ସାଂସ୍କୃତିକ ପ୍ରେକ୍ଷାଳୟରେ ଏକ-ଦୁଇ କଷ୍ଟ

ଭୁବନେଶ୍ବର: ନୃତ୍ୟ ଗୀତର ଆସର ଭେଟି ଦେବାକୁ ପ୍ରେକ୍ଷାଳୟର ଆଧୁନିକୀକରଣ ପାଇଁ ହାତଖୋଲା ଖର୍ଚ ହେଉଛି। ଅଥଚ ମନୋରଂଜନ ବେଳେ ଏକ-ଦୁଇ ପାଇଁ ଉଦ୍ଦିଷ୍ଟ ଘର(ପାଇଖାନା) ଯେ ଧୀରେଧୀ‌ରେ ରୁଗ୍‌ଣ ହୋଇଯାଉଛି, ତା’ ଉପରେ ନଜର ପଡ଼ୁନାହିଁ। ଅତ୍ୟାଧୁନିକ ନୀଳ ନାଲି ଲାଇଟ୍‌ ତଳେ ନାଟକ ତ ଉପଭୋଗ କରି ହେଉଛି କିନ୍ତୁ ପ୍ରେକ୍ଷାଳୟକୁ ଲାଗିଥିବା ଶୌଚାଳୟକୁ ଯିବା ବେଳେ ଅନ୍ଧାରି ବିଜେ କରିବାକୁ ପଡ଼ୁଛି। ଅବସର ବିନୋଦନ ପାଇଁ ରାଜଧାନୀର କେନ୍ଦ୍ରସ୍ଥଳରେ ଥିବା ପ୍ରେକ୍ଷାଳୟଗୁଡ଼ିକର ସ୍ଥିତି ବିଗିଡ଼ିବାରେ ଲାଗିଛି। ଅଥଚ ଏହାକୁ ଆଧୁନିକତାର ସ୍ପର୍ଶ ଦେବା ତ ଦୂରର କଥା, ଉଚିତ୍‌ ରକ୍ଷଣାବେକ୍ଷଣକୁ ମଧ୍ୟ ଗୁରୁତ୍ବ ଦିଆଯାଉ ନାହିଁ। ରାଜଧାନୀରେ ମନୋରଂଜନଧର୍ମୀ କାର୍ଯ୍ୟକ୍ରମ ପାଇଁ ରବୀନ୍ଦ୍ର ମଣ୍ଡପ, ଉତ୍କଳ ମଣ୍ଡପ, ଭଂଜ କଳାମଣ୍ଡପ ଭଳି ପ୍ରେକ୍ଷାଳୟ ରହିଛି। ସେହିଭଳି ଜୟଦେବ ଭବନ ପ୍ରେକ୍ଷାଳୟରେ ମଧ୍ୟ ସଂଗୀତ ଓ ସଭା ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ମାତ୍ର ଶୌଚାଳୟର ସ୍ଥିତି ଭଲ ନାହିଁ। ଭଂଜ କଳାମଣ୍ଡପରେ ଲାଗିଥିବା ‌କବାଟ ଅବସ୍ଥା ରୁଗ୍‌ଣ। ଏହା ମଧ୍ୟରେ ପାଇଖାନାଟିଏ ତ ଅଛି, କିନ୍ତୁ ବନ୍ଦ ହୋଇ ରହିଛି। ଲାଗିଥିବା ଖିଡ଼ିକି ଭାଙ୍ଗି ଯାଇଛି। ଶୌଚାଳୟ ପରିସରରେ ବି ଅନ୍ଧାର ରାଜୁତି କରୁଛି। ବେସିନ୍‌ ଓ ଟ୍ୟାପ୍‌ ଲାଗିଛି ସତ, ମାତ୍ର ଅନେକ ଦିନ ହେଲା ସେଥିରେ ପାଣି ଆସୁ ନାହିଁ। ପରିଷ୍କାର ଥିଲେ ହେଁ ଏସବୁ ଅସଜଡ଼ା ସ୍ଥିତିକୁ ସୁଧାରିବାକୁ ଗୁରୁତ୍ବ ଦିଆଯାଉନାହିଁ। ରାଜଧାନୀର ସବୁଠୁ ଅଧିକ ଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ ଉତ୍କଳ ମଣ୍ଡପ ମୁକ୍ତାକାଶ ପ୍ରେକ୍ଷାଳୟ ନିକଟରେ ଥିବା ଶୌଚାଳୟର ବି ସମଦଶା। ଏଠାରେ ଏୟାର ଏକ୍‌ଜିଷ୍ଟିଙ୍ଗ୍‌ ଫ୍ୟାନ୍‌କୁ କେହି କାଢ଼ି ନେଇଯାଇଛି। କିଛି ଲାଇଟ୍‌ ଜଳୁନାହିଁ। ଆଉ କିଛି ପାଇଖାନା ଭିତରେ ପାଣି ହିଁ ଆସୁନାହିଁ। କବାଟଗୁଡ଼ିକ ଖାଲି ନାଁ’କୁ ମାତ୍ର ଝୁଲି ରହିଛି। ଏହା ମଧ୍ୟରେ ଝରକାମାନଙ୍କରେ ଗୁଟ୍‌ଖା ଜରିର ଡମ୍ପିଂ ସୃଷ୍ଟି ହୋଇଛି।

