ବିଜୁଳି ନାହିଁ, ପାଣି ନାହିଁ: ବଢ଼ୁଛି ଲୋକଙ୍କ ଦୁର୍ଦଶା

ବାଲିଅନ୍ତା : ବାତ୍ୟାକୁ ୬ଦିନ ପରେ ଏବେ ବାଲିଅନ୍ତା ଅଞ୍ଚଳରେ ପ୍ରଶାସନ ପକ୍ଷରୁ ରିଲିଫ ଯୋଗାଣ କାର୍ଯ୍ୟ ଚାଲିଛି। ବିଡିଓଙ୍କ ପ୍ରକୋଷ୍ଠରେ ସଚିବଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଉଚ୍ଚପଦସ୍ଥ ଅଧିକାରୀ ଘନଘନ ବୈଠକ କରୁଛନ୍ତି। ରିଲିଫ ସାମଗ୍ରୀ କିପରି ବିପନ୍ନଙ୍କ ନିକଟରେ ପହଞ୍ଚିବ ସେ ନେଇ ଆଲୋଚନା କରୁଛନ୍ତି। ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧିମାନେ ମଧ୍ୟ ବୈଠକରେ ସାମିଲ ହେଉଛନ୍ତି। ହେଲେ ଅତ୍ୟାବଶ୍ୟକ ବିଜୁଳି ଓ ପାନୀୟ ଜଳ ଯୋଗାଣ କିପରି ଲୋକଙ୍କୁ ଶୀଘ୍ର ଯୋଗାଇ ଦିଆଯିବ ସେଥିପ୍ରତି କାହାର ନଜର ନାହିଁ।

ବାତ୍ୟା ପରେ କୂଅ, ପୋଖରୀ ଜଳ ପ୍ରଦୂଷିତ ହୋଇଯିବା ପରେ ଲୋକଙ୍କ ଦୁର୍ଦ୍ଦଶା ଅଧିକ ବଢ଼ି ଯାଇଛି। ବିଦ୍ୟୁତ୍‌ ନଥିବାରୁ ପାଣି ସମସ୍ୟା ଉତ୍କଟ ହୋଇଛି। ୧୬ଟି ଯାକ ପଞ୍ଚାୟତରେ ପାଇପ୍‌ ଲାଇନ ପ୍ରକଳ୍ପ ଅଚଳ ହୋଇପଡ଼ିଛି। ବିଶୁଦ୍ଧ ପିଇବା ପାଣି ନ ପାଇ ଲୋକମାନେ ଝାଡ଼ାବାନ୍ତି ସମେତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଭଳି ସ୍ଥିତିରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବିଦ୍ୟୁତ୍‌ ସମସ୍ୟା ସୁଧାରିବା ଦିଗ‌ରେ ପ୍ରଶାସନ ଦୃଷ୍ଟି ଦେବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ହେଲେ ବିଦ୍ୟୁତ୍‌ ଯୋଗାଣ କାର୍ଯ୍ୟର ପୁନରୁଦ୍ଧାର ଦିଗରେ ଏଯାଏ କାର୍ଯ୍ୟ ଆରମ୍ଭ ହୋଇପାରିନି। ବାଲିଅନ୍ତା ଓ ବାଲିପାଟଣାରେ ଥିବା ବିଦ୍ୟୁତ୍‌ ଷ୍ଟ୍ରକଚର ଏବଂ ଏହା ଅଧୀନରେ ଥିବା ୩୩ କେଭି, ୧୧ କେଭି ଓ ଏଲ୍‌ଟି ଲାଇନ ତାର ଗଛପଡ଼ି ଛିଣ୍ଡିଯାଇଛି। ଶତାଧିକ ଟ୍ରାନ୍ସଫରମର ମାଟିରେ ଗଡ଼ୁଛି। ଫଳରେ ବ୍ୟାଙ୍କ ଓ ଏଟିଏମ ସେବା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଟଙ୍କା ଉଠାଇବାକୁ ଲୋକମାନଙ୍କୁ ଭୁବନେଶ୍ବର ଆସିବାକୁ ପଡ଼ୁଛି। ଏହାଛଡ଼ା ଜନଜୀବନ ମଧ୍ୟ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି।

ସମ୍ବନ୍ଧିତ ଖବର