ଏମ୍‌ସ‌ରେ ବିଷମ ସ୍ଥିତି: ଓଟିରେ ନାହିଁ ସିରିଞ୍ଜ, ସାଲାଇନ୍‌

ସ୍ମାର୍ଟଫୋନ୍‌ ନଥିଲେ ମିଳୁନି ଏକ୍ସ-ରେ’ ଫଟୋ

ଭୁବନେଶ୍ବର: ଅପରେସନ୍‌ ଥିଏଟର୍‌ (ଓଟି)ରେ ନାହିଁ ବ୍ୟାଣ୍ଡେଜ୍‌, ମାସ୍କ, ସାଲାଇନ୍‌, ସିରିଞ୍ଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀ। ଏକ୍ସ-ରେ’ ପ୍ଲେଟ୍‌ ନ ଥିବାରୁ ହାର୍ଡ-କପି ବାହାରି ପାରୁନି। ଇ-ମେଲ୍‌ କିମ୍ବା ହ୍ବାଟସ୍‌ ଆପ୍‌ରେ ରୋଗୀ ଓ ପରିଜନଙ୍କ ସ୍ମାର୍ଟଫୋନ୍‌କୁ ସଫ୍ଟ-କପି ପଠାଇ ଦିଆଯାଉଛି। ଯାହାର ସ୍ମାର୍ଟ ଫୋନ୍‌ ନାହିଁ, ତା’ ପାଇଁ କର୍ତ୍ତୃପକ୍ଷଙ୍କ ଟିକିଏ ହେଲେ ଦରଦ ନାହିଁ। କେଉଁ ଉପାନ୍ତ ଅଞ୍ଚଳର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନୁହେଁ, ରାଜଧାନୀ‌ରେ ଥିବା କେନ୍ଦ୍ରୀୟ ସ୍ବାସ୍ଥ୍ୟାନୁଷ୍ଠାନ ‘ଏମ୍‌ସ’ର ଏ ବିଷମ ସ୍ଥିତି ରୋଗୀ ଓ ଅଭିଭାବକଙ୍କୁ ହତବାକ୍‌ କରୁଛି। ଏକର ଏକର ଜାଗାରେ ବାହୁ ମେଲାଇ ଠିଆ ହୋଇଥିବା ଏହି ହସ୍ପିଟାଲ‌ର ଅବସ୍ଥା ଯେ ଏତେ ଦୟନୀୟ ଅବସ୍ଥାରେ ପହଞ୍ଚି ଯାଇଛି, ତାହା କେହି ସହଜରେ ବିଶ୍ବାସ କରିପାରୁନାହାନ୍ତି।

