ଅଜଣା କାର୍‌ ଧକ୍କାରେ ଛାତ୍ର ମୃତ

ଚନ୍ଦ୍ରଶେଖରପୁର: ଏକ ଅଜଣା କାର୍‌ ଧକ୍କାରେ ଆଜି ସକାଳ ପ୍ରାୟ ସାଢ଼େ ଛ’ଟା ସମୟରେ ନାଲକୋ ଛକ ନିକଟରେ ଜଣେ ଛାତ୍ର ମୃତ୍ୟୁବରଣ କରିଛନ୍ତି। ମୃତକଙ୍କ ନାଁ ଜିତେନ୍ଦ୍ର ମଲ୍ଲିକ(୧୭)। ସେ ଜଣେ ଖବର କାଗଜ ବିତରକ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ । ଚନ୍ଦ୍ରଶେଖରପୁର ବିଡ଼ିଏ କଲୋନି ନିକଟସ୍ଥ ଏକ ବସ୍ତିରେ ନିଜ ମା’ଙ୍କ ସହିତ ମୃତକ ଜଣଙ୍କ ବାସ କରୁଥିବା ସୂଚନା ମିଳିଛି। ଆଜି ଭୋର୍‌ ସମୟରେ ସେ ନାଲକୋ କାଉଣ୍ଟର୍‌ରୁ ଖବରକାଗଜ ନେବାପାଇଁ ଆସୁଥିବା ବେଳେ ତାଙ୍କୁ ଏକ ଅଜଣା କାର୍‌ ପଛପାଖରୁ ଧକ୍କାଦେଇ ଚାଲିଯାଇଥିଲା। ଏଥିରେ ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ତାଙ୍କ ସହଯୋଗୀ ତଥା ନାଲକୋ ଛକ ଖବରକାଗଜ ବିତରକ ବନ୍ଧୁମାନେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ନାଲକୋ ଛକରେ ଥିବା ସିସିଟିଭି ଫୁଟେଜ୍‌କୁ ଆଧାର କରି ଦୁର୍ଘଟଣା ଘଟାଇଥିବା କାର୍‌ ନମ୍ବର ଜାଣିବାପାଇଁ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର