ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ପୁଣି ନୀତି ମାରା ହୋଇଛି। ଜଣେ ଅଣହିନ୍ଦୁ ବିଦେଶୀ ମନ୍ଦିରରେ ପ୍ରବେଶ କରିବାଯୋଗୁଁ ଠାକୁରଙ୍କ ନୀତି ବିଳମ୍ବ ହୋଇଛି। ଫଳରେ ସକାଳ ଧୂପ ହେବାବେଳକୁ ସମୟ ସନ୍ଧ୍ୟା ସାଢ଼େ ୫ଟା ହୋଇଯାଇଥିଲା। ଏପଟେ ନୀତି ମାରା ଯୋଗୁଁ ସୁଆର ସେବାୟତମାନେ ପ୍ରସ୍ତୁତ କରିଥିବା ଅନ୍ନ ଓ ତରକାରିକୁ ଅମୁଣିଆ କୂଅରେ ଫିଙ୍ଗା ଯାଇଛି। ତାହାକୁ ପ୍ରାୟ ୩୫୦ ଭକ୍ତ ଖାଇଥା‌’ନ୍ତେ। ପୂରା ଘଟଣାକୁ ନେଇ କିଛି ସମୟ ମନ୍ଦିରରେ ଉତ୍ତେଜନା ଦେଖା ଦେଇଥିଲା। ପୁଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅବହେଲା ଯୋଗୁଁ ଏପରି ହୋଇଥିବା ଅଭିଯୋଗ କରି ସେବାୟତମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଏତେ ପରିମାଣରେ ଅନ୍ନକୁ ଫିଙ୍ଗାଯିବାକୁ ନେଇ ମଧ୍ୟ ଅନେକ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। 

Advertisment

ସୂଚନା ଅନୁଯାୟୀ, ଆଜି ପ୍ରାୟ ଦିନ ୧୧ଟାରେ ଜଣେ ଅଣହିନ୍ଦୁ ବିଦେଶୀ ବ୍ୟକ୍ତି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ସିମେଣ୍ଟ୍‌ ରଙ୍ଗର ପ୍ୟାଣ୍ଟ୍‌ ସହ ନୀଳରଙ୍ଗର ଚେକ୍‌ ସାର୍ଟ ପିନ୍ଧି ଅଣ୍ଟାରେ ଏକ ଛୋଟମୁଣା ବାନ୍ଧିଥିବା ତଥା ଦେହର ରଙ୍ଗରୁ ବିଦେଶୀ ବୋଲି ସ୍ପଷ୍ଟ ଜଣାପଡୁଥିବା ଯୁବକ ଜଣକ ସିଂହଦ୍ବାର ଅତିକ୍ରମ କରି ମନ୍ଦିର ପାହାଚ ଚଢ଼ି ନୃସିଂହ ମନ୍ଦିର ପର୍ଯ୍ୟନ୍ତ ଚାଲି ଯାଇଥିଲେ। ସେତିକିବେଳେ ହିଁ କିଛି ସେବାୟତ ଦେଖିପାରି ଚିତ୍କାର କରିବା ସହ ଯୁବକଙ୍କୁ ଅଟକାଇଥିଲେ। ପରେ ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ର ତାଙ୍କୁ ନେଇ ପୁଲିସ ଜିମା ଦେଇଥିଲେ। ହେଲେ ପୁଲିସ ବିଦେଶୀ ଯୁବକଙ୍କ ସମ୍ପର୍କରେ କିଛି ଯାଞ୍ଚ ନକରି ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି। 

ମନ୍ଦିର ଭିତରେ ସାହାଣମେଲା ଦର୍ଶନ ସାରି କୋଠଭୋଗ ଓ ବରାଦିଭୋଗ ପାଇଁ ପ୍ରସ୍ତୁତି ଚାଲୁଥିବା ବେଳେ ନୀତି ମାରା ଘୋଷଣା ହୋଇଥିଲା। ପ୍ରାୟ ୩୫୦ ଲୋକଙ୍କୁ ପାଇବାଭଳି ପ୍ରସାଦ ଆଉ ଭୋଗ ହୋଇପାରିବ ନାହିଁ ବୋଲି ସୁଆର ସେବାୟତମାନେ ଜାଣିବା ପରେ ମନ୍ଦିରରେ ଉତ୍ତେଜନା ଦେଖା ଦେଇଥିଲା। ପୁଲିସ ଓ ମନ୍ଦିର ପ୍ରଶାସନର ଅବହେଳା ଯୋଗୁଁ ଏପରି ହେଲା ବୋଲି ସେବାୟତମାନେ ଅଭିଯୋଗ କରିଥିଲେ। ମନ୍ଦିର ନୀତି ମାରା ହେବାରୁ ଚୂନପାଣି ଛିଞ୍ଚାଯାଇ ଧୋକାଳ ତଥା ରୋଷଶୁଦ୍ଧି କରାଯାଇଥିଲା। ଏହାପରେ ସୁଆର ସେବାୟତମାନେ କୋଠଭୋଗ ଓ ଅନ୍ୟ ଭୋଗ ଅମୁଣିଆ କୂଅରେ ଫିଙ୍ଗି ଦେଇଥିଲେ। ଫଳରେ ବରାଦି ଅବଢ଼ା ଆଉ ପ୍ରସ୍ତୁତ ହୋଇପାରିନଥିବା ବେଳେ କେବଳ ସକାଳ ଧୂପ ପାଇଁ ଦ୍ବିତୀୟବାର କୋଠଭୋଗ ପ୍ରସ୍ତୁତ କରା ଯାଇଥିଲା। ସକାଳ ଧୂପ ସରୁ ସରୁ ସନ୍ଧ୍ୟା ସାଢ଼େ ୫ଟା ହୋଇଗଲା। କେବଳ ସେହି କୋଠଭୋଗରେ ଆଜି ନୀତି କରାଯାଇଥିଲା। ଏହାପରେ ବିଳମ୍ବରେ କ୍ରମ ଅନୁଯାୟୀ ଅନ୍ୟାନ୍ୟ ନୀତି ହୋଇଥିଲା। ଆଜି ସବୁ ନୀତି ଶେଷକରି ମନ୍ଦିର ପହୁଡ଼ ପଡ଼ିବା ବେଳେକୁ ରାତି ପ୍ରାୟ ୧୨ଟା ବାଜି ଯାଇଥିଲା।

ମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଲିସକୁ କଡ଼ା ସମାଲୋଚନା
ଖାଦ୍ୟ ବଣ୍ଟା ନହୋଇ ଫିଙ୍ଗାଯିବାକୁ ନେଇ ଅସନ୍ତୋଷ

ମନ୍ଦିର ପ୍ରଶାସନ ସୁରକ୍ଷାକୁ ହାଲୁକା ଭାବେ ନେଉଥିବାରୁ ଏପରି ପରିସ୍ଥିତି ଉପୁଜିଲା ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି। ସେବାୟତମାନଙ୍କ କହିବା କଥା, ମନ୍ଦିର ସିଂହଦ୍ବାର ନିକଟରେ ମନ୍ଦିର ପୁଲିସ ଓ କମିସନରେଟ ପୁଲିସ ପକ୍ଷରୁ ଲୋକଙ୍କୁ ଯାଞ୍ଚ କରାଯିବା କଥା। କିନ୍ତୁ ଏହାକୁ ଉଭୟ ଆଦୌ ଗୁରୁତ୍ବ ଦେଉନାହାନ୍ତି। କମିସନରେଟ୍‌ ପୁଲିସ କର୍ମଚାରୀ ସେଠାରେ ବହୁ ସଂଖ୍ୟାରେ ରହୁଛନ୍ତି, କିନ୍ତୁ ସେମାନେ ଅତିବେଶୀରେ ମୋବାଇଲ୍‌ ଯାଞ୍ଚ କରୁଛନ୍ତି। ତାହା ମଧ୍ୟ ଠିକଣା ଭାବେ ହେଉନଥିବାରୁ କିଛିଦିନ ପୂର୍ବେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସହିତ ଜଣେ ଲୋକ ମୋବାଇଲ୍‌ ନେଇ ମନ୍ଦିର ଭିତରେ ପ୍ରବେଶ କରିଥିଲେ। ସେହିପରି ମନ୍ଦିର ପୁଲିସ କେବଳ ଜୋତା ଚପଲ ଯାଞ୍ଚ କରୁଛି। ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘‘ନୀତି ମାରା ବେଳେ ଅତିକମ୍‌ରେ ୩୫୦ ଲୋକଙ୍କୁ ପାଇବା ଭଳି ପରିମାଣର ଭୋଗ ମାରାହୁଏ। ଏଥିପାଇଁ ସେବାୟତ କ୍ଷତି ସହେ। ଏହାସହିତ ଅଣହିନ୍ଦୁ ପ୍ରବେଶ, ନୀତି ମାରା, ନୀତି ବିଳମ୍ବ ସହିତ ଠାକୁର ଦିନସାରା ଉପବାସରେ ରହିଲେ। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ଦାୟୀ। ପୁଲିସ ଉକ୍ତ ବିଦେଶୀଙ୍କୁ ଛାଡ଼ି ଦେଲା। ସେ ଯଦି ଆତଙ୍କବାଦୀ ହୋଇଥାନ୍ତା, ତେବେ କଣ ହୋଇଥାନ୍ତା?’’ ଏପରି ହେଲେ ପ୍ରଶାସନର କୌଣସି ଅବଢ଼ା ବରାଦି ରଖା ଯିବନାହିଁ ବୋଲି ସେ କହିଛନ୍ତି। ସେପଟେ ଏନେଇ ଲିଙ୍ଗରାଜ ଥାନା ଅଧିକାରୀ କହିଛନ୍ତି, ‘‘କେହି ବିଦେଶୀଙ୍କୁ ଆଣି ହସ୍ତାନ୍ତର କରିନାହାନ୍ତି। ତାଙ୍କୁ ଧରିଥିବା ଲୋକେ ହିଁ ନିଜେ ଛାଡ଼ି ଦେଇଛନ୍ତି। ତେଣୁ କୌଣସି ଯାଞ୍ଚ ପାଇଁ ଆମେ ସୁଯୋଗ ପାଇନୁ। ଘଟଣା ପ୍ରଚାର ହେବାପରେ ଆମେ ଖବର ପାଇଲୁ।’’ 

ଅନ୍ୟପକ୍ଷରେ ଅବଢ଼ା ମାରାହେବା ଓ ତାହାକୁ କୂଅରେ ଫିଙ୍ଗିଦିଆଯିବାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ମନ୍ଦିରରେ ମାରାଭୋଗକୁ ନପୋତି ବାଣ୍ଟିଦିଆଯିବା ଭଳି ସଂସ୍କାର ଲିଙ୍ଗରାଜ ମନ୍ଦିରରେ କାହିଁକି ଲାଗୁ ହେଉନାହିଁ ବୋଲି ଅନେକ ସଚେତନ ନାଗରିକ ପ୍ରଶ୍ନ କରିଛନ୍ତି। ବହୁ ଲୋକ ଖାଦ୍ୟରୁ ବଞ୍ଚିତ ହେଉଥିବାବେଳେ ଅନ୍ନକୁ ନବାଣ୍ଟି ନଷ୍ଟକରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସମାଜସେବୀ ମହାସଂଘର ସଭାପତି ନାରାୟଣ ଚନ୍ଦ୍ର ଓଝା ମତ ଦେଇଛନ୍ତି।