ରୢାପ୍‌, ଡିଜେ ନାଁରେ ଶବ୍ଦ ପ୍ରଦୂଷଣ ହେଉଛି: ଅନୁରା‌ଧା ପୌଡୱାଲ

ଭକ୍ତି ସଙ୍ଗୀତର ଅନ୍ୟ ନାମ ଅନୁରାଧା ପୌଡୱାଲ। ସେ ଭଜନସମ୍ରାଜ୍ଞୀ। ଡି.ୱାଇ ପାଟିଲ ବିଶ୍ବବିଦ୍ୟାଳୟ ପକ୍ଷରୁ ଡି. ଲିଟ୍‌ ଉପାଧି ପାଇବାରେ କିଂବଦନ୍ତି କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ପଛକୁ ସେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ବହୁଚର୍ଚ୍ଚିତା ଏହି ସଂଗୀତଜ୍ଞ ୫ ଦଶନ୍ଧିର କ୍ୟାରିୟର୍‌ରେ ୯ ହଜାରରୁ ଅଧିକ ଗୀତ ଗାଇଛନ୍ତି। ସେଥିମଧ୍ୟରୁ ଅଧିକାଂଶ ଭଜନ। ଗୁଜରାଟୀ, ହିନ୍ଦୀ, କନ୍ନଡ଼, ମରାଠୀ, ସଂସ୍କୃତ, ବଙ୍ଗଳା, ତାମିଲ, ତେଲୁଗୁ, ଆସାମୀ, ପଞ୍ଜାବୀ, ନେପାଳୀ, ଓଡ଼ିଆ ଓ ମୈଥିଲି ଆଦି ବିଭିନ୍ନ ଭାଷାରେ କଣ୍ଠଦାନ କରି ଭାରତୀୟ ସଙ୍ଗୀତ ଜଗତକୁ ସେ ରୁଦ୍ଧିମନ୍ତ କରିଛନ୍ତି। ‘ସୂର୍ଯ୍ୟୋଦୟ ଫାଉଣ୍ଡେସନ୍‌’ ପକ୍ଷରୁ ଆସନ୍ତାକାଲିଠାରୁ ଶ୍ରବଣ ବାଧିତ ଦିବ୍ୟାଙ୍ଗଙ୍କ ପାଇଁ ଆୟୋଜିତ ସ୍ବାସ୍ଥ୍ୟ ଶିବିର ସଂକ୍ରାନ୍ତୀୟ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବା ଅବସରରେ ‘ସମ୍ବାଦ’ ପକ୍ଷରୁ ସସ୍ମିତା ସାହୁଙ୍କ ସହ ତାଙ୍କର ସ୍ବଳ୍ପ ଆଳାପ…

୫୦ ବର୍ଷ ଧରି ଆପଣ ସଙ୍ଗୀତ ଦୁନିଆ ସହ ଜଡ଼ିତ। ସେବେ ଆଉ ଏବେର ସଙ୍ଗୀତର ଧାରାରେ କ’ଣ ସବୁ ପରିବର୍ତ୍ତନ ଆ‌ସିଛି?
ସଙ୍ଗୀତ ମନ ଓ ମସ୍ତିଷ୍କକୁ ତୃପ୍ତ କରେ। ଏହା ମନକୁ ସକ‌ାରାତ୍ମକତାରେ ଭରିଦିଏ। ସଙ୍ଗୀତର ଶାଳୀନତା ହିଁ ଏହାର ମୁଖ୍ୟ କାରଣ। ସେତେବେଳର ସଙ୍ଗୀତରେ ମାଧୁର୍ଯ୍ୟ ଥିଲା, ଶାସ୍ତ୍ରୀୟତା‌ ଥିଲା ଓ ଶାଳୀନତା ଥିଲା। କିନ୍ତୁ ଏବେକାର ସଙ୍ଗୀତ ଭିନ୍ନ। ରୢାପ୍‌, ପପ୍‌ ସଙ୍ଗୀତ ନାମରେ ଏକପ୍ରକାର ଶବ୍ଦ ପ୍ରଦୂଷଣ କରାଯ‌ାଉଛି। ବିଡ଼ମ୍ବାର କଥା ହେଲା, ଏହାକୁ ସଙ୍ଗୀତର ଉନ୍ନତ ରୂପ ବୋଲି ବି କୁହାଯାଉଛି। ‌ଯେଉଁମାନେ ସଙ୍ଗୀତର ସ୍ରଷ୍ଟା, ସେମାନଙ୍କ ସଙ୍ଗୀତକୁ ପୁଣି ଉନ୍ନତ, ବିକଶିତ କରାଯାଉଛି ବୋଲି ଯୁକ୍ତି ହେଉଛି। ଏ କିଭଳିଆ କଥା। ବେଳେବେଳେ ଏସବୁ ଦେଖି, ଶୁଣି ବିରକ୍ତ ଲାଗିଲେ ବି ଆମେ କିଛି କରିପାରୁନା। କିଛି ଲୋକ ଯେହେତୁ ଏହାକୁ ଗ୍ରହଣ କରି ନେଇଛନ୍ତି, ଆମେ ବିରୋଧ କରିବାକୁ କେହି ନୋହୁଁ।
ଆପଣ ବହୁ ଓଡ଼ିଆ ସଙ୍ଗୀତ ଗାଇଛନ୍ତି। ଏବେ କାହିଁକି ଓଲିଉଡ୍‌ରୁ ବିରତି ନେଇଛନ୍ତି?
ଅବସର ମିଳି ନଥିଲା, ସେଥିପାଇଁ ଗାଇ ନଥିଲି। ଏବେ ପୁଣି ଏକ ଭଲ ଅଫର୍‌ ଆସିଛି। ଏଣୁ ଆସନ୍ତାକାଲି (ଶୁକ୍ରବାର) ମୁମ୍ବାଇରେ ‘ଓମ୍‌ ଜୟ ଜଗଦୀଶ ହରେ…’ର ଓଡ଼ିଆ ରେକର୍ଡିଂ ହେବ। ଏଥିସହ ମୁଁ ବର୍ତ୍ତମାନ ସଙ୍ଗୀତ ଅପେକ୍ଷା ସମାଜସେବାରେ ଅଧିକ ଧ୍ୟାନ ଦେଉଥିବାରୁ ସଙ୍ଗୀତଠାରୁ ଟିକେ ଦୂରେଇ ଯାଇଛି।
ଆପଣ ଭକ୍ତି ସଙ୍ଗୀତକୁ କିଭଳି ବାଛିଲେ?
ମୁଁ ପିଲାଟି ଦିନରୁ ସ୍ଥିର କରିନେଇଥିଲି ଯେ ମୁଁ ଭକ୍ତି ସଙ୍ଗୀତ ହିଁ ଗାଇବି। ମୁଁ ମା’ କାଳୀ ଓ ମହାପ୍ରଭୁ ଜଗନ୍ନାଥଙ୍କର ବଡ଼ ଭକ୍ତ। ତାଙ୍କ ପାଇଁ ମୋ ଜୀବନ ଓ କଳା ସାଧନା ସମର୍ପିତ।
ସଙ୍ଗୀତରେ ଏବେ ଭାଷାର ଶୁଦ୍ଧତା ଓ ଶାଳୀନତା ରହୁନାହିଁ। ଏନେଇ କ’ଣ କହିବେ?
ଫେଭିକଲ୍‌ ସେ, ଲେଜି ଲମ୍‌ହୈ, ଚୋଲି କେ ପିଛେ କ୍ୟା ହୈ… ଭଳି ସଙ୍ଗୀତ ଏବେ ପ୍ରସ୍ତୁତ ହେଉଛି। କଣ୍ଠଶିଳ୍ପୀମାନେ ଗାଉଛନ୍ତି, ଶ୍ରୋତା ପସନ୍ଦ ବି କରୁଛନ୍ତି। ମୁଁ ବିରୋଧ କରିବାକୁ ଓ ଉପଦେଶ ଦେବାକୁ କିଏ?
ପ୍ରାୟ ୧୪ଟି ଆଞ୍ଚଳିକ ଭାଷାରେ ଆପଣ ଗୀତ ଗାଇଛନ୍ତି। ଅଲଗା ଭାଷାରେ ଗୀତ ଗାଇବା ବେଳେ କ’ଣ ସବୁ ସମସ୍ୟା ହୁଏ?
ନିଜ ଆଞ୍ଚଳିକ ଭାଷା ସହ ଆମେ ଓତପ୍ରୋତ ଭାବେ ଜଡ଼ିତ। କିନ୍ତୁ ଅନ୍ୟ ଭାଷାର ଶବ୍ଦ ଓ ଏହାର ଉଚ୍ଚାରଣ ଠିକ୍‌ କରିବା ମୋ ପାଇଁ ସବୁଠାରୁ ବଡ଼ ଆହ୍ବାନ ଥିଲା। ଧୀରେଧୀରେ ଶିଖିବା ଆରମ୍ଭ କଲି। ଏବେ ମୁଁ ସଙ୍ଗୀତର ଟ୍ୟୁନ୍‌ ସହ ଗୀତ ଗାଇ ଚାଲେ। ଉଚ୍ଚାରଣ ଭୁଲ୍‌ ହେଲେ ସଙ୍ଗୀତ ନିର୍ଦ୍ଦେଶକ ମୋତେ ଠିକ୍‌ ଉଚ୍ଚାରଣ ଶିଖାଇ ଦିଅନ୍ତି। ଅସୁବିଧା ହୁଏ ନାହିଁ। ବରଂ ବହୁତ କିଛି ଶିଖିବାକୁ ମିଳେ।
ଆପଣ ସମାଜସେବାରେ ଖୁବ୍‌ ସକ୍ରିୟ। ଆପଣଙ୍କ ସୂର୍ଯ୍ୟୋଦୟ ଫାଉଣ୍ଡେସନ ସମ୍ପର୍କରେ କିଛି କହିବେ?
ନିଜ ଲୋକଙ୍କୁ ସାହାଯ୍ୟ କରିବା‌ ଓ ଆମେ ଚିହ୍ନି ନଥିବା କୌଣସି ଲୋକଙ୍କୁ ସାହାଯ୍ୟ କରିବା ଭିତରେ ବହୁତ ଫରକ୍‌। ବିଭିନ୍ନ ସାମାଜିକ ସମସ୍ୟାକୁ ନେଇ ମୁଁ ମୋ ପାରୁପର୍ଯ୍ୟନ୍ତ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହେ। ଏଥିପାଇଁ ୧୯୮୩ ମସିହାରେ ମୁଁ ‘ସୂର୍ଯ୍ୟୋଦୟ ଫାଉଣ୍ଡେସନ୍‌’ ଗଢ଼ିଥିଲି। ଗର୍ଭବତୀ ମହିଳା ଓ ଅପପୁଷ୍ଟିର ଶିକାର ପିଲାଙ୍କୁ ସାହାଯ୍ୟ କରିବା‌, ଜଳ ସଂରକ୍ଷଣ, ଏଚ୍‌ଆଇଭି ପୀଡ଼ିତ ଲୋକଙ୍କୁ ବଞ୍ଚାଇବାର ନୂଆ ଆଶା ସୃଷ୍ଟି କରିବା ଓ ବଧିର ପିଲାମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ମୋର ଏହି ଫାଉଣ୍ଡେସନ୍‌।

ସମ୍ବନ୍ଧିତ ଖବର