ବାଣୀବିହାରରେ ହେବ ଉତ୍ତର ପୂର୍ବାଞ୍ଚଳ ଅଧ୍ୟୟନ କେନ୍ଦ୍ର

ଫେବ୍ରୁଆରିରେ ଭିତ୍ତିପ୍ରସ୍ତର ସ୍ଥାପନ, ଆଇବିଏସ୍‌ଡି ସହ ହେବ ରାଜିନାମା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାାଳୟରେ ପ୍ରତିଷ୍ଠା ହେବ ଉତ୍ତର ପୂର୍ବାଞ୍ଚଳ ଅଧ୍ୟୟନ କେନ୍ଦ୍ର। ଫେବ୍ରୁଆରି ମାସ ସୁଦ୍ଧା କେନ୍ଦ୍ରର ଭିତ୍ତିପ୍ରସ୍ତର ପଡ଼ିବ। ଏଠାରେ ଉତ୍ତର ପୂର୍ବ ଭାରତର ପ୍ରାକୃତିକ ସମ୍ପଦ ଓ ସଂସ୍କୃତି ବିଷୟରେ ଶିକ୍ଷାଦାନ ଓ ଗବେଷଣା କରାଯିବ। ପ୍ରଥମ ପର୍ଯ୍ୟାୟରେ ଶିକ୍ଷା ବିନିମୟ ଯୋଜନାରେ ଛାତ୍ରଛାତ୍ରୀ ଓ ଅନ୍ତଃବିଷୟ ଗବେଷଣା ଲାଗି ମଣିପୁର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବାୟୋରିସୋର୍ସେସ୍‌ ଆଣ୍ଡ ସଷ୍ଟେନେବଲ୍‌ ଡେଭ୍‌ଲପ୍‌ମେଣ୍ଟ(ଆଇବିଏସ୍‌ଡି) ସହିତ ଉତ୍କଳ ବିଶ୍ୱବିଦ୍ୟାଳୟର ବାୟୋ-ଟେକ୍ନୋଲୋଜି, ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀବିଜ୍ଞାନ ମଧ୍ୟରେ ରାଜିନାମା ହେବ। ପରେ ଏହି କେନ୍ଦ୍ରରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରଚଳିତ ହେବ। ଏଥିରେ ଉତ୍ତରପୂର୍ବ ଭାରତର ସଂସ୍କୃତି, ପରମ୍ପରା, ଐତିହ୍ୟ, ଜୈବବିବିଧତା, ପର୍ଯ୍ୟଟନ, ଆଦିବାସୀଙ୍କ ଜୀବନଶୈଳୀ ଓ ଜୀବିକା ଉପରେ ଶିକ୍ଷା ବିନିମୟ ପାଠ୍ୟକ୍ରମକୁ ସାମିଲ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଆସନ୍ତା ଜାନୁଆରି ୨୭ରେ ହେବାକୁ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ୍‌ ବୈଠକରେ ଏ ସମ୍ପର୍କିତ ପ୍ରସ୍ତାବରେ ମୋହର ଲାଗିବ। ଏହାପରେ କେନ୍ଦ୍ର ପ୍ରତିଷ୍ଠା ଲାଗି ପ୍ରସ୍ତାବ ଦିଆଯିବ ବୋଲି ଜଣାପଡ଼ିଛି। ମଣିପୁରସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ମଧ୍ୟରେ ରାଜିନାମା ହେବ। ଏହାଦ୍ୱାରା ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ୍‌, ନାଗାଲାଣ୍ଡ, ସିକିମ ଓ ତ୍ରିପୁରାର ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଗବେଷକ, ଶିକ୍ଷକ ଉପକୃତ ହୋଇପାରିବେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷା ବିନିମୟ କାର୍ଯ୍ୟକ୍ରମ ହେବ ବୋଲି ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମଣିପୁରର ଶିକ୍ଷା, ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଥୋକ୍‌ଚମ୍‌ ରାଧେଶ୍ୟାମ ସିଂହ କହିଛନ୍ତି।

ଆଇବିଏସ୍‌ଡି ନିର୍ଦେଶକ ପ୍ରଫେସର ଦୀନବନ୍ଧୁ ସାହୁ ଯୋଗଦେଇ କହିଲେ ଓଡ଼ିଶାରେ ଉତ୍ତର ପୂର୍ବାଞ୍ଚଳ ଅଧ୍ୟୟନ କେନ୍ଦ୍ର ପ୍ରତିଷ୍ଠା ପାଇଁ କୁଳାଧିପତି ତଥା ରାଜ୍ୟପାଳ ଡ.ଏସ୍‌.ସି.ଜମିରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଏହି କେନ୍ଦ୍ରକୁ ଉତ୍କଳରେ ପ୍ରତିଷ୍ଠା କରିବାକୁ ସେ ପରାମର୍ଶ ଦେଇଥିଲେ। କୁଳପତିଙ୍କଠାରୁ ପ୍ରସ୍ତାବ ମିଳିବା କ୍ଷଣି କାର୍ଯ୍ୟ ଆରମ୍ଭ ହେବ। ଆସନ୍ତା ଶିକ୍ଷାବର୍ଷରୁ ଏହି କେନ୍ଦ୍ରକୁ କାର୍ଯ୍ୟକ୍ଷମ କରାଯିବ। ବିଶ୍ୱର ୧୦ଟି ଶ୍ରେଷ୍ଠ ବାୟୋ ଡାଇଭରସିଟି ମଧ୍ୟରେ ଦେଶର ଉତ୍ତର ପୂର୍ବଞ୍ଚଳ ରାଜ୍ୟଗୁଡ଼ିକ ରହିଛି। ସେଗୁଡ଼ିକ ସହ ଓଡ଼ିଶା ମିଳିତ ଭାବେ କାର୍ଯ୍ୟକ୍ରମ ହାତକୁ ନେଲେ ଛାତ୍ରଛାତ୍ରୀ ବେଶ୍‌ ଉପକୃତ ହୋଇପାରିବେ।

ଉତ୍କଳ ବିଶ୍ୱବିିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଯୋଗଦେଇ ଉତ୍ତର ପୂର୍ବାଞ୍ଚଳ ଅଧ୍ୟୟନ କେନ୍ଦ୍ର ପ୍ରତିଷ୍ଠା ପାଇଁ ମାଗଣାରେ ଜାଗା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମରେ କୁଳସଚିବ ଦୟାନିଧି ନାୟକ, ସିଡିସି ନିର୍ଦେଶକ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ଆଇକ୍ୟୁଏସ୍‌ସି ନିର୍ଦେଶକ ପ୍ରଫେସର କିଶୋର ବାସା, ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧିତ ଖବର