ନୂଆଦିଲ୍ଲୀ: ଉତ୍ତରଭାରତ ଦଶନ୍ଧି ମଧ୍ୟରେ ସବୁଠାରୁ ଭୟାବହ ମୌସୁମୀ ବର୍ଷାର ସମ୍ମୁଖୀନ ହୋଇଛି। ପଞ୍ଜାବ, ଉତ୍ତରାଖଣ୍ଡ, ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଦିଲ୍ଲୀର କିଛି ଅଂଶରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଜୁନ୍ ମାସରୁ ଏ ପର୍ଯ୍ୟନ୍ତ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଅଚାନକ ବନ୍ୟାରେ ଅନେକ ଗାଁ ଭାସିଯିବା ସହ ପାହାଡ଼ିଆ ଅଂଚଳରେ ଭୀଷଣ କ୍ଷୟକ୍ଷତି ହୋଇଛି। ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନ୍ଡିଆର୍ଏଫ୍), ସେନା, ସୀମା ସୁରକ୍ଷା ବାହିନୀ ଏବଂ ଜିଲ୍ଲା ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରିସ୍ଥିତି ସମୀକ୍ଷା କରିବାକୁ ପ୍ରଭାବିତ ରାଜ୍ୟଗୁଡ଼ିକୁ ଯିବେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।
ପଞ୍ଚାବରେ ୧୯୮୮ ପରେ ସବୁଠାରୁ ବଡ଼ ବନ୍ୟା ଆସିଛି। ଚଳିତ ଭୟଙ୍କର ବନ୍ୟାରେ ୪୬ ଜଣଙ୍କ ମୃତ୍ୟୁ ହୋଇଛି। ୧.୭୫ ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି ଏବଂ ୨୩ଟି ଜିଲ୍ଲାର ୧,୯୯୬ଟି ଗାଁ ପ୍ରଭାବିତ ହୋଇଛି। ବନ୍ୟାରେ ୩.୮୭ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଅଗଷ୍ଟ ୧ରୁ ସେପ୍ଟେମ୍ବର ୫ ମଧ୍ୟରେ ୧୪ଟି ଜିଲ୍ଲାରେ ୪୩ ମୃତ୍ୟୁ ରିପୋର୍ଟ ହୋଇଛି। ପଞ୍ଜାବ ସରକାର କେନ୍ଦ୍ରୀୟ ସହାୟତା ପାଇଁ ଆବେଦନ କରିଥିବା ବେଳେ କେନ୍ଦ୍ର ସରକାର ସମସ୍ତ ସହଯୋଗ ପ୍ରତିଶ୍ରୁତି ଦେଇଛନ୍ତି।
ହିମାଚଳପ୍ରଦେଶ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ରାଜ୍ୟ ମଧ୍ୟରେ ଅନ୍ୟତମ। ଜୁନ୍ ୨୦ରୁ ଆଜି ସୁଦ୍ଧା ରାଜ୍ୟରେ ୯୫ଟି ଆକସ୍ମିକ ବନ୍ୟା, ୪୫ଟି ବାଦଲଫଟା ବର୍ଷା ଓ ୧୩୨ଟି ବୃହତ୍ ଭୂସ୍ଖଳନ ଘଟିଛି। ବର୍ଷାଜନିତ ଘଟଣା ଓ ସଡ଼କ ଦୁର୍ଘଟଣାରେ ୩୬୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୯ ଜଣ ନିଖୋଜ ଅଛନ୍ତି। କ୍ଷତିର ପରିମାଣ ୩,୭୮୭ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ଉତ୍ତରାଖଣ୍ଡରେ ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ ମୌସୁମୀ ବିପର୍ଯ୍ୟୟ କାରଣରୁ ୭୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦ ନିଖୋଜ ଅଛନ୍ତି ଏବଂ ୧୧୫ ଆହତ ହୋଇଛନ୍ତି। ରାଜ୍ୟରେ ପ୍ରାୟ ୪ ହଜାର ଘର ଗୁରୁତର କ୍ଷତିଗ୍ରସ୍ତ ହୋଇଛି। ଶତାଧିକ ହୋଟେଲ, ଦୋକାନ ଓ ରେଷ୍ଟୁରାଣ୍ଟ ମଧ୍ୟ ଭୀଷଣ କ୍ଷତିଗ୍ରସ୍ତ ହୋଇଛନ୍ତି। ରାଜ୍ୟ ସରକାର ୫,୭୦୦ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ମାଗିଛନ୍ତି।
ଜମ୍ମୁ ଓ କାଶ୍ମୀରରେ ଲଗାଣ ବର୍ଷା ଯୋଗୁଁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ସମେତ ଅନ୍ୟ ରାସ୍ତା ବନ୍ଦ ରହିଛି। ପଠାନକୋଟ-ଜମ୍ମୁ ରେଳ ସେବା ୯ ଦିନ ହେଲା ସ୍ଥଗିତ ଅଛି। କଟରାରେ ମାତା ବୈଷ୍ଣୋଦେବୀ ମନ୍ଦିର ନିକଟରେ ଭୂସ୍ଖଳନରେ ୩୪ ଜଣଙ୍କ ମୃତ୍ୟୁ ଚଳିତ ବର୍ଷା ବିପର୍ଯ୍ୟୟର ସବୁଠାରୁ ଭୟାବହ ଘଟଣା।
ଦିଲ୍ଲୀରେ ଆଜି ମଧ୍ୟ ଯମୁନା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ୧୮,୦୦୦ ଲୋକଙ୍କୁ ୩୫ଟି ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି। ପୂର୍ବ ଦିଲ୍ଲୀରେ ୭,୨୦୦, ଉତ୍ତର-ପୂର୍ବରେ ୫,୨୦୦ ଓ ଦକ୍ଷିଣ-ପୂର୍ବରେ ୪,୨୦୦ ଲୋକ ରିଲିଫ କ୍ୟାମ୍ପରେ ଅଛନ୍ତି। ମୟୂରବିହାରରେ ସର୍ବବୃହତ୍ କ୍ୟାମ୍ପରେ ୧,୩୦୦ରୁ ଅଧିକ ଲୋକଙ୍କୁ ଖାଦ୍ୟ ଓ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଉଛି।