ନାହିଁ ଭେଣ୍ଡିଂ ଜୋନ୍‌, ହାଟ ପାଳିରେ ରାସ୍ତା ଜାମ୍‌

ଭୁବନେଶ୍ବର: ବିଏମ୍‌ସି ୧୧ନମ୍ବର ୱାର୍ଡ ଅନ୍ତର୍ଗତ ଭିଏସ୍‌ଏସ୍‌ନଗରରେ ଭେଣ୍ଡିଂ ଜୋନ୍‌ ନଥିବାରୁ ହାଟ ପାଳିରେ ମୁଖ୍ୟ ରାସ୍ତାରେ ପ୍ରବଳ ଟ୍ରାଫିକ୍‌ ଜାମ୍‌ ହେଉଛି। ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗିରହିଥିଲେ ବି ସମାଧାନ ହୋଇପାରୁନି। ଫଳରେ ପ୍ରତି ହାଟ ପାଳିରେ ଲୋକେ ବଡ଼ କଲବଲ ହେଉଛନ୍ତି। ସେହିଭଳି ଏହି ୱାର୍ଡରେ ପାନୀୟ ଜଳ, ଡ୍ରେନ୍‌, ରାସ୍ତା ଆଲୋକୀକରଣ ଭଳି ବହୁ ମୌଳିକ ସମସ୍ୟାର ସମାଧାନ ହୋଇପାରିନାହିଁ। ବର୍ଷେ ହେଲା ନୂଆ କର୍ପୋରେଟର ଏହି ଅଞ୍ଚଳର ଦାୟିତ୍ବ ନେବା ପରେ ମାତ୍ର କିଛି ହାତଗଣତି ସମସ୍ୟାର ସମାଧାନ ହୋଇଛି ସିନା ବହୁ ସମସ୍ୟା ଅସମାହିତ ହୋଇରହିଛି।

ଏହି ୱାର୍ଡରେ ୪ଟି ବସ୍ତି ଓ ୧୦ରୁ ଅଧିକ ଛୋଟ ବଡ଼ ଆବାସିକ କଲୋନିରେ ୧୦ ହଜାର ଭୋଟର ଅଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ ସୋମବାର, ବୁଧବାର ଓ ଶୁକ୍ରବାର ହାଟ ପାଳିରେ ଭିଏସ୍‌ଏସ୍‌ ନଗର ମୁଖ୍ୟ ରାସ୍ତାରେ ଭୀଷଣ ଜାମ୍‌ ହେଉଛି। ଉଠାଦୋକାନୀମାନେ ରାସ୍ତାକୁ କବ୍‌ଜା କରିରଖୁଛନ୍ତି। ଟ୍ରକ୍‌, ବସ୍‌, କାର୍‌ ଚଳାଚଳ କଲାବେଳେ ରାସ୍ତାଟି ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ୍‌ ରହୁଛି। ତେଣୁ ହାଟକୁ ପନିପରିବା କିଣିବାକୁ ଆସୁଥିବା ଆଖପାଖର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାର୍କିଂ ବ୍ୟବସ୍ଥା ନଥିବାରୁ ଲୋକମାନେ ବାଧ୍ୟ ହୋଇ ଗାଡ଼ିକୁ ରାସ୍ତାକଡ଼ରେ ରଖୁଛନ୍ତି। ତେଣୁ ଟ୍ରାଫିକ୍ ଜାମ୍‌ ସ୍ଥିତି ବଳେଇପଡ଼ୁଛି। ସେହିଭଳି ସୈନିକ ସ୍କୁଲ ପଛ ପାର୍ଶ୍ବ ଗେଟ୍‌ରୁ ସତ୍‌ସଙ୍ଗ ବିହାର ଏନ୍‌ଏଚ୍‌ ୧୬ ପର୍ଯ୍ୟନ୍ତ ରାସ୍ତାରେ ବହୁ ସ୍ଥାନରେ ପିଚୁ ଉଠିଯାଇଛି।

ଦୁର୍ଗାପୂଜା ପୂର୍ବରୁ ମରାମତି ହୋଇଥିଲା। କିନ୍ତୁ ନିମ୍ନମାନର କାମ ହୋଇଥିବାରୁ ବେଶି ଦିନ ତିଷ୍ଠିଲାନି। ପ୍ରଭୁଜୀ ସ୍କୁଲ ସାମ୍ନାରେ ସ୍ପିଡ଼୍‌ ବ୍ରେକ୍‌ର ନଥିବାରୁ ସେଠାରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି। ଏହି ୱାର୍ଡର ଧିରିକୁଟି, ମହାବୀର, ଗୋଜବାୟାଣୀ ଓ ତ୍ରିନାଥ ବସ୍ତିରେ ପ୍ରାୟ ୮ହଜାର ଲୋକ ବସବାସ କରୁଛନ୍ତି। ବସ୍ତିରେ ରାସ୍ତା, ଡ୍ରେନ୍‌, ପରିମଳ ଓ ଆଲୋକୀକରଣକୁ ନେଇ ଅବ୍ୟବସ୍ଥା ଏବେ ବି ଲାଗି ରହିଛି। ମହାବୀର ବସ୍ତି ପାଖରେ ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ୍‌(ଏମ୍‌ସିସି) ଥିବାରୁ ଲୋକମାନେ ଗନ୍ଧରେ ଅତିଷ୍ଠ ହୋଇଗଲେଣି। ଦୁର୍ଗନ୍ଧ ବନ୍ଦ କରିବାକୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଏମ୍‌ସି ପକ୍ଷରୁ କିଛି ପଦକ୍ଷେପ ନିଆଯାଉନି। ମହାବୀର ବସ୍ତିରେ ପୂର୍ବରୁ ‘ରାଜୀବ ଆବାସ ଯୋଜନା’ରେ ସର୍ଭେ ହୋଇଥିବା ବେଳେ ଏବେ ପୁଣି ‘ଉଷା’ ସର୍ଭେ ହୋଇଛି। ତେଣୁ କାହାକୁ କେଉଁ ଯୋଜନାରେ ଘର ମିଳିବ, ସେନେଇ ବସ୍ତିବାସିନ୍ଦାମାନେ ଦ୍ବନ୍ଦ୍ବରେ ଅଛନ୍ତି। ବଡ଼ କଥା ହେଉଛି, ଏବେ ବି ଏହି ୱାର୍ଡରେ ସକାଳ ସାନ୍ଧ୍ୟ ଭ୍ରମଣ ପାଇଁ ପାର୍କ ନଥିବା ବେଳେ ଗୋଷ୍ଠୀ କେନ୍ଦ୍ର, ଜିମ୍ନାସିୟମ୍‌ଟିଏ ବି ନାହିଁ। ବିଏମ୍‌ସି କଲ୍ୟାଣ ମଣ୍ଡପଟି ଦୀର୍ଘ ଦିନ ହେବ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି।

ନୂଆ କର୍ପୋରେଟର କ୍ଷମତାକୁ ଆସିବା ପରେ ନିର୍ମାଣ ହୋଇଥିବା ଜିଏଲ୍‌ କଲୋନି ରାସ୍ତା ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ରାସ୍ତାରେ ବିଛା ଯାଇଥିବା ପେଭର ବ୍ଲକ୍‌ ଦବି ଗଲାଣି। ଗୋଜବାୟାଣୀ ଓ ଧିରିକୁଟି ଖେଳପଡ଼ିଆର ଉନ୍ନତୀକରଣ ହୋଇପାରିନି। ପାଚେରୀ ଭାଙ୍ଗି ଯାଇଛି। ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାବୟବ ମୂର୍ତ୍ତୀ ପାଇଁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ଏଯାବତ୍‌ ନିର୍ମାଣ ହୋଇପାରିନି। ସେହିଭଳି ମୁକ୍ତା ଯୋଜନାରେ ନିର୍ମାଣ ହୋଇଥିବା ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ମଧ୍ୟ ପୋତି ହୋଇଗଲାଣି। କାମ ବାହାନାରେ ଟଙ୍କା ହଡପ୍‌ କରିବା ପାଇଁ ଏହି ଯୋଜନା ହୋଇଥିବା ଅଭିଯୋଗ ହେଉଛି।

ଜମି ମିଳିଲେ କାମ ଆରମ୍ଭ ହେବ

ବର୍ତ୍ତମାନ ସୁଦ୍ଧା ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ ଏ.ଇ କଲୋନି ଓ ଧିରିକୁଟି ବସ୍ତିରେ ଡ୍ରେନ୍‌ ନିର୍ମାଣ, ଜିଏଲ୍‌ କଲୋନି ରୋଡ୍‌, ଓପନ୍‌ ଜିମ୍‌ ସ୍ଥାପନ ଆଦି କାମ କରାଯାଉଛି। ଅନେକଗୁଡ଼ିଏ କାମ ହାତକୁ ନିଆଯାଇଛି। ୪୪ ଦୋକାନ ବିଶିଷ୍ଟ ଭେଣ୍ଡିଂ ଜୋନ୍‌ ପାଇଁ ପ୍ରସ୍ତାବ ରହିଛି। ଉପଯୁକ୍ତ ଜମି ମିଳିବା ମାତ୍ରେ କାମ ଆରମ୍ଭ ହେବ।
କର୍ପୋରେଟର ପ୍ରଭାସିନୀ ମହାନ୍ତି

ସମ୍ବନ୍ଧିତ ଖବର