ଭୁବନେଶ୍ୱର: ନୋ ଭେଣ୍ଡିଂ ଜୋନ୍। ଅଥଚ ଖୋଲାଖୋଲି ଚାଲିଛି ବେପାର। ରାଜଧାନୀର ପ୍ରମୁଖ ଛକମାନଙ୍କରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। କିନ୍ତୁ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି)ର ଏନ୍ଫୋର୍ସମେଣ୍ଟ ଟିମ୍ ଏମାନଙ୍କ ଦେହରେ ହାତ ମାରୁନାହାନ୍ତି। କଳ୍ପନାରୁ ରାଜମହଲ ଦେଇ ଏଜି ଛକ ପର୍ଯ୍ୟନ୍ତ ରାସ୍ତାରେ ଦୋକାନୀମାନେ ନିୟମ ଭାଙ୍ଗି ନୋ ଭେଣ୍ଡିଂ ଜୋନ୍ ସୂଚନା ଫଳକ ତଳେ ଏଭଳି ବେପାର କରୁଛନ୍ତି। ନୋ ଭେଣ୍ଡିଂ ଜୋନ୍ରେ ବେପାର ଦଣ୍ଡନୀୟ ଅପରାଧ। ଭୁବନେଶ୍ବର ମହାନଗର ନିଗମ ଏମାନଙ୍କୁ ଉଚ୍ଛେଦ ସହ କଡ଼ାଗଣ୍ଡା କରି ଜରିମାନା ଆଦାୟର ବ୍ୟବସ୍ଥା ରହିଛି। କିନ୍ତୁ କାହା ବଳରେ ଏହି ଦୋକାନୀମାନେ ପ୍ରମୁଖ ଛକର ନୋ ଭେଣ୍ଡିଂ ଜୋନ୍ରେ ଦୋକାନ ଖୋଲୁଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ବେନିୟମ କାମକୁ ଦେଖି ବି ବିଏମ୍ସି ଆଖି ବୁଜି ଦେଉଛି ଓ ନିରବତା ଅବଲମ୍ବନ କରୁଛି।
ଭୁବନେଶ୍ବର ମହାନଗର ନିଗମ ସ୍ମାର୍ଟସିଟି ମାନ୍ୟତା ପାଇବା ପରେ ସହରକୁ ବସ୍ତିମୁକ୍ତ କରାଯାଉଛି। ରାସ୍ତାଘାଟରୁ ଜବରଦଖଲ ଉଚ୍ଛେଦ କରି ଉଠାଦୋକାନୀଙ୍କ ପାଇଁ ଭେଣ୍ଡିଂ ଜୋନ୍ର ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି। ପ୍ରମୁଖ ଛକମାନଙ୍କରେ ଗହଳି ଲାଗୁଥିବାରୁ ବେପାର ନିଷେଧ କରାଯାଇଛି। ଏହି ଅଞ୍ଚଳକୁ ନୋ ଭେଣ୍ଡିଂ ଜୋନ୍ ଘୋଷଣା କରାଯାଇଛି। କିନ୍ତୁ କେତେକ ଉଠାଦୋକାନୀ ରାଜନୈତିକ ଛତ୍ରଛାୟା ତଳେ ରହି ଏହାକୁ ମାନିବାକୁ ନାରାଜ। କଳ୍ପନା ଛକ ବସ୍ଷ୍ଟାଣ୍ଡ୍ ପାର୍ଶ୍ବ ରାସ୍ତାକୁ ନୋ ଭେଣ୍ଡିଂ ଜୋନ୍ ଘୋଷଣା କରାଯାଇଛି। ରାସ୍ତାର ଦୁଇପାର୍ଶ୍ବ ପାଥ୍ୱେରେ ନୋ ଭେଣ୍ଡିଂ ଜୋନ୍ ବୋଲି ବଡ଼ ବଡ଼ ସୂଚନା ଫଳକ ଲଗାଯାଇଛି। କିନ୍ତୁ ଏହି ସୂଚନା ଫଳକ ତଳେ ଦୋକାନୀମାନେ କ୍ୟାବିନ୍ ପକାଇ ବେପାର କରୁଛନ୍ତି।
ଏକାଧିକ ଦୋକାନୀ ପାଥ୍ୱେକୁ ମାଡ଼ି ଦୋକାନ ପକାଇଛନ୍ତି। ଚା ଦୋକନଠାରୁ ଆରମ୍ଭ କରି ପାନ, ବିସ୍କୁଟ୍, ଫଳ, ପନିପରିବା ଆଦି ବିକ୍ରି ହେଉଛି। ରାସ୍ତାର ଦୁଇପାର୍ଶ୍ବକୁ ଏମାନେ ମାଡ଼ି ବସିଛନ୍ତି। ଫଳସ୍ବରୂପ ଏଠାରେ ଭିଡ଼ ବଢ଼ିବା ସହ ଟ୍ରାଫିକ୍ ସମସ୍ୟା ଉପୁଜିଛି। ସହରର ପ୍ରବେଶ ପଥ ହୋଇଥିବାରୁ ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣାର ଭୟ ରହୁଛି। ସମାନ ସ୍ଥିତି କଳ୍ପନା ଟ୍ରାଫିକ୍ ଛକରୁ ରାଜମହଲ, ଏଜି ଛକ ପର୍ଯ୍ୟନ୍ତ।ସେହିଭଳି ରାଜମହଲରୁ ଏଜି ପର୍ଯ୍ୟନ୍ତ ଯିବା ରାସ୍ତାର ବାମପାର୍ଶ୍ବରେ ନୋ ପାର୍କିଂ ଓ ନୋ ଭେଣ୍ଡିଂ ଜୋନ୍ରେ ବି ଦୋକାନୀମାନେ ବେପାର କରୁଛନ୍ତି। ତଥାପି ବିଏମ୍ସି ଏନେଇ ଆଖି ବୁଜି ଦେଇଛି। ଏଣୁ ଏହି ଦୋକାନୀମାନେ କ୍ରମେ ରାସ୍ତାକୁ ମାଡ଼ି ଆସିଲେଣି। ଯାହା ଦୁର୍ଘଟଣାର ଆଶଙ୍କାକୁ ବଢ଼ାଇ ଦେଇଛି। ଦୈନିକ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଛି। ବିଏମ୍ସି ଡେପୁଟି କମିସନର୍ ରୁବି ବେହେରା କହିଛନ୍ତି, ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ। ଅନ୍ୟପକ୍ଷରେ ଏହା ଦେଖିବାକୁ ଜୋନାଲ୍ କମିସନର୍ ବି ରହିଛନ୍ତି ବୋଲି ସେ କହିଛନ୍ତି।