ଚନ୍ଦ୍ରଶେଖରପୁର: ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ଘଟିଛି। ଶେଷକୁ ରାଜନୀତି ପଶାପାଲିରେ ଏବର୍ଷ ମଧ୍ୟ ଉତ୍ତର ଭୁବନେଶ୍ବର ଭସାଣି ଉତ୍ସବ ଦୁଇ ଭାଗ ହୋଇଛି। ଉତ୍ତର ଭୁବନେଶ୍ବର ଭସାଣି କମିଟି ପକ୍ଷରୁ ଗତବର୍ଷ ପରି ଏଥର ମଧ୍ୟ ଡମଣା ଦୁର୍ଗାପୂଜା ପଡ଼ିଆ ଏବଂ ଉତ୍ତର ଭୁବନେଶ୍ୱର ଭସାଣି ସମିତି ପକ୍ଷରୁ କ୍ଲବ୍‌ ଟାଉନ୍‌ ପଡ଼ିଆରେ ଭସାଣି ଉତ୍ସବ ଆୟୋଜିତ ହୋଇଥିଲା। କେଉଁ ସ୍ଥାନକୁ କେତେ ମେଢ଼ ଯାଉଛନ୍ତି ତାହାକୁ ନେଇ ଉଭୟ ଅନୁଷ୍ଠାନ ମଧ୍ୟରେ ଟଣାଓଟରା ଚାଲିଥିଲା। ରିପୋର୍ଟ ଲେଖାଯିବା ବେ‌ଳକୁ ସଂଖ୍ୟା ଖେଳ ଜାରି ରହିଛି। ଉଭୟ ଭସାଣି ଅନୁଷ୍ଠାନର ସଦସ୍ୟ ରହିଥିବା କିଛି କମିଟି ସମଦୂରତା ରକ୍ଷା କରି ସେମାନଙ୍କ ମେଢ଼କୁ କୌଣସି ବି ଉତ୍ସବରେ ସାମିଲ କରି ନ ଥିଲେ। ବରଂ ଏକା ଏକା ଶୋଭାଯାତ୍ରା କରି କୁଆଖାଇ ନଦୀରେ ମା’ଙ୍କୁ ମେଲାଣି ଦେଇଛନ୍ତି। ଡମଣା ପୂଜା ମଣ୍ଡପ ମେଢ଼ ଉଭୟ ଅନୁଷ୍ଠାନର ଭସାଣି ଉତ୍ସବରେ ସାମିଲ ହୋଇ ନିଆରା ରେକର୍ଡ କରିଛି।

Advertisment

ରିପୋର୍ଟ ଲେଖାଯିବା ବେଳକୁ ଡମଣା ଦୁର୍ଗାପୂଜା ପଡ଼ିଆରେ ଅନୁଷ୍ଠିତ ଉତ୍ସବରେ ୧୨ଟି ମେଢ଼ ଏବଂ କ୍ଲବ ଟାଉନ୍‌ ନିକଟ ପଡ଼ିଆରେ ୯ଟି ମେଢ଼ ସାମିଲ ହୋଇଛନ୍ତି। କେଉଁଠି କେତେ ମେଢ଼ ହେଲେ ତାହା ଯେତିକି ଗୁରୁତ୍ବ ବହନ କରୁନି, ତା’ଠାରୁ ଅଧିକ ଚର୍ଚ୍ଚାର ବିଷୟ ହେଉଛି ବର୍ତ୍ତମାନ ବିଧାୟକ ସୁଶାନ୍ତ କୁମାର ରାଉତ ଓ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ଉପସ୍ଥିତିକୁ ନେଇ ଭୁବନେଶ୍ବରରେ ରାଜନୀତି ଜୋର ଧରିଛି। ଉଭୟ ଅନୁଷ୍ଠାନର ସମସ୍ତ ମେଢ଼ ପଡିଆରୁ ବାହାରୁ ଡମଣା, ନାଲକୋ ଛକ, ସୈନିକ ସ୍କୁଲ,  ଆଚାର୍ଯ୍ୟବିହାର ଦେଇ କୁଆଖାଇକୁ ବିସର୍ଜନ ପାଇଁ ଯାଇଛନ୍ତି। ପାରମ୍ପରିକ ଢୋଲ, ଘୋଡ଼ା ନାଚ, ବାଘ ନାଚରେ ମା’ଙ୍କୁ ଭସାଣିରେ ନିଆଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତି ପରିବେଶକୁ ଭକ୍ତିମୟ କରିଥିଲା।

ଉତ୍ତର ଭୁବନେଶ୍ବର ଭସାଣି କମିଟି ସଭାପତି କିଶୋର ଜେନାଙ୍କ ସଭାପତିତ୍ୱରେ ଡମଣା ଦୁର୍ଗାପୂଜା ପଡ଼ିଆରେ ଅନୁଷ୍ଠିତ ଉତ୍ସବରେ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ କହିଲେ ଦୀର୍ଘବର୍ଷ ହେଲା ମା’ଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହେଉଛି। ଦୁଇଟି ମେଢ଼କୁ ନେଇ ଆରମ୍ଭ ହୋଇଥିବା ଏହି ଉତ୍ସବ ଆଜି ବିଶାଳ ରୂପ ନେଇଛି। ଅଧିକରୁ ଅଧିକ ସଂଖ୍ୟକ ପୂଜା କମିଟି ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିବା ଖୁସିର ବିଷୟ। ସମସ୍ତେ ମିଳିମିଶି ଏଭଳି ଭାଇଚାରା ବଜାୟ ରଖିବାକୁ ସେ ଆହ୍ବାନ ଦେଇଥିଲେ। ଭୁବନେଶ୍ବର ମେୟର ସୁଲୋଚନା ଦାସ, କମିଟି ସମ୍ପାଦକ ସନ୍ତୋଷ ମହାନ୍ତି, କର୍ପୋରେଟର ତଥା ଭସାଣି କମିଟିର ଉଦ୍ୟୋକ୍ତା ମିହିର କୁମାର ରାଉତ, ସୁବାସ ଚନ୍ଦ୍ର ପାତ୍ର, ସୁରେଶ  ମହାପାତ୍ରଙ୍କ ସହ ସମସ୍ତ ଦୁର୍ଗାପୂଜା କମିଟିର କର୍ମକର୍ତ୍ତା ଉପସ୍ଥିତି ଥିଲେ। ଏହି ଅବସରରେ ଗାଡ଼କଣ ଦୁର୍ଗାପୂଜା ପକ୍ଷରୁ ଏକ କ୍ବିଣ୍ଟାଲ ୨୦ କେଜିର ଲଡୁ ନିଲାମ ହୋଇଥିଲା ଏବଂ ଇଞ୍ଜଣା ଦୁର୍ଗାପୂଜା କମିଟି ଏହି ଲଡୁକୁ ୧ ଲକ୍ଷ ଟଙ୍କାରେ ନିଲାମ ଧରିଥିଲେ। ଭକ୍ତମାନଙ୍କ ମଧ୍ୟରେ ଏହି ଲଡ଼ୁ ବଣ୍ଟନ ହୋଇଥିଲା।

ଭୁବନେଶ୍ବର ଉତ୍ତର ପୂଜା ସମିତିର ସାଧାରଣ ସମ୍ପାଦକ ସରୋଜ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ବିଧାୟକ ତଥା ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର, ସଭାପତି ରଶ୍ମିରେଖା ଜେନା, ଉପଦେଷ୍ଟା ମଧୁମାଧବ ଜେନା, ସମରେନ୍ଦ୍ର ସାହୁ, ଡମଣା ଦୁର୍ଗାପୂଜା କମିଟି ସଭାପତି ନିଶାକର ସାହୁ, କର୍ପୋରେଟର ଯଶୋଧାରା ପ୍ରଧାନ, ଅଶୋକ ପାତ୍ର, ବିଜେପି ନେତା କୁନାଲ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ନୀଳାଦ୍ରିବିହାର ଦୁର୍ଗାପୂଜା ପକ୍ଷରୁ ଦେଢ଼ କ୍ବିଣ୍ଟାଲ ଓଜନର ଲଡୁ ନିଲାମ ହୋଇଥିଲା। ମହୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।