ଭୁବନେଶ୍ୱର: ବିଏମ୍ସି କୋଭିଡ୍ ସେଲ୍ରୁ ଫେରିଯିବେ ଅଣ ବିଏମ୍ସି ଅଧିକାରୀ ଓ କର୍ମଚାରୀ । ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ୍ର ସ୍ଥିତିକୁ ଅନୁଧ୍ୟାନ କରି ଏହି ନିଷ୍ପତ୍ତି ନେଇଛନ୍ତି ସହରାଂଚଳ କର୍ତ୍ତୃପକ୍ଷ । ଭିନ୍ନ ଭିନ୍ନ ସମୟରେ ଆବଶ୍ୟକ ଅନୁସାରେ ରାଜ୍ୟ ସରକାର ବିଏମ୍ସି କୋଭିଡ ସେଲ୍କୁ ଆସିଥିଲେ ଅଧିକାରୀ ଓ କର୍ମଚାରୀ ଗଣ । ଏମାନଙ୍କ ମଧ୍ୟରେ ମୁଖ୍ୟତଃ ଡ଼ାକ୍ତର ଏବଂ ଆସିଷ୍ଟାଂଟ୍ ସେକ୍ସନ୍ ଅଫିସର (ଏଏସଓ)ଙ୍କ ସଂଖ୍ୟା ଅଧିକ । ସମୟ କ୍ରମେ ସ୍ଥିତି ଅନୁଧ୍ୟାନ କରି ଏମାନଙ୍କୁ ନିୟୋଜିତ କରାଯାଇଅଛି ଏବଂ ନିଜ ବିଭାଗକୁ ରିଲିଭ୍ କରାଯାଇଅଛି ।
ବର୍ତ୍ତମାନ ସ୍ଥିତିରେ ଶେଷ ପର୍ଯ୍ୟାୟରେ ଥିବା ୧୦ ଜଣ ଡ଼ାକ୍ତର ଏବଂ ୧୫ ଜଣ ଏଏସଓ ମାନଙ୍କ ମଧ୍ୟରୁ ସମସ୍ତ ଏଏସସଙ୍କୁ ରିଲିଭ୍ କରାଯାଇଥିବା ବେଳେ ଆଉ ୬ ଜଣ ଡ଼ାକ୍ତରଙ୍କୁ ରିଲିଭ୍ କରାଯିବ ଏବଂ କେବଳ ୪ ଜଣ ଡ଼ାକ୍ତର ଜରୁରୀ କଂଟାକ୍ଟ ଟ୍ରେସିଂ ଇତ୍ୟାଦି ପାଇଁ ନିୟୋଜିତ ରହିବେ ବୋଲି କହିଛନ୍ତି ବିଏମ୍ସି କୋଭିଡ୍ ସେଲର ମୁଖ୍ୟ ତଥା ଡ଼େପୁଟି କମିସନର ହେଲ୍ଥ ଏବଂ ସାନିଟେସନ୍ ଶୁଭେନ୍ଦୁ କୁମାର ସାହୁ ।
କଂଟାକ୍ଟ ଟ୍ରେସିଂ ଇତ୍ୟାଦି କାର୍ଯ୍ୟ ପାଇଁ ପ୍ରାୟ ୧୬୦ରୁ ଉର୍ଦ୍ଧ୍ୱ ସଂଖ୍ୟକ ଡ଼ାକ୍ତର ବିଏମସିରେ ଯୋଗଦେଇ କୋଭିଡ ପରିଚାଳନାରେ ସହଯୋଗ କରିଛନ୍ତି । ମୁଖ୍ୟ କାର୍ଯ୍ୟାଳୟ ଏବଂ ଜୋନ୍ କାର୍ଯ୍ୟାଳୟ ମାନଙ୍କରେ କଂଟାକ୍ଟ ଟ୍ରେସିଂ କାର୍ଯ୍ୟରେ ନିୟୋଜିତ ହୋଇ ଦାୟିତ୍ୱ ତୁଲାଇଛନ୍ତି । ପରବର୍ତ୍ତୀ ସମୟ ମାନଙ୍କରେ ୪୦ ଜଣ, ୩୦ ଜଣ ଏବଂ ଶେଷ ପର୍ଯ୍ୟାୟରେ ୧୦ ଜଣ ଡ଼ାକ୍ତର ନିୟୋଜିତ ହୋଇଛନ୍ତି । ଏହା ସାଙ୍ଗକୁ ୩୬୫ ଜଣ ଅଙ୍ଗନବାଡି କର୍ମୀ, ୧୮୫ ଜଣ ଆଶା ଏବଂ ୭୭ ଜଣ ଏଏନ୍ଏମ୍ ବିବିଧ କ୍ଷେତ୍ର ଦାୟିତ୍ୱ ତୁଲାଇଛନ୍ତି ।
କ୍ରମଶଃ ମହାମାରୀର ପ୍ରକୋପ କମିବା ଏବଂ ଅନ୍ଲକ୍ ପ୍ରକ୍ରିୟା ଜାରିହେବା ପରେ କାର୍ଯ୍ୟଭାର କମିବାର ସୂଚନା ନେଇ ମହାନଗର ନିଗମ କର୍ତ୍ତୃପକ୍ଷ ପର୍ଯ୍ୟାୟ କ୍ରମେ ଆସିଥିବା ଏଏସ୍ଓ ମାନଙ୍କୁ ରିଲିଭ୍ କରିଛନ୍ତି । ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ୫୦ ଜଣ ଲେଖାଏଁ ଏଏସ୍ଓ ଏବଂ ୧୫ ଜଣ ଲେଖାଏଁ ଡ଼ିଇଓ କାର୍ଯ୍ୟ କରିଥିବା ବେଳେ ଅକ୍ଟୋବର ମାସରେ ୩୦ ଜଣ ଏଏସଓ ଓ ୧୦ ଜଣ ଡ଼ିଇଓ କାର୍ଯ୍ୟ କରିଛନ୍ତି । ନଭେମ୍ବର ମାସ ପରଠାରୁ ମାତ୍ର ୧୫ ଜଣ ଏ ଏସ୍ ଓ ଦାୟିତ୍ୱ ନେଇ କାର୍ଯ୍ୟକରି ଆସୁଥିବା ବେଳେ ଗତ ୨୫ ତାରିଖରେ ମହାନଗର ନିଗମଙ୍କ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ନିଜ ସ୍ଥାନକୁ ଫେରାଇ ଦିଆଯାଇଅଛି ।
