କିସ୍‌ରେ ନୋବେଲ୍‍ ବିଜେତା ପ୍ରଫେସର କାହାନ୍‍, ‘ବର୍ତ୍ତମାନ ପିଢ଼ି ହାତରେ ଭବିଷ୍ୟତର ମାନବଜୀବନ’

ଭୁବନେଶ୍ୱର: ବର୍ତ୍ତମାନର ପିଢ଼ି ହେଉଛି ଏକମାତ୍ର ପିଢ଼ି ଯାହା ପାଖରେ ସଂପୂର୍ଣ୍ଣ ପରିବର୍ତ୍ତନର ଦକ୍ଷତା ରହିଛି। ଏହି ପିଢ଼ି ହାତରେ ସମସ୍ତ ମାନବ ଜାତିକୁ ପାନୀୟ ଜଳ, ବିଶ୍ୱର ସବୁ ଶିଶୁଙ୍କୁ ଉତ୍ତମ ପ୍ରାଥମିକ ଚିକିତ୍ସା, ଖାଦ୍ୟ ଓ ପ୍ରାଥମିକ ଶିକ୍ଷା ଯୋଗାଇ ଦେବାର ଦକ୍ଷତା ରହିଛି। ଏପରି ମତ ଦେଇଛନ୍ତି ନୋବେଲ୍‍ ଶାନ୍ତି ପୁରସ୍କାର ତଥା ୱାର୍ଲଡ ଆକାଡେମି ଅଫ୍‍ ଆର୍ଟ ଆଣ୍ଡ କଲ୍‍ଚର (ୱାକ୍‍)ର ବରିଷ୍ଠ ଉପସଭାପତି ପ୍ରଫେସର ଅର୍ନଷ୍ଟ କାହାନ। ଗୁରୁବାର କିଟ୍‌ ଓ କିସ୍‌ ପରିଦର୍ଶନରେ ଆସି କିସ୍‌ର ୨୭ହଜାର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ପ୍ରଫେସର କାହାନ ଏପରି ମତ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଥିଲେ, ପ୍ରତିଦିନ ବିଶ୍ୱରେ ଖାଦ୍ୟ, ପାନୀୟ ଜଳ ଓ ସ୍ୱାସ୍ଥ୍ୟସେବା ଅଭାବରୁ ୨୪ହଜାର ଶିଶୁ ପ୍ରାଣ ହରାଉଛନ୍ତି। ପ୍ରତି ୩ ସେକେଣ୍ଡରେ ଜଣେ ଲେଖାଏଁ ଶିଶୁ ମୃତ୍ୟୁ ବରଣ କରୁଛନ୍ତି। ତେଣୁ ଭବିଷ୍ୟତ ମାନବ ଜୀବନ ବର୍ତ୍ତମାନର ପିଢ଼ି ହାତରେ। ସେମାନେ ଚାହିଲେ ଭବିଷ୍ୟତ ମାନବ ଜୀବନ ତିଷ୍ଠି ରହିବ ବୋଲି ପ୍ରଫେସର କାହାନ କହିଥିଲେ। ପ୍ରଫେସର କାହାନ୍‌ଙ୍କ ସହ ବ୍ରିଟେନ୍‍ ଜୁଡିସିଆଲ୍‍ ଆପଏଣ୍ଟମେଣ୍ଟ କମିସନ୍‌ର ଚେୟାରପର୍ସନ ରୋଟାରିଆନ୍‍ ବାରୋନେସ୍‍ ଉଷା କୁମାରୀ ପ୍ରାସର, ସୁଇଜରଲାଣ୍ଡ ସାଂସଦ ନିକଲାଉସ ସାମୁଏଲ୍‍ ଗଗର୍‍, ବିଶିଷ୍ଟ ସିନେ ଅଭିନେତା, ନିର୍ଦ୍ଦେଶକ ତଥା ପ୍ରଯୋଜକ କବିର ବେଦୀ, ଭାରତରେ ଅବସ୍ଥାପିତ ବ୍ରିଟିସ୍‌ କାଉନ୍‍ସିଲ୍‍ର ନିର୍ଦ୍ଦେଶକ ଆଲାନ ଗେମେଲ୍‍ ପ୍ରମୁଖ କିଟ୍‍ ଓ କିସ୍‍ ପରିଦର୍ଶନରେ ଆସିଥିଲେ।

ଏହି ଅବସରରେ ସୁଇସ୍‌ ସାଂସଦ ନିକୋଲାଉସ୍‌ ସାମୁଏଲ୍‌ କହିଲେ, ବିଶ୍ୱର ସବୁ ସ୍ଥାନରେ ଓ ସବୁ ଦେଶରେ ଅବହେଳିତ ଓ ନିଷ୍ପେଷିତ ଶିଶୁ ରହିଛନ୍ତି। ଏପରି ଅନେକ ଶିଶୁ ସୁଇଜରଲାଣ୍ଡରେ ମଧ୍ୟ ଅଛନ୍ତି। ସେ କହିଲେ, ଏହି ଶିଶୁମାନଙ୍କଠାରେ ଦକ୍ଷତା ଏବଂ ମେଧାଶକ୍ତି ଥିଲେ ମଧ୍ୟ ଆବଶ୍ୟକ ସୁଯୋଗରୁ ସେମାନେ ବଞ୍ଚିତ। କିସ୍‍ରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ନିଜକୁ ଧନ୍ୟ ମନେ କରିବା ଉଚିତ। କାରଣ ସେମାନଙ୍କୁ ଏଠାରେ ଏକ ବଡ଼ ସୁଯୋଗ ଯୋଗାଇ ଦିଆଯାଇଛି। ସେହିପରି ଅନ୍ୟତମ ଅତିଥି ଉଷା କୁମାରୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ, ସବୁବେଳେ ସକାରାତ୍ମକ ଚିନ୍ତା କର ଏବଂ କେବେ ବି ନିଜର ମୂଳ ସଂସ୍କୃତିକୁ ଭୁଲିଯିବା ଉଚିତ ନୁହେଁ। କବିର ବେଦୀ ନିଜ ଅଭିଭାଷଣରେ କହିଲେ, ଭାରତର ସମାଜସେବା ଇତିହାସରେ କିସ୍‍ ହେଉଛି ଏକ ଉଜ୍ଜ୍ୱଳତମ ସ୍ତମ୍ଭ। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏଠାରେ ଯାହା କରିଛନ୍ତି, ତାହା ଏକ ଚମତ୍କାର ବୋଲି ସେ କହିଥିଲେ। ଗାମେଲ୍‍ କହିଲେ, ଶିକ୍ଷା ଦିଗରେ ଶ୍ରୀ ସାମନ୍ତ ଅବହେଳିତ ଓ ନିଷ୍ପେଷିତ ଶିଶୁମାନଙ୍କ ଶିକ୍ଷା ପାଇଁ ଯାହା କରୁଛନ୍ତି, ତାହା ସମଗ୍ର ବିଶ୍ୱବାସୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ଓ କିସ୍‍ ସଂପାଦକ ଆର.ଏନ୍‍ ଦାଶ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ବେଦ ପ୍ରକାଶ, କିସ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, କିସ୍‍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

୧୦ରେ କିଟ୍ ବିଶ୍ୱବିଦ୍ୟାଳୟର ଚତୁର୍ଦ୍ଦଶ ସମାବର୍ତ୍ତନ ଉତ୍ସବ
ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟର ଚତୁର୍ଦ୍ଦଶ ସମାବର୍ତ୍ତନ ଉତ୍ସବ ଆସନ୍ତା ୧୦ ତାରିଖ (ଶନିବାର) କିଟ୍‍ ପରିସରରେ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଓ ନୋବେଲ୍ ଶାନ୍ତି ପୁରସ୍କାର ବିଜେତା ତଥା ୱାର୍ଲ୍ଡ ଏକାଡେମି ଅଫ୍ ଆର୍ଟସ୍ ଆଣ୍ଡ କଲଚର୍‌ର ବରିଷ୍ଠ ଉପସଭାପତି ପ୍ରଫେସର ଡ. ଅର୍ନଷ୍ଟ କାହାନ୍‌ ମୁଖ୍ୟବକ୍ତା ଭାବେ ଯୋଗଦେବେ। ଉତ୍ସବରେ ପ୍ରଫେସର୍‌ ଡ. କାହାନଙ୍କ ସମେତ ସମାଜର ବିଭିନ୍ନ କ୍ଷେତ୍ରରେ ୬ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରି ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର