କୋଳାହଳ ହେବନି ଝଲସିବ ଦୀପାବଳି

ଭୁବନେଶ୍ବର: ଆଲୋକର ପର୍ବ ଦୀପାବଳି ବି ଏଥର କରୋନା କଟକଣାରୁ ମୁକୁଳିପାରିନାହିଁ। ସବୁ ପ୍ରକାର ବାଣ ଫୁଟାଇବାକୁ ମନା। କେବଳ ସବୁଜ ବାଣ ଫୁଟାଇ ଲୋକେ ଦୀପାବଳି ପାଳିବେ। ତେବେ ବାଣଫୁଟା ଭଳି କୋଳାହଳରେ କଟକଣା ଲାଗୁ ହୋଇଛି ସିନା ରଙ୍ଗିନ୍‌ ଆଲୋକ ବ୍ୟବହାର ଉପରେ କଟକଣା ନାହିଁ। ତେଣୁ ଘରଠାରୁ ବ୍ୟାବସାୟିକ ପ୍ରତିଷ୍ଠାନ ସବୁ କିଛି ଆକର୍ଷଣୀୟ ଢଙ୍ଗରେ ସଜେଇ ହେବ। ଘର ଅଗଣା ରଙ୍ଗୋଲିରେ ଚିତ୍ରିତ ହେବ। ଘରର ସମସ୍ତ ସଦସ୍ୟ ମିଳିତ ଭାବେ ଏହି ପର୍ବକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିପାରିବେ। ଦିବଂଗତ ଆତ୍ମାଙ୍କ ସ୍ମରଣ କରିବା ସହତ ମହାଲକ୍ଷ୍ମୀଙ୍କ ନିକଟରେ ପରିବାରର ମଙ୍ଗଳ କାମନା କରିବେ। ତେଣୁ କୋଳାହଳ ନ ହେଲେ ମଧ୍ୟ ପରମ୍ପରା ବିଧି ପାଳନ କରି ଲୋକେ ଆନନ୍ଦ ଉଲ୍ଲାସରେ ଦୀପାବଳି ପାଳନ କରିବେ। ତେଣୁ ଏଥର ଘରେ ଘରେ ଲୋକେ ଉତ୍ସବ ପାଳନ କରିବେ। କଟକଣା ମଧ୍ୟରେ କିଏ, କେମିତି ପାଳନ କରୁଛନ୍ତି ଦୀପାବଳି, ଏହାକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା।

ପ୍ରଥମଥର ଶାଶୁ ଘରେ ଦୀପାବଳି ପାଳିବି
ମୋ ପାଇଁ ଦୀପାବଳିରେ କୋଭିଡ୍‌ ଏତେ ଅସୁବିଧା କରିବନାହିଁ। ମୁଁ ପ୍ରତିଥର ଘରେ ଦୀପାବଳି ପାଳନ କରେ। ଘରେ ପରିବାର ଲୋକଙ୍କ ସହିତ ମିଠା ଓ ପିଠା ଖାଇ ଦୀପାବଳି ମନେଇବାକୁ ମତେ ବହୁତ ଖୁସି ଲାଗେ। ଚଳିତ ବର୍ଷ ନୂଆ ପରିବାରରେ ଶାଶୁ ଘରେ ଦୀପାବଳି ପାଳିବାକୁ ଯାଉଥିବାରୁ ମୁଁ ଖୁବ୍ ଉତ୍ସାହିତ। ଓଡ଼ିଶାବାସୀଙ୍କୁ ମୋର ଅନୁରୋଧ ସେମାନେ ଘରେ ରୁହନ୍ତୁ ଓ ପରିବାର ସହିତ ଦୀପାବଳି ପାଲନ କରନ୍ତୁ।
ଅର୍ଚ୍ଚିତା ସାହୁ, ଅଭିନେତ୍ରୀ

ରଙ୍ଗୋଲି ଓ ଘର ସଜେଇବୁ, ବଡ଼ବଡ଼ୁଆ ଡାକିବୁ
ପ୍ରତିବର୍ଷ ମୁଁ ମୋ ପିଲା ଓ ପରିବାର ସହିତ ଦୀପାବଳି ମନାଏ। ଚଳିତ ବର୍ଷ ମଧ୍ୟ ଏଥିପାଇଁ ସବୁ ପୂର୍ବ ପ୍ରସ୍ତୁତି ଶେଷ ହୋଇସାରିଛି। ଘର ପାଇଁ ବିଭିନ୍ନ ରଙ୍ଗର ରଙ୍ଗୋଲି, ଲିଚୁ ଲାଇଟ୍, ଦୀପ ସହିତ ସାଜସଜ୍ଜା ଓ ପୂଜା ସାମଗ୍ରୀ ମଙ୍ଗଳବାରଠାରୁ କିଣା ସରିଛି। ଦୀପାବଳିରେ ନୂଆ ବସ୍ତ୍ର ପିନ୍ଧି ବଡ଼ବଡ଼ୁଆଙ୍କୁ ଡାକି ପୂଜା କରିବାକୁ ଯୋଜନା ରହିଛି।
ଶ୍ରୀତମ ଦାସ, ଅଭିନେତା

ବାଣ ଶବ୍ଦରେ ଜୀବଜନ୍ତୁ ହଇରାଣ ହୁଅନ୍ତି
ମୁଁ ଜଣେ ପଶୁପ୍ରେମୀ। ନିଜର ଗୋଟିଏ କୁନି କୁକୁର ଅଛି। ସେ ବାଣ ଶବ୍ଦ ଦ୍ୱାର ବହୁତ ବ୍ୟତିବ୍ୟସ୍ତ ହୁଏ ଓ ଡରିଯାଏ। ତେଣୁ ଏହିପରି ବାହାରେ ବୁଲୁଥିବା ଅନେକ ଜୀବଜନ୍ତୁ ବାଣ ଶବ୍ଦରେ ଡରି ଯାଉଥିବେ ଓ ସେମାନଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡ଼େ। ସେଥିପାଇଁ ମୁଁ ଗତ ୧୦ ବର୍ଷ ହେବ ବାଣ ଫୁଟାଇ ନାହିଁ। ଓଡ଼ିଶାବାସୀ ଘର ପରିବାର ସହିତ ସମୟ ଅତିବାହିତ କରନ୍ତୁ। ବିନା ବାଣରେ ଦୀପାବଳି ମନାଇବାକୁ ଅନୁରୋଧ।
ଅଭିଷେକ ରଥ, ଅଭିନେତା

ବଜାରରେ ସବୁଜ ବାଣ ନାହିଁ
ବର୍ତମାନ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ଗ୍ରିନ୍‌ ବା ସବୁଜ ବାଣ ଫୁଟାଇ ହେବ। ହେଲେ ତାହା ମତେ ମିଳିନାହିଁ। ନ ମିଳିଲେ ମଧ୍ୟ ଝୁର୍‌ଝୁରି ସୁନ୍ଦର ସୁନ୍ଦର ମୁରୁଜ ପକାଇ ମୁଁ ମୋ ଦୀପାବଳି ପାଳିବି। ଓଡ଼ିଶାବାସୀଙ୍କୁ ମଧ୍ୟ ଅନୁରୋଧ ସେମାନେ ଘରେ ରୁହନ୍ତୁ ଓ ଦୀପ ଜାଳି ଅନ୍ଧକାର ଉପରେ ଆଲୋକର ବିଜୟ ଦୀପାବଳି ପର୍ବକୁ ପାଳନ କରନ୍ତୁ।
ସମିତା ମଣ୍ଡଳ, ଅଭିନେତ୍ରୀ

ସମ୍ବନ୍ଧିତ ଖବର