ଚନ୍ଦ୍ରଶେଖରପୁର: ମା’ ଦୁର୍ଗାଙ୍କ ଭସାଣି ଉତ୍ସବକୁ ନେଇ ଉତ୍ତର ଭୁବନେଶ୍ବରରେ ରାଜ‌ନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ବିଜେପି ନେତାମାନଙ୍କୁ ମଞ୍ଚରେ ବସାଇ ଉତ୍ତର ଭୁବନେଶ୍ବର ଭସାଣି ସମିତି ବୈଠକ କରିବାର ଗୋଟିଏ ଦିନ ପରେ ଉତ୍ତର ଭୁବନେଶ୍ବର ଭସାଣି କମିଟି ଆଜି ବିଜେଡି ନେତାମାନଙ୍କୁ ଏକାଠି କରି ଶକ୍ତି ପ୍ରଦର୍ଶନ କରିଛି। ପଟିଆସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ବୈଠକରେ ସ୍ଥାନୀୟ ବିଜେଡି ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ସମସ୍ତେ ଏକାଠି ହୋଇ ଭସାଣି ଉତ୍ସବକୁ ସରସ ସୁନ୍ଦର କରିବାକୁ ଆହ୍ବାନ ଦେଇଥିଲେ। ଶ୍ରୀ ରାଉତ କହିଛନ୍ତି, ଉତ୍ତର ଭୁବନେଶ୍ବର ହେଉଛି ଭାଇଚାରାର ନିର୍ବାଚନମଣ୍ଡଳୀ। ରାଜନୈତିକ ଦଳ ଓ ଧର୍ମ ନିର୍ବିଶେଷରେ ସମସ୍ତେ ଏକତ୍ର ହୋଇ ମା’ଙ୍କ ଆରାଧନା କରିଥାନ୍ତି। ବହୁ ବର୍ଷ ଧରି ଚାଲି ଆସିଥିବା ଏହି ପରମ୍ପରାକୁ ବଜାୟ ରଖିବାକୁ ପଡ଼ିବ। ପୂଜାମଣ୍ଡପଗୁଡ଼ିକ କିଭଳି ଆକର୍ଷଣୀୟ ହୋଇପାରିବ ସେଥିପାଇଁ ପ୍ରତି ପୂଜାମଣ୍ଡପକୁ ଏ ବର୍ଷ ବିଧାୟକ ପାଣ୍ଠିରୁ ଏକ ଲକ୍ଷ ଟଙ୍କା ଲେଖାଏ ସହାୟତା ଦିଆଯିବ ବୋଲି ସେ ଘୋ‌ଷଣା କରିଥିଲେ।
Advertisment
କମିଟିର ସଭାପତି କିଶୋର ଜେନା ବୈଠକରେ ଅଧ୍ୟକ୍ଷତା କରି କହିଲେ ସ୍ବର୍ଗତ ରଜନୀ ଜେନାଙ୍କ ପ୍ରଚେଷ୍ଟାରେ ଏହି ଅଞ୍ଚଳର ସମସ୍ତ ପୂଜା କମିଟି ସହଯୋଗରେ ଭସାଣି ଉତ୍ସବ ଆରମ୍ଭ ହୋଇଥିଲା। ଏକ ଅଣ‌ରାଜନୈତିକ ସଙ୍ଗଠନ ଭାବେ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରି ଆସୁଛି। ଆଗାମୀ ଦିନରେ ସେହି ଧାରା ବଜାୟ ରହିବ ବୋଲି ସେ କହିଥିଲେ। ଏହି ଅବସରରେ କମିଟି ପକ୍ଷରୁ ଘୋଷଣା ହୋଇଛି ଯେ ପ୍ରତି ଦୁର୍ଗାପୂଜା ମଣ୍ଡପକୁ ୩୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ। ଗତବର୍ଷ ପରି ଏଥର ମଧ୍ୟ ଡମଣା ଗ୍ରାମବାସୀ ଓ ପୁଲିସ ସହଯୋଗରେ ଡମଣା ପଡ଼ିଆରେ ହିଁ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତ୍ତରେ ସମସ୍ତ ସଦସ୍ୟ ପୂଜା କମିଟି ନିଜ ସ୍ବାଭିମାନ ବଜାୟ ରଖି ଚଳିତବର୍ଷ ଭସାଣି ଉତ୍ସବକୁ ସରସ ସୁନ୍ଦର କରିବାକୁ ବିଏମ୍‌ସି ୧ ନମ୍ବର ୱାର୍ଡ କର୍ପୋରେଟର ତଥା କମିଟିର ଅନ୍ୟତମ ଉଦ୍ୟୋକ୍ତା ମିହିର କୁମାର ରାଉତ ଆହ୍ବାନ ଦେଇଛନ୍ତି।
୧୬ ମଣ୍ଡପକୁ ଏକାଠି କଲା ଉତ୍ତର ଭୁବନେଶ୍ବର ଭସାଣି କମିଟି
କମିଟି ପକ୍ଷରୁ ପ୍ରତି ମଣ୍ଡପକୁ ଦିଆଯିବ ୩୦ ହଜାର ଟଙ୍କା
ଡମଣା ପଡ଼ିଆରେ ଭସାଣି ଉତ୍ସବ କରିବାକୁ ଘୋଷଣା
ବୈଠକରେ ବିଜେଡି ନେତା ସୁବାସ ଚନ୍ଦ୍ର ପାତ୍ରଙ୍କ ସମେତ ଜୋନ୍‌-୬ର ଏସିପି, ସମସ୍ତ ଥାନାର ଭାରପ୍ରାପ୍ତ ଅଧିକାରୀ ସାମିଲ ହୋଇ ଶାନ୍ତିଶୃଙ୍ଖଳାର ସହ ଭସାଣି ଉତ୍ସବ ପାଳନ କରିବାକୁ ନିବେଦନ କରିଥିଲେ। ବୈଠକରେ ୧୬ଟି ପୂଜା କମିଟି ଯଥା ଗାଡ଼କଣ, ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ, ଡିଷ୍ଟିକ୍ଟ ସେଣ୍ଟର, ଶୈଳଶ୍ରୀବିହାର ଫେଜ୍‌-୬, ଶୈଳଶ୍ରୀବିହାର ଫେଜ୍‌-୨, ବିଡିଏ କଲୋନି, ପ୍ରଶାନ୍ତିବିହାର, ଶିଖରଚଣ୍ଡୀନଗର, ଇଞ୍ଜଣା, ଟାଙ୍ଗିବନ୍ତ, ରଘୁନାଥପୁର, ନନ୍ଦନବିହାର, ନନ୍ଦନ ଏନ୍‌କ୍ଲେଭ୍‌, ଡମଣା, କଳାରାହାଙ୍ଗର ମହାବୀରନଗର, ନୀଳମାଧବ ଆବାସର ସଦସ୍ୟମାନେ ସାମିଲ ହୋଇଥିଲେ। ବିଭିନ୍ନ ପୂଜା କମିଟିର ସୁ‌ରେଶ ଚନ୍ଦ୍ର ମହାପାତ୍ର, ପ୍ରକାଶ ଶତପଥୀ, ସୁକାନ୍ତ ପରିଡ଼ା, ବିଶ୍ବନାଥ ମହାନ୍ତି, ଅଭୟ ମିଶ୍ର, ବୀରେନ୍ଦ୍ର ଜେନା, ଆଶୁତୋଷ ଦାସ, କଳ୍ପନା ସାମଲ, ଜଗବନ୍ଧୁ ପରିଡ଼ା, ନରେଶ ରାଓ, ମୃତ୍ୟୁଞ୍ଜୟ ଦାଶ ପ୍ରମୁଖ ମତ ରଖିଥିଲେ। କମିଟିର ଉପଦେଷ୍ଟା ସୁରେଶ ଚନ୍ଦ୍ର ରଥ ସ୍ବାଗତ ଭାଷଣ ଦେଇଥିବା ବେଳେ ସମାଜସେବୀ ଭଗବାନ ଦାଶ ଓ ଚନ୍ଦ୍ରଶେଖର ସାହାଣୀ ମଞ୍ଚ ପରିଚାଳନା କରିଥିଲେ। ସମ୍ପାଦକ ସନ୍ତୋଷ ମହାନ୍ତି ଧନ୍ୟବାଦ ଦେଇଥିଲେ।
ସୂଚନାଯୋଗ୍ୟ ଯେ ଦୁଇଦିନ ତଳେ ବିଜେପି ପକ୍ଷରୁ ବିଭିନ୍ନ ପୂଜା କମିଟିକୁ ନେଇ ଭସାଣି ପାଇଁ ପ୍ରସ୍ତୁତି ବୈଠକ ହୋଇଥିଲା। ଏଥିରେ ସାଂସଦଙ୍କ ତରଫରୁ ପୂଜା କମିଟିଗୁଡ଼ିକୁ ଏକ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା। ତେଣୁ ବିଭିନ୍ନ ପୂଜା କମିଟିକୁ ନିଜ ସପକ୍ଷରେ ନେବା ପାଇଁ ବିଜେଡି-ବିଜେପି ମଧ୍ୟରେ ଚାଲିଥିବା ଟଣାଓଟରା ଭସାଣି ପ୍ରସ୍ତୁତି ବୈଠକ ପରେ ରୋଚକ ସ୍ଥିତିରେ ପହଞ୍ଚିଛି।