ଉତ୍କଳ ହସ୍ପିଟାଲ୍‌ରେ ଅଣଓଡ଼ିଆଙ୍କୁ ନିଯୁକ୍ତି ବିଜ୍ଞାପନ, ହସ୍ପିଟାଲ ସିଇଓ ନିଲମ୍ବିତ!

ସାମାଜିକ ଗଣମାଧ୍ୟମ‌ରେ ଘୂରି ବୁଲୁଛି ପ୍ରେସ୍‌ ବିବୃତି, ଅଧିକାରୀଙ୍କ ଦସ୍ତଖତ ନାହିଁ

ଭୁବନେଶ୍ବର: ଉତ୍କଳ ହସ୍ପିଟାଲର ଓପିଡି ମ୍ୟାନେଜର୍‌ ପଦରେ କେବଳ ଅଣଓଡ଼ିଆଙ୍କୁ ନିଯୁକ୍ତି ପାଇଁ ବିଜ୍ଞାପନ ଦିଆଯିବା ଘଟଣା ଆଜି ଭିନ୍ନ ମୋଡ଼ ନେଇଛି। ବ୍ୟକ୍ତିଗତ ଟ୍ବିଟର୍‌ ହ୍ୟାଣ୍ଡେଲ୍‌ରେ ଏଭଳି ବିଜ୍ଞାପନ ଦେଇଥିବା ହସ୍ପିଟାଲ ସିଇଓ ଡା. ଆଲୋକ ଲୋଧଙ୍କୁ ହସ୍ପିଟାଲ ମ୍ୟାନେଜମେଣ୍ଟ ନିଲମ୍ବିତ କରିଥିବା କୁହାଯାଉଛି। ଏ ସଂପର୍କିତ ଏକ ପ୍ରେସ୍‌ବିବୃତି ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ ହସ୍ପିଟାଲ ମ୍ୟାନେଜମେଣ୍ଟର ବିନା ଅନୁମତିରେ ଡା. ଲୋଧ ନିଜ ଟ୍ବିଟର୍‌ ଆକାଉଣ୍ଟରେ କିଛି ବିବାଦୀୟ ପୋଷ୍ଟ କରିଛନ୍ତି। ତାହା ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେଇଛି।

ଉକ୍ତ ପୋଷ୍ଟଟି ସଂପୂର୍ଣ୍ଣ ଭାବେ ଡା. ଲୋଧଙ୍କ ବ୍ୟକ୍ତିଗତ ଓ ଏଥିରେ ଉତ୍କଳ ହସ୍ପିଟାଲ ମ୍ୟାନେଜମେଣ୍ଟର କୌଣସି ଭୂମିକା ନାହିଁ। ତେବେ ସେ କାହିଁକି ଏପରି ପୋଷ୍ଟ କଲେ, ସେନେଇ ହସ୍ପିଟାଲ ପକ୍ଷରୁ ତଦନ୍ତ ଚାଲିଛି। ତଦନ୍ତ ସରିବା ପର୍ଯ୍ୟନ୍ତ ତାଙ୍କୁ ନିଲମ୍ବିତ କରାଯାଇଛି। ଉତ୍କଳ ହସ୍ପିଟାଲର ସ୍ବତ୍ବାଧିକାରୀ ଜଣେ ଓଡ଼ିଆ ଓ ଏଠାରେ କାମ କରୁଥିବା ୯୯ ପ୍ରତିଶତ କର୍ମଚାରୀ ଓଡ଼ିଶାର। ତେବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଏହି ପ୍ରେସ୍‌ ବିବୃତିଟି ଅସଲି କି ନକଲି, ତାହା ଜଣାପଡ଼ିନାହିଁ। ଉକ୍ତ ପ୍ରେସ୍‌ ବିବୃତିରେ ତଳକୁ ‘ଦ ମ୍ୟାନେଜମେଣ୍ଟ ଅଫ୍‌ ଉତ୍କଳ ହସ୍ପିଟାଲ’ ଲେଖାଥିଲେ ହେଁ ସେଥିରେ କୌଣସି ଅଧିକାରୀଙ୍କ ଦସ୍ତଖତ ନାହିଁ।

ସୂଚନାଯୋଗ୍ୟ, ଉତ୍କଳ ହସ୍ପିଟାଲ୍‌ର ଓପିଡି ମ୍ୟାନେଜର୍‌ ନିଯୁକ୍ତି ପାଇଁ ହସ୍ପିଟାଲର ସିଇଓ ନିଜର ବ୍ୟକ୍ତିଗତ ଟ୍ବିଟର୍‌ ଆକାଉଣ୍ଟରେ ଏକ ବିଜ୍ଞାପନ ଦେଇଥିଲେ। ଉକ୍ତ ପୋଷ୍ଟ ପାଇଁ କେବଳ ଅଣଓଡ଼ିଆ ପ୍ରାର୍ଥୀ ଆବେଦନ କରିପାରିବେ ବୋଲି ସେ ଉଲ୍ଲେଖ କରିଥିଲେ। ଏହି ଘଟଣା ପଦାକୁ ଆସିବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସାମାଜିକ ଗଣମାଧ୍ୟମରେ ବିରୋଧ ଜୋର୍‌ଦାର ହେବାରୁ ପରେ ଡା. ଲୋଧ କ୍ଷମା ପ୍ରାର୍ଥନା କରିବା ସହ ବିଜ୍ଞାପନକୁ ସଂଶୋଧନ କରିଥିଲେ। ଅପରପକ୍ଷେ ଏହି ପ୍ରସଙ୍ଗରେ କଳିଙ୍ଗ ସେନା ପକ୍ଷରୁ ଗତକାଲି କ୍ୟାପିଟାଲ୍‌ ଥାନାରେ ଏତଲା ଦିଆଯାଇଥିଲା।

ଶ୍ରୀ ଲୋଧଙ୍କ ପୋଷ୍ଟ ଓଡ଼ିଆଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଓଡ଼ିଆଙ୍କୁ ନ୍ୟୁନ କରିଛି। ତେଣୁ ଏଭଳି ରୁଗ୍‌ଣ ମାନସିକତା ଥିବା ବ୍ୟକ୍ତିଙ୍କୁ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ତୁରନ୍ତ ଚାକିରିରୁ ବହିଷ୍କାର କରିବା ସହ ଓଡ଼ିଶା ବିରୋଧୀ ମାନସିକତା ରଖିଥିବା ସମସ୍ତ ଅଣଓଡ଼ିଆ କର୍ମଚାରୀଙ୍କୁ ଏଠାରୁ ବାହାର କରିବାକୁ କଳିଙ୍ଗ ସେନା ଦାବି କରିଥିଲା। ସେହିପରି କଂଗ୍ରେସର ଯୁବନେତା ମନୋଜ ବିଶ୍ବାଳ, ନିହାର ବେହେରା, ବିଭୂତି ଭୂଷଣ ମହାପାତ୍ର ପ୍ରମୁଖ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଭେଟି ଓଡ଼ିଶାବାସୀଙ୍କୁ କ୍ଷମା ମାଗିବା ସହ ସିଇଓଙ୍କୁ ଚାକିରିରୁ ବିଦା କରିବାକୁ ଦାବି କରିଥିଲେ।

ସମ୍ବନ୍ଧିତ ଖବର