ରବୀନ୍ଦ୍ର ମଣ୍ଡପରେ ପାଇଖାନା ତ ଅଛି, କିନ୍ତୁ ତା’ ଭିତରେ ଟଏଲେଟ୍‌ ସିଟ୍‌କୁ ସଂଯୋଗ ହୋଇଥିବା ପାଇପ୍‌ର ସ୍ବିଚ୍‌ ଟିପିଲେ ପାଣି ଭସ୍‌ଭସ୍‌ ହୋଇ ବାହାରକୁ ବାହାରୁଛି। ଲାଇଟ୍‌ ତ ଲାଗିଛି କିନ୍ତୁ ଅଧିକାଂଶ ଜଳୁନାହିଁ। କୋଉଠି ସ୍ବିଚ୍‌ କାମ କରୁନି ତ କୋଉଠି ସ୍ବିଚ୍‌ ଭାଙ୍ଗି ‌ଓହଳି ପଡ଼ିଛି। ଜୟଦେବ ଭବନ ପ୍ରେକ୍ଷାଳୟ ସଂଲଗ୍ନ ଶୌଚାଳୟ ବି ସେଇ ପୁରୁଣା ବ୍ୟବସ୍ଥାରେ ଚାଲିଛି। ଅତିଥିଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟକୁ ଆଧୁନିକ ଛାପ ଦିଆଯାଇଥିଲେ ହେଁ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟ ଯେମିତି ବାପଛେଉଣ୍ଡ ଭଳି ଅବସ୍ଥା ଭୋଗୁଛି। କୌଣସି ପ୍ରେକ୍ଷାଳୟକୁ ଯାଉଥିବା ଲୋକେ ସେଠାରେ ଅନ୍ୟୁନ ୩ରୁ ୪ ଘଣ୍ଟା ସମୟ ଅତିବାହିତ କରନ୍ତି। ତେଣୁ ଏହି ସମୟ ମଧ୍ୟରେ ଶୌଚାଳୟ ଲୋଡ଼ା ପଡ଼େ। ଏଇ ଦୃଷ୍ଟିରୁ ଶୌଚାଳୟ ତ ଅଛି କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଅନେକ ଶୌଚାଳୟକୁ ପ୍ରବେଶ କରୁଥିଲେ ହେଁ ମୁହଁ ମୋଡ଼ି ଲେଉଟି ଆସୁଛନ୍ତି। ହକି ବିଶ୍ବକପ୍‌ ସମୟରେ କେହି କେହି ଦର୍ଶକ ଏହି ମଣ୍ଡପରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଯିବାକୁ ପସନ୍ଦ କରିବେ। ବିଦେଶୀ ଦର୍ଶକମାନେ ମଧ୍ୟ ‌ସାଂସ୍କୃତିକ ପ୍ରେକ୍ଷାଳୟକୁ ଯିବେ। ଶୌଚାଳୟ ବ୍ୟବହାର କରିବା ବେଳେ ଯଦି ଏଭଳି ସ୍ଥିତି ଦର୍ଶକମାନେ ସାମ୍ନା କରିବେ, ଏହା ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିବ ବୋଲି ‌ବୁଦ୍ଧିଜୀବୀମାନେ କହିଛନ୍ତି। ସ୍ବଚ୍ଛତା ପାଇଁ ଏତେ ଯୋଜନା, ଏତେ ମେସିନ୍‌ ଲାଗୁଛି। ହେଲେ ଶୌଚାଳୟର ଆଧୁନିକତାକୁ ଆଡ଼ କରିଦେବାକୁ ଅନେକ ନାପସନ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର