ଭୁବନେଶ୍ବର: ମାସ କି ଦୁଇ ମାସ ନୁହେଁ। ଦୀର୍ଘ ବର୍ଷ ଧରି ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଅଣଛାତ୍ରଙ୍କ ପତିଆରା ଜାରି ରହିଛି। ଅନେକ ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସକଙ୍କୁ ଗଢ଼ିଥିବା ରାଜ୍ୟର ଏହି ସର୍ବପୁରାତନ ବିଶ୍ବବିଦ୍ୟାଳୟ ଏବେ ଅଣଛାତ୍ରଙ୍କ କବ୍ଜାରେ। ସୁଉଚ୍ଚ ଗେଟ୍ ସୁରକ୍ଷାକର୍ମୀ ୨୪ ଘଣ୍ଟା ମୁତୟନ ଥିଲେ ମଧ୍ୟ ସନ୍ଧ୍ୟା ହେଲେ କ୍ୟାମ୍ପସର ଏକାଧିକ ସ୍ଥାନରେ ଖୋଲାଖୋଲି ଭାବେ ଅଣଛାତ୍ରଙ୍କ ଆସର ଜମୁଛି। କ୍ୟାମ୍ପସରେ ଖଟି କରୁଛନ୍ତି। ଛାତ୍ରୀନିବାସ ଆଗରେ ଚକ୍କର କାଟୁଛନ୍ତି। ଛାତ୍ରୀଙ୍କୁ କମେଣ୍ଟ ମାରିବା ସହିତ ହଇରାଣ କରୁଛନ୍ତି। ଛାତ୍ରାବାସରେ ଆଡ୍ଡା ଜମାଉଛନ୍ତି। ସେଠାରେ ହେଉଥିବା ଅନେକ ଗଣ୍ଡଗୋଳରେ ସେମାନଙ୍କ ଭୂମିକା ରହୁଛି। କେବଳ ସେତିକି ନୁହେଁ, କ୍ୟାମ୍ପସ ଛାତ୍ରମାନଙ୍କର ହୋଇଥିଲେ ମଧ୍ୟ ଅଣଛାତ୍ର ସେମାନଙ୍କୁ ଆତଙ୍କିତ କରି ରଖୁଛନ୍ତି। କ୍ୟାମ୍ପସରେ ପାନ, ଗୁଟ୍ଖାଠାରୁ ଆହୁରି ଭୟଙ୍କର ନିଶାଦ୍ରବ୍ୟ ମଧ୍ୟ ପଶୁଛି। ମାତ୍ର ପୁଲିସ କିମ୍ବା ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏହାକୁ ରୋକିବା ଦିଗରେ ସଫଳ ହୋଇ ନାହାନ୍ତି। ସମସ୍ତେ ସବୁ ଜାଣି ନାଚାର।
ଅଣଛାତ୍ରଙ୍କ କାର୍ଯ୍ୟକଳାପ ଅଣାୟତଃ ହେଉଥିବାରୁ ଛାତ୍ରଛାତ୍ରୀ ଏବେ ତ୍ରାହିତ୍ରାହି ଡାକିଲେଣି। ନିଜର ସୁରକ୍ଷା ପାଇଁ କ୍ୟାମ୍ପସ ଭିତରକୁ ଅଣଛାତ୍ରଙ୍କୁ ତଡ଼ିବାକୁ ସେମାନେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଆଜି ନିବେଦନ କରିଛନ୍ତି। ଶତାଧିକ ଛାତ୍ରଛାତ୍ରୀ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଅଣଛାତ୍ରଙ୍କ ପ୍ରବେଶ ନିଷେଧ ନେଇ ଭାରପ୍ରାପ୍ତ କୁଳପତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ଦର୍ଶାଇଛନ୍ତି ଯେ କ୍ୟାମ୍ପସକୁ ଅଣଛାତ୍ରଙ୍କ ପ୍ରବେଶ ସମ୍ପର୍କରେ ଗତକାଲି କୁଳସଚିବଙ୍କୁ ଗତକାଲି ଦାବିପତ୍ର ପ୍ରଦାନ ପରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା। କେତେଜଣ ଅଣଛାତ୍ରଙ୍କ ସହ ଛାତ୍ର ମିଶି ସନ୍ଧ୍ୟା ସାଢ଼େ ୬ଟାରେ ପବ୍ଲିକ ଆଡ୍ମିନିଷ୍ଟ୍ରେସନ ବିଭାଗ ଦ୍ବିତୀୟ ବର୍ଷ ଛାତ୍ର ରାଜକୁମାର ପରିଡ଼ା ଓ ଲାଇବ୍ରେରି ସାଇନ୍ସ ବିଭାଗ ଦ୍ବିତୀୟ ବର୍ଷ ଛାତ୍ର ହେମନ୍ତ କୁମାର ହାଁସଦାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ। ରାଜକୁମାର ଆହତ ହୋଇ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ଏମ୍ସରେ ଭର୍ତ୍ତି ହୋଇଥିଲେ। ଅତୀତରେ ମଧ୍ୟ ଅଣଛାତ୍ର ପ୍ରବେଶ ନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଯେଉଁଥିପାଇଁ ଅଣଛାତ୍ର କ୍ୟାମ୍ପସରେ ପ୍ରବେଶ କରି ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ଓ ଦୁର୍ବବ୍ୟହାର ଏବଂ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଉପହାସ କରୁଛନ୍ତି। ନିଶାଦ୍ରବ୍ୟ ସେବନ, ମାରଣାସ୍ତ୍ର ଧରି ଭୟଭୀତ କରି ପତିଆରା ବଢ଼ାଉଛନ୍ତି। ପୁଲିସ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କଠୋର କାର୍ଯ୍ୟାନୁଷ୍ଠାନ ନନେବାରୁ ଓଡ଼ିଶା ଏବଂ ରାଜ୍ୟ ବାହାରୁ ଆସୁଥିବା ଛାତ୍ରଛାତ୍ରୀ କ୍ୟାମ୍ପସରେ ଅସୁରକ୍ଷିତ ମଣୁଛନ୍ତି। ତେଣୁ ଅଣଛାତ୍ରଙ୍କ ପ୍ରବେଶ ଉପରେ କଟକଣା ଲାଗୁ ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ୨୪ ଘଣ୍ଟିଆ ପିସିଆର ପାଟ୍ରୋଲିଂ କରିବାକୁ ଦାବି କରିଛନ୍ତି। ଆଜି କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଥିବା ଛାତ୍ରମାନେ ବିଜେପି ଯୁବମୋର୍ଚ୍ଚାର ସମର୍ଥକ ବୋଲି ଜଣାପଡ଼ିଛି।
ଏବିଭିପି-ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ମଧ୍ୟରେ ଗତକାଲିର ଗଣ୍ଡଗୋଳ ପରେ ଆଜି କ୍ୟାମ୍ପସରେ ପୁଲିସ ଛାଉଣୀ ହୋଇଛି। ମାତ୍ର ବିଶ୍ବବିଦ୍ୟାଳୟ ପକ୍ଷରୁ ଯେଉଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା କଥା ତାହା ପର୍ଯ୍ୟାପ୍ତ ହେଉ ନ ଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। କ୍ୟାମ୍ପସର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି କାମ କରୁ ନ ଥିବା ବେଳେ ଅଧିକାଂଶ ସମୟରେ ଷ୍ଟ୍ରିଟ୍ ଲାଇଟ୍ ଜଳୁ ନାହିଁ। ଅବସରପ୍ରାପ୍ତ ସେନା ଅଧିକାରୀମାନଙ୍କୁ ସୁରକ୍ଷା କର୍ମୀ ଭାବେ ନିୟୋଜିତ କରାଯାଇଛି। ମାତ୍ର ସେମାନଙ୍କ କାର୍ଯ୍ୟ କେବଳ ଫାଟକ ବନ୍ଦରେ ସୀମିତ ରହିଛି। କୌଣସି ଗଣ୍ଡଗୋଳ ହେଲେ ସେମାନେ ତାହାକୁ ରୋକିବାରେ ସକ୍ଷମ ହେଉ ନାହାନ୍ତି। ବରଂ ପୁଲିସର ସହାୟତା ଲୋଡ଼ୁଛନ୍ତି।
ସୂଚନାଯୋଗ୍ୟ ଯେ ୨୦୧୯ ମାର୍ଚ୍ଚରେ ପୁଲିସ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମିଳିତ ଟିମ୍ ୭ ନମ୍ବର ଛାତ୍ରାବାସରେ ଚଢ଼ାଉ କରିବା ସହ ୫୦୦ରୁ ଅଧିକ ମଦ ବୋତଲ, ଜୁଆ ଖେଳିବା ସାମଗ୍ରୀ, ଚରସ, ଗଞ୍ଜେଇ, ସିଗାରେଟ୍ ଆଦି ଜବତ କରିଥିଲେ। ଏହା ପରଠାରୁ କ୍ୟାମ୍ପସରେ ଥିବା ଛାତ୍ରାବାସଗୁଡ଼ିକରେ ଚଢ଼ାଉ କିମ୍ବା ଅଣଛାତ୍ରଙ୍କୁ ଚିହ୍ନଟ କରି ତଡ଼ିବା ଦିଗରେ ସେଭଳି ପଦକ୍ଷେପ ନିଆଯାଇନାହିଁ। ଯେଉଁଥିପାଇଁ ଗୋଟିଏ ପରେ ଗୋଟିଏ ଅପ୍ରୀତିକର ଘଟଣା ଘଟି ଚାଲିଛି।
ଅଣାୟତ୍ତ ଅଣଛାତ୍ର: ତ୍ରାହିତ୍ରାହି ଡାକିଲେଣି ଛାତ୍ରଛାତ୍ରୀ, ଘେରିଲେ କୁଳପତିଙ୍କ କାର୍ଯ୍ୟାଳୟ
ମାସ କି ଦୁଇ ମାସ ନୁହେଁ। ଦୀର୍ଘ ବର୍ଷ ଧରି ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଅଣଛାତ୍ରଙ୍କ ପତିଆରା ଜାରି ରହିଛି। ଅନେକ ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସକଙ୍କୁ ଗଢ଼ିଥିବା ରାଜ୍ୟର ଏହି ସର୍ବପୁରାତନ ବିଶ୍ବବିଦ୍ୟାଳୟ ଏବେ ଅଣଛାତ୍ରଙ୍କ କବ୍ଜାରେ।
/sambad/media/media_files/2025/08/07/untitled-4-2025-08-07-06-36-41.jpg)