ଏମ୍ସ ପିଜି ହଷ୍ଟେଲରୁ ଦୁଇ ଡାକ୍ତରଙ୍କ ଲାପଟପ୍ ଚୋରି
ଭୁବନେଶ୍ୱର : ରାଜଧାନୀରେ ଆତଙ୍କ ଖେଳାଇ ଚାଲିଛନ୍ତି ଅଣଓଡ଼ିଆ ଲୁଟେରା। କେତେବେଳେ ଦୋକାନ ତ ଆଉ କେତେବେଳେ ଘର ଭିତରେ ପଶି ଲୁଟପାଟ୍ କରୁଛନ୍ତି। ଏମ୍ସ ପିଜି ହଷ୍ଟେଲର ସବୁ ସୁରକ୍ଷାବଳୟ ଭେଦ କରି ଦୁଇଟି ରୁମରୁ ଦୁଇ ଡାକ୍ତରଙ୍କର ଲାପଟପ୍ ଲୁଟି ନେଇଛନ୍ତି। ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ଚୋରର ସିସିଟିଭି ଫୁଟେଜ୍ ମଧ୍ୟ ରେକର୍ଡ ହୋଇଛି।
ମିଳିଥିବା ସୂଚନା ଅନୁସାରେ, ପିଜି ୩ ନମ୍ବର ହଷ୍ଟେଲର ୧୦୮ ନମ୍ବର ରୁମ୍ରେ ରୁହନ୍ତି ଡାକ୍ତର ପ୍ରିୟଙ୍କା ମୁଖାର୍ଜୀ। ଗତ ୨୧ ତାରିଖରେ ସେ ହଷ୍ଟେଲରେ ନ ଥିବା ବେଳେ ତାଙ୍କ ଲାପଟପ୍ ଚୋରି ହୋଇଥିଲା। ସେହିପରି ୩ ନମ୍ବର ହଷ୍ଟେଲର ଅନ୍ୟ ଏକ ରୁମରେ ରହୁଥିବା ଆଉ ଜଣେ ଡାକ୍ତରଙ୍କର ସମାନ ଢଙ୍ଗରେ ଲାପଟପ୍ ଚୋରି ହୋଇଛି। ହଷ୍ଟେଲ ଗେଟ୍ରେ କଡ଼ା ସୁରକ୍ଷା ଥିବା ବେଳେ ସିସିଟିଭି ମଧ୍ୟ ଲାଗିଛି। ସିସିଟିଭି ଫୁଟେଜ୍ରୁ ଜଣାପଡ଼ିଛି ଯେ ଘଟଣା ଦିନ ଚୋର ଏକ ଓଲା କାର୍ରେ ଆସିଥିଲା। ସେହିପରି ଚୋର ରେଜିଷ୍ଟରର ନିଜ ନାଁ ପ୍ରଭାକର ବୋଲି ଲେଖିଛି। ପୁଲିସ କାର୍ ନମ୍ବରକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏତେ ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ କେମିତି ଚୋରି ହେଲା ତାକୁ ନେଇ ପ୍ରଶ୍ନ ଉଠିଛି।
/sambad/media/post_attachments/wp-content/uploads/2021/12/14_06_2016-LOOT-1_6.jpg)
ଦୁଇ ମହଲାରୁ ନେଇଗଲେ ଲାପଟପ୍
ଭୁବନେଶ୍ୱର : ଖଣ୍ଡଗିରି ଥାନା ଶିରିପୁର ଅଞ୍ଚଳରୁ ଦୁଇ ମହଲା ଏକ କୋଠାରୁ ଦୁର୍ବୃତ୍ତ ଲାପଟପ୍ ଚୋରି କରି ନେଇଛନ୍ତି। ପ୍ରଥମ ମହଲାରେ ପରିବାରଲୋକ ଥିଲେ ମଧ୍ୟ ଦ୍ବିତୀୟ ମହଲାରୁ ଦୁର୍ବୃତ୍ତ ଲାପଟପ୍ ଲୁଟି ନେଇଛନ୍ତି। ଏ ନେଇ ଚୋରିର ଶିକାର ବିଶ୍ବନାଥ ପାତ୍ର ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ରାଜଧାନୀରେ ଏକାଧିକ ଚୋରି, ଲୁଟ୍ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
/sambad/media/post_attachments/wp-content/uploads/2022/01/police-3.jpg)
କମିସନରେଟ୍ ପୁଲିସର ସ୍ବତନ୍ତ୍ର ଅପରେସନ୍: ଗେଷ୍ଟହାଉସ୍, ଲଜରେ ଖାନତଲାସି
ଭୁବନଶ୍ୱର : ନୂଆ ନୂଆ ତରିକାରେ ରାଜଧାନୀରେ ଚୋରି, ଲୁଟ୍ପାଟ୍ କରି ଗତ କିଛି ଦିନ ହେବ ଉତ୍ପାତ କରୁଥିବା ଅଣଓଡ଼ିଆ ଚୋର, ଲୁଟେରାଙ୍କୁ ଧରିବା ପାଇଁ କମିସନରେଟ ପୁଲିସ ସ୍ବତନ୍ତ୍ର ଅପରେସନ୍ ଆରମ୍ଭ କରିଛି। ଛୋଟଛୋଟ ହୋଟେଲ, ଲଜ୍, ଗେଷ୍ଟହାଉସ୍ରେ ଲୁଟେରା ଲୁଚିଥିବା ସନ୍ଦେହ କରି ପୁଲିସ ଚଢ଼ଉ ଆରମ୍ଭ କରିଛି। ବିନା ତଥ୍ୟ ପ୍ରଦାନ କରି ରହୁଥିବା ବ୍ୟକ୍ତି ପୁଲିସ ସ୍କାନର୍ରେ ରହିଛନ୍ତି। କିଛି ଦିନ ତଳେ ଷ୍ଟେସନ୍ ବଜାର ଅଞ୍ଚଳର ଏକ ଲଜରୁ ୬ ଜଣ ବିହାରୀ ଯୁବକ ଧରାପଡ଼ିଥିଲେ। ଏ ନେଇ ଲଜ୍ କର୍ତ୍ତୃପକ୍ଷ ପୁଲିସକୁ କୌଣସି ସୂଚନା ଦେଇ ନ ଥିଲେ। ସେହିପରି ଅନ୍ୟ କୌଣସି ଲଜ୍, ଗେଷ୍ଟ ହାଉସ୍ରେ ଦୁର୍ବୃତ୍ତ ଆତ୍ମଗୋପନ କରିଥିବା ସନ୍ଦେହ କରାଯାଉଛି। ବିଶେଷକରି ଅଣଓଡ଼ିଆଙ୍କ ଉପରେ ନଜର ରଖାଯାଇଛି। ବିଭିନ୍ନ ଛକରେ ବ୍ଲକିଂ ମଧ୍ୟ କରାଯାଉଛି। ହିନ୍ଦୀ, ବଙ୍ଗଳା, ତେଲ୍ଗୁ ଭାଷାରେ କଥା ହେଉଥବା ସନ୍ଦିଗ୍ଧଙ୍କ ଉପରେ ନଜର ରଖାଯାଉଛି। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଜେରା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଚୋର, ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ସବୁ ସ୍ତରରେ ଜାଲ ବିଛାଇଥିଲେ ହେଁ ଏଯାଏ ଜଣେ ହେଲେ ଧରା ପଡ଼ିନାହାନ୍ତି।