ମିଳିଥିବା ସୂଚନାନୁଯାୟୀ, ଏମ୍‌ସର କେନ୍ଦ୍ରୀୟ ଫାର୍ମାସିରେ ଅନେକ ଜୀବନ ରକ୍ଷାକାରୀ ଇଂଜେକସନ୍‌ଠାରୁ ଆରମ୍ଭ କରି ଇସିଜି ଜେଲି, ଡେଲିଭରି କିଟ୍‌, ଫେସ ସିଲ୍ଡ ଭଳି ବିଭିନ୍ନ ସାମଗ୍ରୀ ଉପଲବ୍ଧ ନାହିଁ। ଯେତିକି ଅଛି, ତାହାର ପରିମାଣ ଖୁବ୍‌ କମ୍‌। ଜୁନ୍‌ରୁ ହସ୍ପିଟାଲରେ ଏ ନିଅଣ୍ଟିଆ ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ ଅବସ୍ଥା ଅସମ୍ଭାଳ ହୋଇଗଲାଣି। ୨୦୨୧ ଡିସେମ୍ବରୁ ଗତ ଜୁଲାଇ ୨୧ ତାରିଖ ପର୍ଯ୍ୟନ୍ତ ଭାରପ୍ରାପ୍ତ ନିର୍ଦ୍ଦେଶକଙ୍କ ଭରସାରେ ହସ୍ପିଟାଲ ଚାଲିଥିଲା। ମାର୍ଚ୍ଚ, ଏପ୍ରିଲରେ ହେବାକୁ ଥିବା ମେଡିକାଲ ସାମଗ୍ରୀ କ୍ରୟ ପାଇଁ ଟେଣ୍ଡର୍‌ ଡକା ଯାଇନଥିଲା। ତେବେ ନୂତନ ନିର୍ଦ୍ଦେଶକ କେବେ ଟେଣ୍ଡର୍‌ ଡାକିବା ପାଇଁ ପ୍ରକ୍ରିୟା କରିବେ ଏବଂ ଏହି ସାମଗ୍ରୀ କ୍ରୟ କରାଯିବ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷେ ହସ୍ପିଟାଲରେ ଅତ୍ୟାବଶ୍ୟକ ସାମଗ୍ରୀର ଏ ତିରୋଟ ଅବସ୍ଥାକୁ ନେଇ ବୁଦ୍ଧିଜୀବୀମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଗରିବ ରୋଗୀଙ୍କୁ ମାଗଣାରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ’ ଓ ‘ଆୟୁଷ୍ମାନ’ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଯଦିଓ ଆମ ରାଜ୍ୟରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହୋଇନାହିଁ, ଏମ୍‌ସକୁ ବାହାର ରାଜ୍ୟରୁ ଆସୁଥିବା ହଜାର ହଜାର ରୋଗୀ ଏମ୍‌ସରେ ଏହି ଯୋଜନାର ଲାଭ ଉଠାଇଥା’ନ୍ତି। ସ୍ବାସ୍ଥ୍ୟସେବା ବାବଦକୁ ଏହି କାର୍ଡଧାରୀ ପିଛା ଖର୍ଚ୍ଚ ହେଉଥିବା ଅର୍ଥ ମଧ୍ୟ ସରକାର ପରବର୍ତ୍ତୀ ପର୍ଯ୍ୟାୟରେ ଡାକ୍ତରଖାନାକୁ ଦେଇଥା’ନ୍ତି। ଏହାବାଦ୍‌ ଅନ୍ୟ ରୋଗୀଙ୍କ ଚିକିତ୍ସା ମଧ୍ୟ ଏମ୍‌ସରେ ନାମମାତ୍ର ଖର୍ଚ୍ଚରେ ହୋଇଥାଏ। କିନ୍ତୁ ବିଡ଼ମ୍ବନାର ବିଷୟ ହେଲା, ସରକାର ସବୁ ମାଗଣାରେ ଦେଉଥିବା କହୁଥିଲେ ହେଁ ଜରୁରୀ ଔଷଧ, ଇଂଜେକ୍ସନ୍‌, ସିରିଞ୍ଜ, ବ୍ୟାଣ୍ଡେଜ୍‌, ଓଆର୍‌ଏସ୍‌ ପାଉଡର୍‌ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଏମ୍‌ସରେ ମହଜୁଦ ନାହିଁ। ଏଥିପାଇଁ ରୋଗୀଙ୍କୁ ବାହାର ଔଷଧ ଦୋକାନରୁ ଏସବୁ ସାମଗ୍ରୀ ଆଣିବାକୁ ପଡ଼ୁଛି। ଏହା ଛୋଟମୋଟ ସାମଗ୍ରୀ ଲାଗୁଥିଲେ ହେଁ ଏହା ଭିତରେ ଏହାର ବଜାର ଦର ଯଥେଷ୍ଟ ବୃଦ୍ଧି ପାଇଛି। ତେଣୁ ଗରିବ ରୋଗୀ ପକେଟ୍‌କୁ ଏହା ବାଧୁଛି। ଅନ୍ୟପକ୍ଷରେ ଚିକିତ୍ସା ପାଇଁ ଅଚାନକ ଆବଶ୍ୟକ ହେଉଥିବା ସାଲାଇନ୍‌, ସିରିଞ୍ଜର ଅଭାବ ଯୋଗୁଁ ବେଳେବେଳେ ରୋଗୀଙ୍କ ଅବସ୍ଥା ଜଟିଳ ହୋଇପଡ଼ୁଛି। ଆଉ ଏହାର ଫାଇଦା ଉଠାଇ କିଛି ଘରୋଇ ମେଡିକାଲ ଷ୍ଟୋର୍‌ ରୋଗୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର