ମହାବାତ୍ୟା ଅମ୍ଫାନ୍‌ ଯୋଗୁଁ ରାଜଧାନୀରେ ଜଳ ଯୋଗାଣ ବାଧାପ୍ରାପ୍ତ ହେବନି, ୧୩୦ଡିଜି ସେଟ୍‌, ୮୦ ଟ୍ୟାଙ୍କର ପ୍ରସ୍ତୁତ

ଡ୍ରେନ୍ ସଫା କଲେ, ଅଳିଆ ଛାଡ଼ି ପଳାଇଲେ

ଭୁବନେଶ୍ବର : ମହାବାତ୍ୟା ଅମ୍ଫାନ୍‌ ଯୋଗୁଁ ରାଜଧାନୀରେ ଯଦି ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୁଏ, ତେବେ ବି ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେବନି। ଅନ୍ୟ ଦିନମାନଙ୍କରେ ଯେପରି ଯେଉଁ ଯେଉଁ ଅଞ୍ଚଳକୁ ପାଣି ଯୋଗାଣ ହେଉଛି, ବାତ୍ୟା ସମୟରେ ଓ ପରେ ବି ସେହିପରି ପାଣି ଯୋଗାଣ ହେବ। ଏନେଇ ୱାଟ୍‌କୋ ପକ୍ଷରୁ ଜୋରଦାର୍‌ ପ୍ରସ୍ତୁତି ହୋଇଛି।

ୱାଟ୍‌କୋରୁ ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀର ତିନିଟି ଜଳବିଶୋଧନାଗାର ମୁଣ୍ଡଳୀ, ଭୁଆସୁଣି ଓ ପଳାସୁଣିରେ ସ୍ଥାୟୀ ଡିଜି ସେଟ୍‌ ବ୍ୟବସ୍ଥା କରାଯାଇଛି। ସେଠାରୁ ରାଜଧାନୀର ବିଭିନ୍ନ ପମ୍ପ୍‌ ହାଉସ୍‌କୁ ପାଣି ଯୋଗାଣ ହେବ। ସବୁ ପମ୍ପ୍‌ ହାଉସ୍‌ରୁ ଯେପରି ବିନା ବାଧାରେ ପାଣି ଯୋଗାଣ ହେବ, ସେଥିପାଇଁ ୧୩୦ଟି ଡିଜି ସେଟ୍ ନିୟୋଜିତ କରାଯାଇଛି। ଏଥିରେ ବିଭିନ୍ନ ସ୍ଥାନକୁ ଯାଇ ପମ୍ପ୍‌ ଚଲାଇବାକୁ ମୋବାଇଲ୍‌ ଡିଜି ସେଟ୍‌ ବ୍ୟବସ୍ଥା ହୋଇଛି। କେଉଁ ଡିଜି ସେଟ୍‌ କେଉଁଠି ରହିବ, ସେଠାରେ ଆଜି ରାତି ସୁଦ୍ଧା ରଖି ଦିଆଯାଇଛି। ସେହିପରି ଯଦି କୌଣସି ଅଞ୍ଚଳରେ ପିଇବା ପାଣି ସମସ୍ୟା ହୁଏ ବା ଯେଉଁଠି ପାଣି ପାଇପ୍ ପଡ଼ିନି, ସେହି ଅଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ୮୦ଟି ପାଣି ଟ୍ୟାଙ୍କର ରଖାଯାଇଛି। କଣ୍ଟ୍ରୋଲ ରୁମ୍‌କୁ ଲୋକଙ୍କ ଅଭିଯୋଗ ଆସିଲେ ତୁରନ୍ତ ପାଣି ଯୋଗାଇବା ବ୍ୟବସ୍ଥା କରାଯିବ।ତିନିଟି ଯାକ ଜଳ ବିଶୋଧନାଗାରରେ ଅଧିକାରୀ ଓ କର୍ମଚାରୀଙ୍କୁ ଆଜିଠାରୁ ସଜାଗ କରି ରଖାଯାଇଛି।

ଡ୍ରେନ୍ ସଫା କଲେ, ଅଳିଆ ଛାଡ଼ି ପଳାଇଲେ
ଭୁବନେଶ୍ବର : ମୌସୁମି ବର୍ଷାରେ ଯେପରି ରାଜଧାନୀରେ ଜଳବନ୍ଦୀ ସମସ୍ୟା ନ ହେବ, ସେଥିପାଇଁ ବିଏମ୍‌ସି, ପୂର୍ତ୍ତ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଜୋରଦାର୍‌ ଡ୍ରେନ୍‌ ସଫେଇ ଆରମ୍ଭ କରିଥିଲେ। ମହାବାତ୍ୟା ଅମ୍ଫାନ୍‌ ଆସୁଥିବାରୁ ଏହି ଡ୍ରେନ୍‌ ସଫେଇ ଟିକେ ଜୋରଦାର୍‌ ହୋଇଥିଲା। ହେଲେ ଡ୍ରେନ୍‌ ସଫେଇ କରିବା ଭିତରେ ଡ୍ରେନ୍‌ରୁ ବାହାରୁଥିବା ଅଳିଆକୁ ଅନ୍ୟତ୍ର ଉଠାଇ ନେବାକୁ ଭୁଲି ଯାଇଛନ୍ତି। ଡ୍ରେନ୍‌ ପାର୍ଶ୍ବରେ ଆବର୍ଜନା ସେହିପରି ପଡ଼ି ରହିଛି। ଫଳରେ ମଙ୍ଗଳବାରଠାରୁ ବର୍ଷା ହେଲେ ଡ୍ରେନ୍‌ରୁ ବାହାରିଥିବା ଅଳିଆ ପୁଣି ଡ୍ରେନ୍‌ରେ ପଶିବ। ପୁଣି ଡ୍ରେନ୍‌ ଜାମ୍‌ ହେବା ଥୟ।

ବିଏମ୍‌ସି ଡ୍ରେନ୍‌ଗୁଡ଼ିକୁ ତିନିଟି ସଫେଇ ସଂସ୍ଥା‌ ସଫା କରୁଥିବା ବେଳେ ସେମାନଙ୍କ ଗାଡ଼ି ଆସି ଅଳିଆ ଉଠାଇ ନେଉଥିଲା। ପୂର୍ତ୍ତ ବିଭାଗ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଡ୍ରେନ୍‌ଗୁଡ଼ିକ ଯେଉଁ ଠିକାସଂସ୍ଥା ସଫା କରୁଥିଲେ ସେମାନେ କିଛି କିଛି ସ୍ଥାନରେ ଉଠାଉ ଥିଲେ। ଏପରିକି ପୂର୍ବାହ୍ନରେ ଡ୍ରେନ୍‌ ସଫା ହେଉଥିବା ବେଳେ ଅପରାହ୍ନରେ ଅଳିଆ ଉଠୁଥିଲା। କିନ୍ତୁ ତାହା ଅନେକ ସମୟରେ କାର୍ଯ୍ୟକାରୀ ହେଲା ନାହିଁ। କେତେକ ଅଞ୍ଚଳରେ ଡ୍ରେନ୍‌ ସଫା କରିବା ପରେ ସେହି ଅଳିଆକୁ ଡ୍ରେନ୍‌ କଡ଼ରେ ଛାଡ଼ି ଠିକା ସଂସ୍ଥା ପଳାଇଛନ୍ତି। ଫଳରେ ମଙ୍ଗଳବାର ସକାଳୁ ଯଦି ବର୍ଷା ହୁଏ, ଏହି ଅଳିଆ ପୁଣି ଡ୍ରେନ୍‌ରେ ପଶିବ ଏବଂ ପୁଣି ଡ୍ରେନ୍‌ ଜାମ୍‌ ପରିସ୍ଥିତି ସୃଷ୍ଟି ହେବ।

ସମ୍ବନ୍ଧିତ ଖବର