ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ: ଭୋଟ ଝୁଲା ବଢ଼ାଇବାକୁ ପ୍ରୟାସ

ପୌର ନିର୍ବାଚନରେ ବିଜେଡି ପାଇଥିଲା ୫୧ ହଜାର

ଚନ୍ଦ୍ରଶେଖରପୁର: ଭୋଟ ହା‌ତେଇବାକୁ ପାଗ ଭିଡ଼ିଲେଣି ନେତା। ଗଳିକନ୍ଦିରେ ବୈଠକ କରି କର୍ମୀଙ୍କୁ ଏକାଠି କରୁଛନ୍ତି। ୱାର୍ଡସ୍ତରୀୟ ନେତାମାନେ ପ୍ରଚାରର ମଙ୍ଗ ଧରିଛନ୍ତି। ଘନଘନ ବୈଠକ କରି କର୍ପୋରେଟରମାନେ ଭୋଟରଙ୍କ ନିକଟତର ହେଉଛନ୍ତି। ନାମାଙ୍କନ ଦାଖଲ ପୂର୍ବରୁ ସରଗରମ ହେଉଥିବା ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ଭୋଟହାର ବଢ଼ାଇବାକୁ ମାନସମନ୍ଥନ ଆରମ୍ଭ ହୋଇଛି। ଦୁଇ ବର୍ଷ ତଳେ ଅର୍ଥାତ୍‌ ୨୦୨୨ ପୌର ନିର୍ବାଚନରେ କେଉଁ ଦଳ କେ‌ଉଁ ୱାର୍ଡରେ କେତେ ଭୋଟ ହାତେଇଥିଲେ ତାହାର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରୁଛନ୍ତି ବିଜେଡି ଓ ବିଜେପି। ଯେଉଁଠି ତ୍ରୁଟି ରହିଥିଲା ତାହାକୁ କିଭଳି ସୁଧାରି ଭୋଟ ପ୍ରତିଶତ ବଢ଼ାଯାଇପାରିବ ସେନେଇ ନେତା ଓ କର୍ମୀମାନେ ଆଲୋଚନା କରୁଛନ୍ତି। ବିଏମ୍‌ସିର ୨୪ଟି ୱାର୍ଡ ଥିବା‌ ଏହି ନିର୍ବାଚନମଣ୍ଡଳୀର ବିଜେଡି ୧୮ଟି ୱାର୍ଡରେ ବିଜୟ ବାନା ଉଡ଼ାଇଥିଲା। ୩ଟି ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ। ବିଜେପି ଝୁଲାକୁ ଯାଇଥିଲା ମାତ୍ର ୩ଟି ୱାର୍ଡ। ୩, ୪ ଓ ୭ ନମ୍ବର ୱାର୍ଡରେ ବିଜେପି ପ୍ରାର୍ଥୀ ବିଜୟ ହୋଇଥିବା ବେଳେ ୯, ୧୩ ଓ ୧୫ ନମ୍ବର ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ ବିଜୟ ଲାଭ କରିଥିଲେ। ଏବଂ ଦ୍ବିତୀୟ ସ୍ଥାନରେ ବିଜେଡି ପ୍ରାର୍ଥୀ ରହିଥିଲେ। ତେବେ ନିର୍ବାଚନ ପରବର୍ତ୍ତୀ ସମୟରେ ତିନିଜଣ ଯାକ ସ୍ବାଧୀନ କର୍ପୋରେଟର ବିଜେଡିରେ ସାମିଲ ହୋଇଛନ୍ତି। ଏବେ ବିଜେଡି ପ୍ରାର୍ଥୀଙ୍କ ପାଇଁ ସ୍ବାଧୀନ କର୍ପୋରେଟର ଓ ‌କର୍ମୀମାନେ କାମ କରୁଥିବା ଦେଖିବାକୁ ମିଳିଛି।

ପୌର ନିର୍ବାଚନରେ ବିଜେଡି ପାଇଥିଲା ୫୧ ହଜାର
ବିଜେପି ପ୍ରାର୍ଥୀ ପାଇଥିଲେ ୩୦ ହଜାର ଭୋଟ
ସ୍ବାଧୀନଙ୍କ ସମର୍ଥନ ପାଇବାକୁ ଆପ୍ରାଣ ଉଦ୍ୟମ

