ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରୁ ୧୧୧ଟି ଅଣଶିକ୍ଷକ ପଦବି ଉଚ୍ଛେଦକୁ ନେଇ ଅସନ୍ତୋଷ ଦାନା ବାନ୍ଧିଛି। ଗୋଟିଏ ପଟେ କର୍ମଚାରୀ ଅଭାବରୁ ବିଶ୍ବବିଦ୍ୟାଳୟ କାର୍ଯ୍ୟ ପ୍ରଭା‌ବିତ ହେଉଥିବା ବେ‌ଳେ ଅନ୍ୟପଟେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଅଣଶିକ୍ଷକ କର୍ମଚାରୀମା‌ନେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଅପରାହ୍ଣରେ ଶତାଧିକ କର୍ମଚାରୀ ପ୍ରାଶାସନିକ ଭବନ ସମ୍ମୁଖରେ ଏକାଠି ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଦାବି କରିଛନ୍ତି।

Advertisment

ଏହି ଅବସରରେ ଉତ୍କଳ ବିଶ୍ବବିଦ୍ୟାଳୟ ଅଣଶିକ୍ଷକ କର୍ମଚାରୀ ସଂଘ ପକ୍ଷରୁ କୁଳପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେଥିରେ ଦର୍ଶାଯାଇଛି ଯେ ବର୍ତ୍ତମାନ ଥିବା ୫୦ଟି ସେକ୍ସନ ଅଫିସର୍‌ ପଦବି ମଧ୍ୟରୁ ୩୫ଟି ଉଚ୍ଛେଦ କରାଯାଇଥିବା ବେଳେ ୯୫ଟି ସିନିଅର ଆସିଷ୍ଟାଣ୍ଟ ପଦବିରୁ ୬୮ ଓ ୫୫ଟି ଜୁନିଅର ଆସିଷ୍ଟାଣ୍ଟରୁ ୫ଟି ଉଚ୍ଛେଦ ହୋଇଛି। ନିଷ୍ପତ୍ତି ଅନୁଯାୟୀ ଏବେ ଯଥାକ୍ରମେ ୧୫ଟି ସେକ୍ସନ ଅଫିସର, ୨୭ଟି ସିନିଅର ଆସିଷ୍ଟାଣ୍ଟ ଓ ୫୦ଟି ଜୁନିଅର ଆସିଷ୍ଟାଣ୍ଟ ପଦବି ରହିବ। ଏହାଦ୍ବାରା ପ୍ରାଶାସନିକ କ୍ଷେତ୍ରରେ ଅବ୍ୟବସ୍ଥା ସୃଷ୍ଟି ହେବ। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ସେବା ମିଳିପାରିବ ନାହିଁ। କର୍ମଚାରୀ ସଂଖ୍ୟା ବର୍ଷକୁ ବର୍ଷ କମ୍‌ ହେଉଥିବାରୁ ଏବେ ଅଧିକାଂଶ କର୍ମଚାରୀ ୨ରୁ ୩ଟି ସେକ୍ସନ ଦାୟିତ୍ବରେ ରହିଛନ୍ତି। କାମ ବୋଝ ବଢ଼ିବାରେ ଲାଗିଛି। କର୍ମଚାରୀ କମ୍‌ ଥିବାରୁ ଛାତ୍ରଛାତ୍ରୀଙ୍କ ନାମଲେଖା ଆବେଦନ, ପରୀକ୍ଷା ଫର୍ମ ପୂରଣ, ପରୀକ୍ଷା ଫଳ ପ୍ରକାଶ ସମେତ ଅନ୍ୟାନ୍ୟ ସେବା ବିଳମ୍ବିତ ହେଉଛି। ଉଚ୍ଛେଦ ପରେ ଏକାଡେମିକ ପ୍ରକ୍ରିୟା ସଂମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହେବା ସହ ନାମଲେଖା ପ୍ରକ୍ରିୟା, ସାର୍ଟିଫିକେଟ୍‌ ପ୍ରଦାନ ସମେତ ଅନେକ ପ୍ରାଶାସନିକ ପ୍ରକ୍ରିୟା ପ୍ରଭାବିତ ହେବ। ଯେଉଁମାନେ ଦୀର୍ଘ ବର୍ଷ ଧରି ଚାକିରି କରିଛନ୍ତି ସେମାନଙ୍କ କ୍ୟାରିୟର ପ୍ରୋଗ୍ରେସନରେ ବାଧା ଉପୁଜିବ। ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ କରାଯାଇଥିବାରୁ ଏଭଳି ନିଷ୍ପତ୍ତି ଦ୍ବାରା ତାହା ମଧ୍ୟ ବାଧାପ୍ରାପ୍ତ ହେବ। ତେଣୁ ନିଷ୍ପତ୍ତିର ପୁନର୍ବିଚାର କରାଯିବା ସହ ବିଜ୍ଞପ୍ତି ପ୍ରତ୍ୟାହାର କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ପଠାଇବାକୁ ସଂଘ ଦାବି କରିଛି।