ସନ୍ଧ୍ୟା ହେଲେ ଇଛା ହୁଏ କିଛି ଚଟ୍ପଟି ଖାଇବାକୁ। କ’ଣ ଖାଇବା ଏ ନେଇ ଚିନ୍ତା ବଢ଼େ। ସବୁଠି ତେଲ ମସଲାଯୁକ୍ତ ଖାଦ୍ୟ। କିନ୍ତୁ ମଧୁସୂଦନ ନଗରସ୍ଥିତ ଓଁ ମା’ କ୍ଷେତଶ୍ୱରୀ ଷ୍ଟଲ୍ର ଅରୁଣ ଭାଇଙ୍କ ନିରାମିଷ ସାଣ୍ଡ୍ଓ୍ଵିଜ୍ ଏ ଚିନ୍ତା ଦୂର କରେ। ଏହା ପାଟିକୁ ସୁଆଦ ପୁଣି ସ୍ୱାସ୍ଥ୍ୟ ଉପଯୋଗୀ ମଧ୍ୟ। ତାଙ୍କର ପନିର ଓ ଚିଜ୍ ସାଣ୍ଡଓ୍ଵିଜ ସତରେ ନିଆରା। ତା’ ସହିତ ଘର ତିଆରି ନଡ଼ିଆ ବାଦାମ୍ ଚଟ୍ନି ଏବଂ ଧନିଆ, ପୁଦିନା ଓ ଲଙ୍କା ଚଟ୍ଣି ମନ ପକାଇ ଦିଏ ମା’ ହାତ ରନ୍ଧା।
ପ୍ରଥମେ ଦୁଇ ଖଣ୍ଡ ବ୍ରେଡ୍ ସ୍ଲାଇସ୍ ନେଇ ସେଥିରେ ବଟର୍ ଓ ପୁଦିନା ଚଟ୍ନି ଲଗାଯାଏ। ଏହା ପରେ ଗୋଟିଏ ବ୍ରେଡ୍ ଖଣ୍ଡ ଉପରେ କଞ୍ଚା ସିମ୍ଲା ଲଙ୍କା, ପୂର୍ବରୁ ରଖାଯାଇଥିବା ଆଳୁ କଷା, କଞ୍ଚା ଟମାଟୋ ସୁନ୍ଦର ଭାବରେ ସଜାଇ ତା’ ଉପରେ ଗ୍ରାହକଙ୍କ ପସନ୍ଦ ମୁତାବକ ଚିଜ୍ କିମ୍ବା ପନିର୍ ସ୍ଲାଇସ୍ କରି ପକାଯାଇଥାଏ। ପୁଣି ଏହା ଉପରେ କଞ୍ଚା ପିଆଜ, କାକୁଡ଼ି, ବିଟ୍ ସଜାଇ ଗରମ ମସଲା ଓ ବିଟ୍ ଲୁଣ ପକାଇ ଏହାକୁ ଦ୍ୱିତୀୟ ବ୍ରେଡ୍ ସ୍ଲାଇସ୍ ସହ ଆବଦ୍ଧ କରାଯାଏ। ଏହାକୁ ସାଣ୍ଡଓ୍ଵିଜ୍ ଟୋଷ୍ଟର୍ରେ ମଧ୍ୟମ ଆଞ୍ଚରେ ରୋଷ୍ଟ୍ କରାଯାଇଥାଏ। ରୋଷ୍ଟ ହେଉଥିବା ସମୟରେ ସେଥିରେ ବଟର୍ ଲଗାଯାଇଥାଏ। ସମ୍ପୂର୍ଣ୍ଣ ରୋଷ୍ଟ ହେବା ପରେ ଏହାକୁ ପ୍ଲେଟ୍କୁ କାଢ଼ି ୪ ଖଣ୍ଡ କରି ଟମାଟୋ ସସ୍, ନଡ଼ିଆ ବାଦାମ୍ ଚଟ୍ନି ଏବଂ ଧନିଆ, ପୁଦିନା ଓ ଲଙ୍କା ଚଟ୍ନି ସହ ଗରମ୍ ଗରମ୍ ପରଶି ଦିଆଯାଏ। ଗୋଟିଏ ସାଣ୍ଡଓ୍ଵିଜ୍ର ଦାମ୍ ମାତ୍ର ୩୦ ଟଙ୍କା ରହିଛି। ସାଣ୍ଡଓ୍ଵିଚ୍ ପ୍ରିୟ ଲୋକଙ୍କୁ ତ’ ଥରେ ଏଠାକୁ ବୁଲି ଯିବାକୁ ପଡ଼ିବ।