ଭୋଟହାରକୁ ନିରିଖି ଦେଖିଲେ ୨୪ ୱାର୍ଡ ମଧ୍ୟରୁ ବିଜେଡି ୧୮ଟି ୱାର୍ଡରେ ବିଜୟ ବାନା ଉଡ଼ାଇଥିଲା ଏବଂ ୬ଟି ଯାକ ପରାଜିତ ୱାର୍ଡରେ ଦ୍ବିତୀୟ ସ୍ଥାନରେ ରହିଥିଲା। ୪ଟି ୱାର୍ଡ‌‌ରେ ପରାଜୟର ବ୍ୟବଧାନ ବହୁତ କମ୍‌ ଥିଲା। ବିଜେଡି ପ୍ରାର୍ଥୀ ୫୦ ହଜାର ୮୧୬ ଭୋଟ ହାତେଇଥିଲେ। ଯେତେବେଳେ କି ବିଜେପି ପ୍ରାର୍ଥୀମାନେ ୩୦ ହଜାର ଭୋଟ ପାଇଥିଲେ। ୧୪, ୧୮ ଓ ୨୦ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ଜିତିଥିବା ବେଳେ ସ୍ବାଧୀନ ପ୍ରାର୍ଥୀମାନେ ଦ୍ବିତୀୟ ସ୍ଥାନରେ ରହିଥିଲେ ଏବଂ ବିଜେପି ପ୍ରାର୍ଥୀ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ। ୨୪ଟି ୱାର୍ଡରେ ସ୍ବାଧୀନ ଭାବେ ଛିଡ଼ା ହୋଇ ପରାସ୍ତ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଅଧିକାଂଶ ଏବେ ଶଙ୍ଖ ଶିବିରରେ ସାମିଲ ହୋଇଛନ୍ତି। କିଛି ପ୍ରାର୍ଥୀ ବିଜେପି ମୁହାଁ ହୋଇଛନ୍ତି। ଯେଉଁମାନଙ୍କୁ ସାଙ୍ଗରେ ଧରି ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀ ଏବେ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ସଜବାଜ ହୋଇଛନ୍ତି। ଏହାରି ଭିତରେ ସପ୍ତାହକ ମଧ୍ୟରେ ନିର୍ବାଚନମଣ୍ଡଳୀରେ ବ୍ୟାପକ ଦଳ ଅଦଳବଦଳ ହୋଇଥିବାରୁ ଉଭୟ ଶିବିର ଏବେ ଚଳଚଞ୍ଚଳ ରହିଛି। ତେବେ ସବୁ ଦଳ ପାଇଁ ଏବେ ମତଦାନହାର ଚିନ୍ତାର କାରଣ ପାଲଟିଛି। କାରଣ ୨୦୨୨ ବିଏମ୍‌ସି ନିର୍ବାଚନକୁ ଦେଖିଲେ ୩, ୬, ୭, ୧୦, ୧୧, ୧୨,୧୪, ୧୫ ୨୦, ୨୬ ଓ ୨୭ ନମ୍ବର ୱାର୍ଡରେ ବିଜୟୀ ପ୍ରାର୍ଥୀଙ୍କ ଭୋଟ ଦୁଇ ହଜାର ଟପି ନ ଥିଲା। ମତଦାତାଙ୍କ ସଂଖ୍ୟା ଅଧିକ ରହିଥିଲେ ମଧ୍ୟ ବହୁ ସଂଖ୍ୟକ ଭୋଟର ମତଦାନ କେନ୍ଦ୍ରକୁ ଆସି ନ ଥିଲେ। ଯେଉଁମାନେ ମତାଧିକାର ସାବ୍ୟସ୍ତ କରିବାକୁ ଆସୁ ନାହାନ୍ତି ସେମାନଙ୍କ ଉପରେ ଉଭୟ ଦଳର କର୍ମୀମାନଙ୍କ ନଜର ରହିଛି। ଯେକୌଣସି ପ୍ରକା‌ରେ ସେମାନଙ୍କୁ ମନାଇ ମତଦାନ କେନ୍ଦ୍ରକୁ ଆସିବା ସହ ସେହି ବ୍ୟକ୍ତିଙ୍କ ଭୋଟ ଯେପରି ଦଳୀୟ ପ୍ରାର୍ଥୀଙ୍କୁ ମିଳିବ ସେଦିଗରେ ବିଜେଡି ଓ ବିଜେପି କର୍ମୀମାନେ ଗୁରୁତ୍ବ ଦେଉଛନ୍ତି।

ସମ୍ବନ୍ଧିତ ଖବର