ଭୁବନେଶ୍ୱର: ‘କଥା ହେବା ବେଳେ ଟକ୍ଟାଇମ୍ ସରିଗଲା କି? ଚିନ୍ତା ନାହିଁ, ଫିଙ୍ଗି ଦେଉଥିବା ଖାଲି ପାଣି ବୋତଲ (ପ୍ଲାଷ୍ଟିକ୍)କୁ ମେସିନ୍ରେ ପକାନ୍ତୁ, ଆଉ ପାଆନ୍ତୁ ୧୦ ଟଙ୍କାର ଟକ୍ ଟାଇମ୍, ସେ ଯେ କୌଣସି ନେଟ୍ୱର୍କର ହେଉ ନା କାହିଁକି।’ ଏଭଳି ଚିକ୍କଣ କଥା କହି ବିଏମ୍ସି ୩ ବର୍ଷ ତଳେ ଦୁଇଟି ପ୍ଲାଷ୍ଟିକ୍ ରିଭର୍ସ ଭେଣ୍ଡିଂ ମେସିନ୍ ସ୍ଥାପନ କରିଥିଲା। ହେଲେ କିଛି ଦିନ ଚାଲିବା ପରେ ଏହା ଅଚଳ ହୋଇଯାଇଛି। ଲୋକେ ବ୍ୟବହାର କଲେନି କହି ଯତ୍ନ ନିଆନଯିବାରୁ ଆବର୍ଜନା ପରିଚାଳନା କରୁଥିବା ଏହି ମେସିନ୍ ଏବେ ରାସ୍ତା କଡ଼ରେ ଆବର୍ଜନା ହୋଇ ପଡ଼ିରହିଛି। ପ୍ଲାଷ୍ଟିକ୍ ଆବର୍ଜନା ପରିଚାଳନା ପାଇଁ ବିଏମ୍ସି ଏବେ ବୃହତ୍ ପରିଚାଳନା ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଯାଉଛି। କିନ୍ତୁ ଏହି ପ୍ରକଳ୍ପର ଯତ୍ନ ନ ନେବା ପରିତାପର ବିଷୟ ବୋଲି କୁହାଯାଉଛି।
୨୦୧୮ ମସିହା ଗାନ୍ଧୀ ଜୟନ୍ତୀରେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ନିଷିଦ୍ଧ ହେବା ପରେ ଏଭଳି ଦୁଇଟି ମେସିନ୍ ବିଏମ୍ସି ସ୍ଥାପନ କରିଥିଲା। ମାଷ୍ଟରକ୍ୟାଣ୍ଟିନ୍ ଓ ମାର୍କେଟ ବିଲ୍ଡିଂରେ ସ୍ଥାପନ ହୋଇଥିବା ଏହି ମେସିନ୍ ବେଶ୍ ଲୋକପ୍ରିୟ ହେବା ସହ ବିଏମ୍ସି ମଧ୍ୟ ବାହାବା ନେଇଥିଲା। ବୋତଲ ଏଥିରେ ପକାଇବା ପରେ ଯୋଗାଯୋଗ ବିବରଣୀ ଦେବାପାଇଁ ମେସିନ୍ ପ୍ରବର୍ତ୍ତାଉଥିଲା। ଫୋନ୍ ନମ୍ବର ଦେବା ପରେ ଏକ କୋଡ୍ ମୋବାଇଲକୁ ଆସୁଥିଲା। ଏହି କୋଡ୍ ବ୍ୟବହାର କରି ‘ଫ୍ରି ରିଚାର୍ଜ’ ଆପ୍ ଜରିଆରେ ଗ୍ରାହକ ୧୦ ଟଙ୍କାର ଟକ୍ ଟାଇମ୍ ବିନା ମୂଲ୍ୟରେ ରିଚାର୍ଜ କରିପାରୁଥିଲା। କେବଳ ଟକ୍ ଟାଇମ୍ ମିଳୁଥିଲା ତା’ ନୁହେଁ, ବରଂ ଏଣେତେଣେ ଫିଙ୍ଗି ଦିଆଯାଉଥିବା ପ୍ଲାଷ୍ଟିକ୍ ବୋତଲ ପ୍ରକ୍ରିୟାକରଣ ହେଉଥିଲା। ଫିଙ୍ଗା ଯାଉଥିବା ପ୍ଲାଷ୍ଟିକ୍ ବୋତଲ ଦ୍ବାରା ପରିବେଶ ପ୍ରଦୂଷଣ ହେଉଥିଲା। ଏଣୁ ଟକ୍ଟାଇମ୍ର ଲୋଭ ଦେଖାଇ ଲୋକମାନଙ୍କୁ ଆକୃଷ୍ଟ କରାଯାଉଥିଲା। ପାଣି ବୋତଲ (ଏକ ଲିଟର)ଟିଏ କିଣିବା ପାଇଁ ୧୦ ଟଙ୍କା ପଡ଼ୁଥିଲା। ସେହି ଦଶ ଟଙ୍କାକୁ ଏହି ମେସିନ୍ ଜରିଆରେ ବା ଟକ୍ ଟାଇମ୍ ଜରିଆରେ ଲୋକଙ୍କୁ ଫେରାଇ ଦିଆଯାଉଥିଲା।
ମେସିନ୍ ଏହି ପ୍ଲାଷ୍ଟିକ୍ ବୋତଲଗୁଡ଼ିକୁ ଗୁଣ୍ଡ କରିଦେଉଥିଲା। ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଏହି ଗୁଣ୍ଡକୁ ଖାଲି କରି ପୁନଃ ବ୍ୟବହାର ଯୋଗ୍ୟ କରାଯାଉଥିଲା। ବିଭିନ୍ନ ସଂସ୍ଥା ଏହି ସବୁ ଗୁଣ୍ଡକୁ ସଂଗ୍ରହ କରି ପ୍ଲାଷ୍ଟିକ୍ କାର୍ପେଟ୍, ବ୍ୟାଗ୍ ଓ ଜରିପାଲ ଇତ୍ୟାଦି ଉତ୍ପାଦ ତିଆରି କରି ପାରୁଥିଲେ। ଏହି ଦୁଇଟି ସଫଳ ହେଲେ ପ୍ରତ୍ୟେକ ୱାର୍ଡରେ ଏଭଳି ମେସିନ୍ ସ୍ଥାପନ ଯୋଜନା ଥିଲା। କିନ୍ତୁ ଏହାକୁ ଅଚଳ କରି ଦିଆଯିବାରୁ ଆଉ ଅଧିକ ମେସିନ୍ ସ୍ଥାପନ ନେଇ ବିଏମ୍ସି ଚିନ୍ତା କଲା ନାହିଁ।
ତେବେ କେବଳ ବିଏମ୍ସି ନୁହେଁ, ୨୦୧୮ ମସିହାରେ ପୂର୍ବତଟ ରେଳବାଇ ମଧ୍ୟ ଏଭଳି ବ୍ୟବସ୍ଥା କରିଥିଲା। ପୁରୀ ସମେତ ଭୁବନେଶ୍ବର ଷ୍ଟେସନରେ ଏଭଳି ମେସିନ୍ ସ୍ଥାପନ ହୋଇଥିଲା। ଭୁବନେଶ୍ବରର ୧ ଓ ୬ ନମ୍ବର ପ୍ଲାଟ୍ଫର୍ମରେ ସ୍ଥାପନ ହୋଇଥିବା ଦୁଇ ମେସିନ୍ ମଧ୍ୟ ଉଦ୍ଘାଟନର କିଛି ଦିନ ପରେ ଖରାପ ହୋଇଯାଇଛି। ଏବେ ବି ଅନେକ ଯାତ୍ରୀ ଖାଲି ବୋତଲ ଧରି ଏଠାକୁ ଆସିବା ପରେ ନିରାଶ ହୋଇ ଫେରି ଯାଉଛନ୍ତି। ଏଭଳି ମେସିନ୍ ପ୍ରଥମେ ପୁରୀ ଓ ପରେ ଦ୍ବିତୀୟ ଷ୍ଟେସନ ଭାବରେ ଭୁବନେଶ୍ବରରେ ସ୍ଥାପନ ହୋଇଥିଲା। ଏହା ସଫଳ ହେଲେ ପ୍ରତ୍ୟେକ ଷ୍ଟେସନରେ ବସାଇବାକୁ ଯୋଜନା ଥିଲା। କିନ୍ତୁ ପୂର୍ବତଟ ରେଳପଥ ମଧ୍ୟ ଏହାକୁ ଗୁରୁତ୍ବର ସହ ନେଲା ନାହିଁ। ଏ ନେଇ ଭୁବନେଶ୍ୱର ଷ୍ଟେସନ ନିର୍ଦ୍ଦେଶକ ପି. ସି. ମହାପାତ୍ରଙ୍କ କହିଛନ୍ତି, ମେସିନ୍ ପରିଚାଳନା ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି। ଦୁଇ ଦିନ ମଧ୍ୟରେ ଏହାକୁ ସଚଳ କରିଦିଆଯିବ।