ଶିଖରଚଣ୍ଡୀର ବିକାଶ କେବେ? ୬ ବର୍ଷ ହେଲା ଘୋଷଣାରେ ଅଟକିଛି ପ୍ରକଳ୍ପ

ଉତ୍ତର ଭୁବନେଶ୍ବରର ପର୍ଯ୍ୟଟନ ହବ୍‌ ହେବ

ଚନ୍ଦ୍ରଶେଖରପୁର: ଶିଖରଚଣ୍ଡୀର ବିକାଶ ଲାଗି ୨୦୧୩ରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ରାଜ୍ୟ ସରକାର। ଯୋଜନା ଅନୁଯାୟୀ, ଶିଖରଚଣ୍ଡୀ ପାହାଡ଼ ପାଦଦେଶରେ ଏକ ରିକ୍ରିଏସନାଲ ହବ୍‌ ତଥା ଚିତ୍ତ ବିନୋଦନ କେନ୍ଦ୍ର ନିର୍ମାଣ ହୋଇଥାନ୍ତା। ପର୍ଯ୍ୟଟକଙ୍କ ଲାଗି ଏକ ପାର୍କ ନିର୍ମାଣ କରାଯିବାର ଥିଲା। ଏହି ପ୍ରାକୃତିକ ପରିବେଶର ଆଲୋକୀକରଣ ସହ ପର୍ଯ୍ୟଟକଙ୍କ ବସିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ବି ପ୍ରସ୍ତାବରେ ରହିଥିଲା। ଜୈବ ବିବିଧତାକୁ ଦୃଷ୍ଟିରେ ରଖି ଏହା ପରିସରରେ ଥିବା ବିରଳ ପ୍ରଜାତିର ବୃକ୍ଷଗୁଡ଼ିକର ସଂରକ୍ଷଣ କରାଯିବାକୁ ବି ସ୍ଥିର ହୋଇଥିଲା। ଏହା ମଧ୍ୟରେ ୬ ବର୍ଷ ବିତିଗଲାଣି। ହେଲେ ଏହାର ବିକାଶ ଦୂରର କଥା, ଏବେ ଦିନକୁ ଦିନ ବିନାଶ ହେବାରେ ଲାଗିଛି। ଜନ ପ୍ରତିନିଧିମାନେ ବି ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ଏହି ପ୍ରମୁଖ ପର୍ଯ୍ୟଟନସ୍ଥଳୀର ବିକାଶ ଲାଗି ବାରମ୍ବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତଥାପି କେହି ଶୁଣୁନାହାନ୍ତି। ବୈଠକ ପରେ ବୈଠକ ହେଉଛି ସତ, କିନ୍ତୁ ବିକାଶ କେବେ ହେବ, ସେ ନେଇ କାହା ପାଖରେ ଉତ୍ତର ନାହିଁ।

ସୂଚନା ଅନୁଯାୟୀ, ପର୍ଯ୍ୟଟନ ଓ ସାଧାରଣ ପ୍ରଶାସନ ବିଭାଗ ମିଳିତ ଭାବେ ଏହାକୁ ରାଜ୍ୟର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରିଥିଲେ। ଭୁବନେଶ୍ବରର ‘ଟେମ୍ପଲ୍‌ ସର୍କିଟ୍‌’ ଭାବେ ଶିଖରଚଣ୍ଡୀର ଉନ୍ନତୀକରଣ ପାଇଁ ସ୍ଥିର ହୋଇଥିଲା। ଉଭୟ ବିଭାଗର ଏକ ଟିମ୍‌ ସେଠାକୁ ଏକାଧିକଥର ଗସ୍ତ କରିବା ସହ ପର୍ଯ୍ୟଟକଙ୍କ ଲାଗି କେଉଁଠି କେଉଁ ସୁବିଧା ହେବ, ସେନେଇ ଆଲୋଚନା କରିଥିଲେ। ବିଧାନସଭା ଷ୍ଟାଣ୍ଡିଂ କମିଟି ବି ପାହାଡ଼ର ବିକାଶ ଲାଗି ପ୍ରସ୍ତାବ ଦେଇଥିଲା। ତେବେ କିଛି ସୁଫଳ ମିଳି ପାରିନି। ରାଜଧାନୀର ଏହି ପ୍ରମୁଖ ପର୍ଯ୍ୟଟନସ୍ଥଳୀର ବିକାଶ ପ୍ରକଳ୍ପ କେବଳ ଘୋଷଣାରେ ସୀମିତ ରହିଯାଇଛି। ଏବେ ଏହାର ସୌନ୍ଦର୍ଯ୍ୟ ନଷ୍ଟ ହେବାରେ ଲାଗିଛି। ସନ୍ଧ୍ୟା ହେଲେ ଏଠାରେ ଅସାମାଜିକଙ୍କ ଆଡ଼ା ଜମୁଛି। ଦିନ ଦି’ପହରେ ବି ପର୍ଯ୍ୟଟକମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ପର୍ଯ୍ୟଟନ ଋତୁ ଆସିଲେ ଏଠାରେ ଭୋଜିଭାତ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ନ ହେଲେ ଅନ୍ୟ ସମୟରେ ପ୍ରାୟତଃ ଫାଙ୍କା ରହେ। ପର୍ଯ୍ୟଟକମାନେ ଯେପରି ସୁରକ୍ଷିତ ଭାବେ ପାହାଡ଼ ଚଢ଼ିପାରିବେ, ସେଥିପାଇଁ ଅଧା ରାସ୍ତାରେ ଏକ ବାରିକେଡ୍‌ କରାଯାଇଥିଲା। କିନ୍ତୁ ତାହା ଭାଙ୍ଗିରୁଜି ଗଲାଣି। ଯେଉଁଥିପାଇଁ ବିଭିନ୍ନ ସମୟରେ ଦୁର୍ଘଟଣା ହେଉଛି। ବାତ୍ୟା ‘ଫନି’ ପରେ ଉଜୁଡ଼ି ଯାଇଥିବା ଏହି ପାହାଡ଼ର ସବୁଜିମାକୁ ଆଉ ସଜଡ଼ା ଯାଉନି। ବିଏମ୍‌ସି ବି ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ‌ପର୍ଯ୍ୟଟକମାନେ ଅଭିଯୋଗ କରିଛନ୍ତି। ଭୁବନେଶ୍ୱର ଟୁରିଷ୍ଟ ଅଫିସର୍‌ ଅଜୟ କୁମାର ରାଉତ କହିଛନ୍ତି ଯେ ଶିଖରଚଣ୍ଡୀର ବିକାଶ ପାଇଁ ଉଭୟ ବିଡିଏ ଓ ଇଡ୍‌କୋକୁ ଚିଠି ଲେଖାଯାଇଛି। ଇଡ୍‌କୋ ପକ୍ଷରୁ ବିଡିଏକୁ ୧୮ ଏକର ଜମି ହସ୍ତାନ୍ତର କରାଯିବା ପରେ ସେମାନେ ଡିଟେଲ୍‌ ପ୍ରୋଜେକ୍ଟ ରିପୋର୍ଟ(ଡିପିଆର) ପ୍ରସ୍ତୁତ କରିବେ। ଏହାପରେ ବିଡିଏ ପକ୍ଷରୁ ଶିଖରଚଣ୍ଡୀ ପାହାଡ଼ ପାଦଦେଶର ବିକାଶ କରାଯିବ ବୋଲି କିଛି ଦିନ ତଳେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଉତ୍ତର ଭୁବନେଶ୍ବରର ପର୍ଯ୍ୟଟନ ହବ୍‌ ହେବ
ଶିଖରଚଣ୍ଡୀର ବିକାଶ ନେଇ ଖୁବ୍‌ଶୀଘ୍ର ଆଲୋଚନା ହେବ। ଏହାର ବିକାଶ କରାଯିବା ପରେ ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀର ପର୍ଯ୍ୟଟନ ହବ୍‌ ଭାବେ ପରିଗଣିତ ହେବ। କାରଣ ଏହାର ଚାରିପାଖକୁ ଲାଗି ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଯଥା ନନ୍ଦନକାନନ, ଖଣ୍ଡଗିରି, ଉଦୟଗିରି, ଏକାମ୍ରକାନନ, ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ରହିଛି। ତେଣୁ ଯେଉଁମାନେ ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଆସିବେ, ସେମାନେ ଏଠାରେ ପ୍ରାକୃତିକ ପରିବେଶର ମଜା ଉଠାଇ ପାରିବେ। ଏଠାରୁ ନନ୍ଦନକାନନର ଦୂରତା ପାଖାପାଖି ୬ କିମି। ଏହା ଗୋଟିଏ ରାସ୍ତାରେ ପଡ଼ୁଥିବାରୁ ପର୍ଯ୍ୟଟକମାନେ ଏଠାରେ ବି ପର୍ଯ୍ୟଟକ ବୁଲିପାରିବେ। ସେହିପରି ଚନ୍ଦକାରୁ ଖଣ୍ଡଗିରି ରାସ୍ତା ଖୋଲି ସାରିଛି। ଏବେ ଚନ୍ଦକାରୁ ଏକାମ୍ରକାନନ ପର୍ଯ୍ୟନ୍ତ ୨୦୦ ଫୁଟ୍‌ ରାସ୍ତା କାମ ଜାରି ରହିଛି। ଆଉ କିଛି ମାସ ମଧ୍ୟରେ ଏହା ଶେଷ ହୋଇଯିବ। ଫଳରେ ଶିଖରଚଣ୍ଡୀକୁ ଆସିବାକୁ ଆଉ ଅସୁବିଧା ହେବନି। କାରଣ ଏହି ରାସ୍ତା ଶିଖରଚଣ୍ଡୀ ପାଦଦେଶ ଦେଇ ଯାଉଥିବାରୁ ପର୍ଯ୍ୟଟକଙ୍କ ଲାଗି ଏହା ଅନ୍ୟତମ ଆକର୍ଷଣ ପାଲଟିବ ବୋଲି ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର