ଟଙ୍କା ମଧ୍ୟ ଦିଆଯାଇଛି। ପୂର୍ବରୁ ଶିଶୁ ଭବନରେ ଏହାକୁ ଖୋଲିବା ପାଇଁ ସ୍ଥିର ହୋଇଥିଲା। ତେବେ ପରବର୍ତୀ ସମୟରେ ତାହା ସ୍ଥିର ହୋଇପାରି ନ ଥିଲା। ଏବେ ହସ୍ପିଟାଲ ପରିସରରେ ଏହି କେନ୍ଦ୍ର ଖୋଲିବା ପାଇଁ ଜାଗା ଚିହ୍ନଟ ହୋଇଛି। ତେବେ ଏହି କେନ୍ଦ୍ର ପାଇଁ କର୍ମଚାରୀ ନିଯୁକ୍ତ ହୋଇ ନାହାନ୍ତି। କର୍ମଚାରୀ ନିଯୁକ୍ତ ହେବା ପରେ ଏହାର ବହିର୍ବିଭାଗ କାର୍ଯ୍ୟ କରିବ ବୋଲି ଡା.ଦାସ ସୂଚନା ଦେଇଛନ୍ତି। ଜନସ୍ୱାସ୍ଥ୍ୟ ନିର୍ଦେଶକ ଡା.ଜେ.କେ ତ୍ରିପାଠୀଙ୍କ କହିବାନୁଯାୟୀ, କ୍ୟାପିଟାଲ ହସ୍ପିଟାଲକୁ ମିଶାଇ ରାଜ୍ୟର ୯ଟି ସ୍ଥାନରେ ନିଶା ନିବାରଣ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ଏଥିପାଇଁ ଆବଶ୍ୟକ କର୍ମଚାରୀ ନିଯୁକ୍ତ ହୋଇ ନାହାନ୍ତି। କର୍ମଚାରୀ ନିଯୁକ୍ତି ହେବା ପରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ଡା.ତ୍ରିପାଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର