ଭୁବନେଶ୍ୱର: ଗତକାଲି ବିଜେବି କଲେଜ ପରିସରରେ ଛାତ୍ରୀଙ୍କୁ କମେଣ୍ଟମାରିବା ସହ ଏସିଡ୍ ମାଡ଼ ଧମକ ଦେବା ନେଇ ଆମ୍ବେଦକର ହଷ୍ଟେଲ ନିକଟରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଦୁଇଜଣ ଛାତ୍ର ଆହତ ହୋଇଥିଲେ। ଏହି ମାମଲାର ଅଭିଯୋଗ ପରେ ତଦନ୍ତ କରି ବଡ଼ଗଡ଼ ଥାନା ପୁଲିସ ୪ ଜଣ ନାବାଳକ ଛାତ୍ରଙ୍କୁ ଖୋର୍ଦ୍ଧା ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରାଇଥିଲା। ସେଠାରେ ସେମାନଙ୍କୁ ତାଗିଦ୍ କରାଯିବା ପରେ ଛାଡ଼୍ ମିଳିଛି।
ଅଭିଯୋଗ ଅନୁସାରେ, ଶୁକ୍ରବାର ପୂର୍ବାହ୍ନରେ ଆମ୍ବେଦକର ହଷ୍ଟେଲର କେତେଜଣ ଛାତ୍ର ଯୁକ୍ତ ଦୁଇ ପ୍ରଥମବର୍ଷର କିଛି ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ବ୍ୟକ୍ତିଗତ ଆକ୍ଷେପ କରିଥିଲେ। ତାଙ୍କ ଭିତରୁ ଜଣେ ନାବାଳିକା ଛାତ୍ରୀ ଏନେଇ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିବାକୁ ଚେତାବନୀ ଦେବାପରେ ସଂପୃକ୍ତ ଛାତ୍ରମାନେ ଉକ୍ତ ନାବାଳିକାଙ୍କୁ ଏସିଡ୍ ମାଡ଼ ଧମକ ଦେଇଥିଲେ। କଲେଜରେ ତାଙ୍କ ଚରିତ୍ରସଂହାର କରିବାକୁ ମଧ୍ୟ ଧମକ ଦେଇଥିଲେ। ଏ ବିଷୟରେ ଛାତ୍ରୀଜଣକ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଏଥିରେ ରାଗିଯାଇ ଅଭିଯୁକ୍ତ ଛାତ୍ରମାନେ ଛାତ୍ରୀ ଅଭିଯୋଗ କରିବାଲାଗି ଅଧ୍ୟକ୍ଷଙ୍କ ପାଖକୁ ଯିବା ସମୟରେ ସାଙ୍ଗରେ ଯାଇଥିବା ତାଙ୍କ ବନ୍ଧୁମାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଦୁଇଜଣ ଛାତ୍ର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତା’ପରେ ଏନେଇ ଛାତ୍ରୀ ଜଣକ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। ରାଜଧାନୀର ଅନ୍ୟ କଲେଜଗୁଡ଼ିକ ସମେତ ବିଜେବି କଲେଜରେ ମଧ୍ୟ ଦିନକୁ ଦିନ ଛାତ୍ର ଅଶାନ୍ତି ବଢ଼ିବାରେ ଲାଗିଛି। କଲେଜ ପ୍ରଶାସନ କଲେଜ ପରିସରରେ ଶୃଙ୍ଖଳା ରକ୍ଷା କରିବାରେ ଅସମର୍ଥ ହେଉଥିବା ଦେଖାଯାଉଛି। ବିଶେଷ କରି କଲେଜ ପରିସର ଭିତରକୁ ଅଣଛାତ୍ରଙ୍କ ଅନୁପ୍ରବେଶକୁ ବନ୍ଦ କରିବାରେ ସଫଳତା ମିଳୁନାହିଁ।
ଏହି କାରଣରୁ ବିଶୃଙ୍ଖଳା ଓ ଗଣ୍ଡଗୋଳ ବୃଦ୍ଧି ପାଉଥିବା ଜଣା ପଡ଼ିଛି। ଗତ ଏପ୍ରିଲ ମାସରେ କଲେଜ ପଡ଼ିଆରେ ଖେଳିବା ପ୍ରସଙ୍ଗରେ କଲେଜ ହଷ୍ଟେଲ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହେବାପରେ କଲେଜ ପରିସର ଭିତରେ ଅଣଛାତ୍ରଙ୍କ ପ୍ରବେଶ ନିଷେଧ କରିବା ପାଇଁ ବ୍ୟାପକ ନିଷ୍ପତ୍ତି ନିଆଯାଇଥିଲା। ଏହାକୁ ନେଇ କଲେଜ ଅଧ୍ୟକ୍ଷ ନିଯୁକ୍ତ ସୁରକ୍ଷାକର୍ମୀଙ୍କୁ ତାଗିଦ କରିଥିଲେ। କଲେଜ ପଛ ଗେଟ୍ରେ ତାଲା ପକା ଯାଇଥିଲା, ବିଭିନ୍ନ ସ୍ଥାନରେ ଅଣଛାତ୍ର ପ୍ରବେଶ ନିଷେଧ ବୋଲି ପୋଷ୍ଟର ମଧ୍ୟ ମରାଯାଇଥିଲା। କିନ୍ତୁ ଏସବୁ କିଛି ଦିନ କଡ଼ାକଡ଼ି ଭାବେ ପାଳନ କରାଯିବା ପରେ ସ୍ଥିତି ପୁଣି ଢ଼ିଲା ହୋଇଯାଇ ଏବେ ଆଉ ସେ ନିୟମକୁ କେହି ମାନୁନାହାନ୍ତି। ଏବେ ପଛ ଗେଟ୍ରେ ପକାଯାଇଥିବା ତାଲାକୁ କେହି ଭାଙ୍ଗି ଦେଇଥିବାବେଳେ ପୋଷ୍ଟରଗୁଡ଼ିକ ମଧ୍ୟ ଚିରି ଦିଆଯାଇଥିବା ଦେଖିବାକୁ ମିଳୁଛି। ତେଣୁ ବର୍ତ୍ତମାନ ପୂର୍ବଭଳି କଲେଜ ଓ ହଷ୍ଟେଲ ପରିସରରେ ଅଣଛାତ୍ରମାନେ ଅବାଧ ଅନୁପ୍ରବେଶ କରୁଥିବା ଦେଖାଯାଉଛି। ସେମାନଙ୍କ ସହିତ କିଛି ଛାତ୍ର ମିଶି ଯାଉଛନ୍ତି। ଫଳରେ ଛାତ୍ରମାନଙ୍କ ଭିତରେ ମଧ୍ୟ ଗୋଷ୍ଠୀ ତିଆରି ହେଉଛି ଓ ଗଣ୍ଡଗୋଳ ହେଉଛି।
ଏହା ସହିତ ହଷ୍ଟେଲଗୁଡ଼ିକରେ ଯେତିକି ଛାତ୍ର ରହିବା କଥା, ତା’ଠାରୁ ବହୁ ଅଧିକ ଛାତ୍ର ରହୁଛନ୍ତି। ତେଣୁ ଛାତ୍ରମାନଙ୍କ ମଧ୍ୟରେ ଅନେକ ସମୟରେ ଗଣ୍ଡଗୋଳ ହେଉଛି, ଅଶାନ୍ତି ସୃଷ୍ଟି ହେଉଛି। ଏ ପ୍ରସଙ୍ଗରେ କଲେଜ ଅଧ୍ୟକ୍ଷ ଗୁଲାମ ମୋଇନୁଦ୍ଦିନ୍ ଖାଁ କହିଛନ୍ତି, ‘‘ବର୍ତ୍ତମାନ କଲେଜରେ ଆଡମିସନ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଚାଲିଛି। ତେଣୁ ବାହାରୁ ଲୋକ ଆସୁଛନ୍ତି। ଅଣଛାତ୍ର ପ୍ରବେଶ ନିଷେଧ ପାଇଁ ନୋଟିସ ମରାଗଲେ ତା’କୁ ଚିରି ଦେଉଛନ୍ତି। ଏହାସହ ତାଲା ଭାଙ୍ଗି ଦେଉଛନ୍ତି। ତେବେ ଆଗକୁ ଅଣଛାତ୍ର ପ୍ରବେଶକୁ ରୋକିବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦିଆଯିବ।’’ ସେ ଆହୁରି କହିଲେ, କଲେଜ ପରିସରରେ ଯୁକ୍ତଦୁଇର କ୍ୟାମ୍ପସ ଓ ଯୁକ୍ତତିନି କ୍ୟାମ୍ପସ ରହିଛି। ଯୁକ୍ତଦୁଇ ଛାତ୍ରଙ୍କ ପାଇଁ ନୂଆ ହଷ୍ଟେଲ ନିର୍ମାଣ ସରିଲେ ବହୁ ସମସ୍ୟାର ସମାଧାନ ହୋଇଯିବ।