ମହାମାରୀ କରୋନା ମୁକାବିଲାରେ ଭୁବନେଶ୍ୱର ମହାନଗର ନିଗମର ଦୃଢ ମୁକାବିଲା ପାଇଁ ଯେଉଁସବୁ ପ୍ରସ୍ତୁତି ଓ ରଣନୀତି ରହିଛି ସେଥି ମଧ୍ୟରେ ରାଜ୍ୟ ସରକାରଙ୍କ ସହଯୋଗରେ ଅଧିକ ସଂଖ୍ୟକ କର୍ମଚାରୀ ଏବଂ ଅଧିକାରୀଙ୍କୁ ନିୟୋଜିତ କରାଇ ମହାମାରୀ ପରିଚାଳନାକୁ ନିୟମିତ କରାଯାଇଅଛି । ବିଏମସି, ବିଡ଼ିଏ, ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼୍ ସର୍ବୋପରି ରାଜ୍ୟ ସରକାରଙ୍କର ଲୋକସେବା ଭବନର ବିବିଧ ବିଭାଗରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପାହ୍ୟାର ଅଧିକାରୀ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଅଛି ।
ସୂଚନାଯୋଗ୍ୟ କି, ଭୁବନେଶ୍ୱର ମହାନଗର ନିଗମାଂଚଳରେ କୋଭିଡ ସଂକ୍ରମଣ ସ୍ଥିତି କ୍ରମଶଃ କମିଆସିଛି ଏବଂ ସଂକ୍ରମଣ ଏକକ ସଂଖ୍ୟାରେ ସୀମିତ ରହିଅଛି । ୨୨ ଜାନୁଆରିରେ ୫ ଜଣ, ୨୩ରେ ୫ ଜଣ, ୨୪ ରୁ ୨୭ ପର୍ଯ୍ୟନ୍ତ ୪ ଜଣ ଲେଖାଏଁ ଏବଂ ୨୮ରେ ୮ ଜଣ ରହିଥିବାର ଜଣାପଡ଼ିଛି ।
ଅନ୍ୟ ବିଭାଗରୁ ଆସିଥିବା ଉଚ୍ଚ ପଦସ୍ଥ ଅଧିକାରୀ ମଧ୍ୟ ନିଜ ସ୍ଥାନକୁ ଫେରିଯାଇଛନ୍ତି । ମହାମାରୀ ସମୟରେ ବିଭିନ୍ନ କ୍ୟାମ୍ପ ଆୟୋଜନ କରିବା, ନାଗରିକ ସଂଯୋଗ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକମାନଙ୍କୁ ବୁଝାଇବା, ଶବଦାହକୁ ତ୍ୱରାନ୍ୱିତ କରିବା, କୋଭିଡ ହସ୍ପିଟାଲ୍ କାର୍ଯ୍ୟକ୍ରମକୁ ତଦାରଖ କରିବା, ନାଗରିକଙ୍କ ଅଭିଯୋଗ ଏବଂ ସୂଚନାର ପରିଚାଳନା କରିବା ଏପରିକି ବିମାନ ବନ୍ଦର ଏବଂ ରେଳଷ୍ଟେସନ୍ ଯାତ୍ରୀ ମାନଙ୍କର ପରୀକ୍ଷା ଓ ପରିଚାଳନାରେ ସହଯୋଗ କରିଛନ୍ତି ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀ ଏବଂ କମିସନରେଟ୍ ପୁଲିସ୍ । ନାଗରିକଙ୍କ ସମେତ ଉକ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କର ସମୟପୋଯୋଗୀ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ବିଏମସି କର୍ତ୍ତୃପକ୍ଷ ।