ବାଲିଅନ୍ତା: କୁଆଖାଇରୁ ବାହାରିଥିବା କୁଶଭଦ୍ରା ନଦୀ ଏଣିକି ଚିରସ୍ରୋତା ହେବ। ନଭେମ୍ବରରୁ ଜୁନ୍ ପର୍ଯ୍ୟନ୍ତ ୮ମାସ ଶୁଖି ଯାଉଥିବା ଏହି ନଦୀକୁ ଚିରସ୍ରୋତା କରିବା ପାଇଁ ବାଲିଅନ୍ତାସ୍ଥିତ କେନାଲ ସବ୍ଡିଭିଜନ ପକ୍ଷରୁ ଏହାର ଉପରମୁଣ୍ଡରେ ବାଲି ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାୟ ୪କିମି ପର୍ଯ୍ୟନ୍ତ ଏହାର ଉତ୍ପତି ସ୍ଥଳରୁ ଖୋଳା ହେବ। ଏବେ ୧୨୦୦ମିଟର ଖୋଳା ଯାଇଥିବା ବେଳେ ଏହାଦ୍ବାରା ନଦୀରେ କିପରି ପାଣି ରହୁଛି ଦେଖାଯିବ। ଏହାପରେ ଏହି ପ୍ରକଳ୍ପକୁ ଚୂଡ଼ାନ୍ତ ରୂପ ଦିଆଯିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି।
କୁଶଭଦ୍ରାରେ ଆଉ ପୂର୍ବଭଳି ପାଣି ଚାଲୁନି। କୁଆଖାଇରୁ ଯେଉଁଠି ଏହି ନଦୀ ବାହାରିଛି, ସେଠାରେ ବାଲିଚର ମାଡ଼ି ଯାଇଥିବାରୁ କୁଆଖାଇ ପାର୍ଶ୍ବ ଉଚ୍ଚା ହୋଇଯାଇଛି। ତେଣୁ କୁଆଖାଇ ପାଣି କୁଶଭଦ୍ରାକୁ ଆସୁନି। ଫଳରେ କୁଶଭଦ୍ରା ନଦୀ ନୁହେଁ, ନାଳ ପାଲଟି ଯାଇଛି। କୁଶଭଦ୍ରା ବାଲିଅନ୍ତା, ନିମାପଡ଼ା, ଗୋପ ହୋଇ ରାମଚଣ୍ଡୀ ନିକଟରେ ବଙ୍ଗୋପସାଗରରେ ପଡ଼ିଛି। ହେଲେ ଏହି ନଦୀରେ ବନ୍ୟା ନଆସିଲେ ବର୍ଷ ବର୍ଷ ଧରି ପାଣି ରହୁ ନଥିବାରୁ ନଦୀ ଭିତରେ ଦଳ ମାଡ଼ି ଗଲାଣି। ବାଲି ମାଫିଆମାନେ ନଈ ଭିତରୁ ତାଡ଼ି ବାଲି ନେଇଯାଉଛନ୍ତି। କୁଶଭଦ୍ରା କୂଳରେ ଶହଶହ ଗାଁ ଥିବା ବେଳେ ବହୁ ଚାଷ ଜମି ଅଛି। ହେଲେ ନଦୀରେ ପାଣି ରହୁ ନଥିବାରୁ ଚାଷ ଜମି ପଡ଼ିଆ ପଡ଼ୁଛି। କେବଳ ଏତିକି ନୁହେଁ, କେତେକ ସ୍ଥାନରେ ପାଣି ଜମି ରହୁଥିବାରୁ ଏହା ପ୍ରଦୂଷିତ ହେଉଛି। ଏହାକୁ ବ୍ୟବହାର କରି ନଦୀକୂଳିଆ ଲୋକମାନେ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ତେଣୁ କୁଶଭଦ୍ରାକୁ ଚିରସ୍ରୋତା କରିବାକୁ ଜଳସମ୍ପଦ ବିଭାଗ ଏବେ ଉଦ୍ୟମ ଆରମ୍ଭ କରିଛି।
କେନାଲ ସବ୍ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଭୀମସେନ୍ ବେହେରା କହିଛନ୍ତି, କୁଶଭଦ୍ରା ସ୍ଥିତି ଏପରି ହୋଇଛି ଯେ ବର୍ଷା ଦିନେ ବି ଏଥିରେ ପାଣି ରହୁନି। ତେଣୁ କୁଆଖାଇ ପାଣି ଯେପରି କୁଶଭଦ୍ରାକୁ ଯିବ, ସେଥିପାଇଁ ରିଭର ଚ୍ୟାନେଲ୍ ନାମକ ଏକ ପ୍ରକଳ୍ପ ଆରମ୍ଭ ହୋଇଛି। ଏଥିରେ କୁଶଭଦ୍ରା ଭିତରେ କେନାଲ ଭଳି ଖୋଳା ଯାଇଛି। ୩୦ଫୁଟ ଓସାର ଏବଂ ୨ମିଟର ଗଭୀରରେ ଏହି କେନାଲ ଖୋଳାଯାଇଛି। ପାଣି ଯେପରି ଦୂର ପର୍ଯ୍ୟନ୍ତ ବହିବ, ସେଥିପାଇଁ ଦୁଇ କଡ଼ରେ ବନ୍ଧ ବି କରାଯାଇଛି। ଏବେ ପ୍ରଥମ ପର୍ଯ୍ୟାୟରେ ନିକୁଞ୍ଜବିହାରୀ ମନ୍ଦିରଠାରୁ ୧୨୦୦ ମିଟର ପର୍ଯ୍ୟନ୍ତ ନଦୀଶଯ୍ୟା ଖନନ ହୋଇଛି। ଯଦି କୁଶଭଦ୍ରାରେ ଏଭଳି ଉପାୟରେ ଜଳସ୍ରୋତ ପ୍ରବାହିତ ହେବା ସଫଳ ହୁଏ, ତା’ ହେଲେ ଆଗାମୀ ଦିନରେ ଭିଙ୍ଗାରପୁର ପର୍ଯ୍ୟନ୍ତ ପ୍ରାୟ ୪ କିମି ପର୍ଯ୍ୟନ୍ତ ନଦୀଶଯ୍ୟା ଖୋଳାଯିବ। ଅପରପକ୍ଷେ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ନଦୀଶଯ୍ୟା ଖନନ ଆଳରେ ଠିକାଦାର ଓ ଅଧିକାରୀମାନଙ୍କ ହାତ ଚିକ୍କଣ ହେବ। କିନ୍ତୁ ଲୋକମାନଙ୍କର ହିତରେ ଏହା ଆସିବ ନାହିଁ।
ସୂଚନାଯୋଗ୍ୟ, କୁଆଖାଇରେ ପାଣି ନଥିବାରୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବାଲିବନ୍ଧ କରି ପାଣି ଅଟକା ଯାଉଛି। ଜମା ହେଉଥିବା ପାଣିରୁ ସାରା ରାଜଧାନୀକୁ ପାଣି ଯୋଗାଣ ହେଉଛି। ଏବେ କୁଶଭଦ୍ରାରେ ଯେଉଁଠି କେନାଲ ଭଳି ଖୋଳା ଯାଇଛି, ତାହାର କିଛି ମିଟର ପୂର୍ବରୁ କୁଆଖାଇରେ ବାଲିବନ୍ଧ ହୋଇଛି। ତେଣୁ କୁଆଖାଇରୁ ପାଣି ଆସିଲେ ସିନା କୁଶଭଦ୍ରାରେ ପାଣି ଚାଲିବ। କେବଳ ଏତିକି ନୁହେଁ, କୁଆଖାଇ ଯେଉଁଠି କାଠଯୋଡ଼ିରୁ ବାହାରିଛି, ସେଠାରେ ବି କୁଶଭଦ୍ରା ଭଳି ସ୍ଥିତି। କୁଆଖାଇର ଉତ୍ପତ୍ତିସ୍ଥଳରେ ବାଲିଚର ହୋଇଯାଇଥିବାରୁ କାଠଯୋଡ଼ି ପାଣି କୁଆଖାଇକୁ ଆସୁନି। କୁଆଖାଇରେ ପାଣି ବହିବା ପାଇଁ ପୁରୀ କେନାଲରୁ ପାଣି ଛଡ଼ାଯାଉଛି। ଏପରିସ୍ଥଳେ ଦାବି ହେଉଛି ଯେ କୁଆଖାଇକୁ ଚିରସ୍ରୋତା କଲେ ଯାଇ କୁଶଭଦ୍ରା, ଭାର୍ଗବୀ ଓ ଦୟା ଚିରସ୍ରୋତା ହେବ।