ତ୍ରାହିଅଚ୍ୟୁତ ଆଶ୍ରମର ଆୟ ବହିର୍ଭୂତ ସମ୍ପତ୍ତି ମାମଲା: ୧୨ଏକର ଜମିରେ କ୍ରାଇମ୍‌ବ୍ରାଞ୍ଚ ଅଙ୍କୁଶ, ୪୦ ପ୍ଲଟ୍‌ରେ ନିଷେଧ ଫଳକ

ବାଲିଅନ୍ତା : ବାଲିଅନ୍ତା ତହସିଲ ଅଧୀନ ବହୁଚର୍ଚ୍ଚିତ ସ୍ବର୍ଗତ ସୁରବାବାଙ୍କ ଝିଣ୍ଟି ତ୍ରାହିଅଚ୍ୟୁତ ଆଶ୍ରମର ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଆଜି କଡ଼ା‌ ଆଭିମୁଖ୍ୟ ପ୍ରଦର୍ଶନ କରିଛି। ବିଭିନ୍ନ ମୌଜାରେ ଚିହ୍ନଟ ହୋଇଥିବା ୧୨ଏକର ଜମିର ମାଲିକାନା ସ୍ବତ୍ବ ଉପରେ କ୍ରାଇମ୍‌ବ୍ରାଞ୍ଚ୍‌ ଅଙ୍କୁଶ ଲଗାଇଛି। ପ୍ରାୟ ୪୦ଟି ପ୍ଲଟରେ ଥିବା‌ ଏହି ୧୨ଏକର ଜମିର କିଣାବିକା ଉପରେ କଟକଣା ଜାରି କରି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୂଚନା ଫଳକ ଲଗାଯାଇଛି। ଲଗାଯାଇଥିବା ୫ଟି ଫଳକରେ ମୌଜା, ଖାତା ନମ୍ବର, ପ୍ଲଟ ନମ୍ବର ଓ ଏରିଆ ଆଦି ଉଲ୍ଲେଖ ରହିଚି। ବାବାଙ୍କ ପରିବାର ସଦସ୍ୟ, ସଂପର୍କୀୟ, ଅନୁଗତ ଓ ଆଶ୍ରିତଙ୍କ ନାମରେ ଥିବା ଏହି ୪୦ଟି ପ୍ଲଟ୍‌ କିଣାବିକା ନ ହେବା ନେଇ ନିର୍ଦ୍ଦେଶ ହୋଇଛି। ତ୍ରାହି ଅଚ୍ୟୁତ ଆଶ୍ରମ, ଝିଣ୍ଟିଶାସନ, ପୁରୋହିତପୁର, ପୁରୁଣା ଝିଣ୍ଟି ଶାସନ ଏବଂ ସତ୍ୟଭାମାପୁର ପଞ୍ଚାୟତ ଅଧୀନ ଅଲାରପୁର ମୌଜାରେ ଏହି ୧୨ଏକର ପରିମତି ଜମି ରହିଛି।

ତହସିଲ ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ବାଲିଅନ୍ତା ବ୍ଲକର ୩ଟି ପଞ୍ଚାୟତ ଅଞ୍ଚଳରେ ଥିବା ୧୨ ଏକର ପରିମିତ ଭୂସମ୍ପତ୍ତିର ମାଲିକାନା ସ୍ବତ୍ବ ଉପରେ କ୍ରାଇମ୍‌ବ୍ରାଞ୍ଚ ରୋକ୍‌ ଲଗାଇଛି। ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ମୌଜାରେ ଥିବା ସମ୍ପତ୍ତି ଉପରେ ମଧ୍ୟ ଅନୁରୂପ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି। ସ୍ବର୍ଗତ ସୁରବାବାଙ୍କ ଉତ୍ତରାଧିକାରୀଙ୍କୁ ମଧ୍ୟ ଏହି ନୋଟିସ୍‌ର ନକଲ ପଠାଯାଇଛି। କ୍ରାଇମ୍‌ବ୍ରାଞ୍ଚ୍‌ କବ୍‌ଜାରେ ଥିବା ଏହି ସବୁ ଜମି କିଣାବିକା ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି। ସେହିପରି ଉକ୍ତ ଜମିରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି। ପରେ ଏହି ସବୁ ସମ୍ପତ୍ତି ବାଜ୍ୟାପ୍ତି ହେବ ବୋଲି ପରୋକ୍ଷ ସୂଚନା ମିଳିଛି।

ସୂଚନାଯୋଗ୍ୟ ଏହି ଆଶ୍ରମର ଆୟ ବହିର୍ଭୂତ ସମ୍ପତ୍ତି ମାମଲାକୁ ଏହା ମଧ୍ୟରେ ୫ବର୍ଷ ବିତି ଯାଇଛି। କିନ୍ତୁ ଏତେ ପରିମାଣର ସମ୍ପତ୍ତି ଠୁଳ କରିବା ନେଇ ଆଶ୍ରମ ପକ୍ଷରୁ ଆଇନଗତ ପ୍ରମାଣପତ୍ର ଦାଖଲ ହୋଇପାରିନାହିଁ। ସୁରବାବାଙ୍କ ଉତ୍ତରାଧିକାରୀ ଦୁଇପୁତ୍ର ତ୍ରିଲୋଚନ ମିଶ୍ର ଏବଂ ବିରଞ୍ଚି ନାରାୟଣ ମିଶ୍ର ମଧ୍ୟ ଆଇନଗତ ଭାବେ ଜମିର ମାଲିକାନାସ୍ବତ୍ବ ଜାହିର କରିପାରି ନାହାନ୍ତି। ସେହିଭଳି କୌଣସି ସମ୍ପର୍କୀୟ ବା ଆଶ୍ରମ ଆଶ୍ରିତ ମଧ୍ୟ ଆଇନଗତ ଭାବେ ଜମିଗୁଡ଼ିକର ମାଲିକାନାସ୍ବତ୍ବ ପ୍ରମାଣପତ୍ର ଦାଖଲ କରିପାରିନାହାନ୍ତି। ତେଣୁ କ୍ରାଇମ୍‌ବ୍ର‌ା‌ଞ୍ଚ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ଏହି ୧୨ଏକର ଜମି ଉପରେ କଟକଣା ଲାଗୁ କରାଯାଇଛି। କେହି ଆଇନ ଅବମାନନା କରି ଉକ୍ତ ଜମି ସବୁ ଦଖଲ କଲେ କିମ୍ବା କିଣାବିକା କଲେ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଡ଼ା ନିର୍ଦ୍ଦେଶ ରହିଛି।

ସମ୍ବନ୍ଧିତ ଖବର