ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ୨୦ ଏକର ଜମି ବିଡିଏକୁ ହସ୍ତାନ୍ତର କରିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି ଛାତ୍ର କଂଗ୍ରେସ ଅଭିଯୋଗ କରିଛି। ଦଳୀୟ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ପିସିସି ସାଧାରଣ ସମ୍ପାଦକ ମନୋଜ ବିଶ୍ୱାଳ, ପ୍ରଦେଶ ଯୁବ କଂଗ୍ରେସ ସଭାପତି ପ୍ରାର୍ଥୀ ରଣଜିତ ପାତ୍ର, ବାଣୀବିହାର ଛାତ୍ର ସରୋଜ ବାରିକ, ଭାଗ୍ୟଶ୍ରୀ ମହାନ୍ତି ଓ ଲେଲିନ ଜେନା ପ୍ରମୁଖ ଯୋଗଦେଇ କହିଲେ, ଓଡ଼ିଶା ଶିକ୍ଷାର କୋଣାର୍କ ହେଉଛି ଉତ୍କଳ ବିଶ୍ୱବିଦ୍ୟାଳୟ। ଏଠାରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ରାଜନୀତି, ପ୍ରଶାସନ, ସମାଜସେବା କ୍ଷେତ୍ରରେ ଶୀର୍ଷକୁ ଯାଇଛନ୍ତି। ମାତ୍ର ଏବେ ବିଶ୍ୱବିଦ୍ୟାଳୟ ପରିସରକୁ ସଙ୍କୁଚିତ କରିବାକୁ ରାଜ୍ୟ ସରକାର ଓ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମିଳିତ ଭାବେ ଯେଉଁ ଚକ୍ରାନ୍ତ କରିଛନ୍ତି, ତାହାକୁ ଏ ରାଜ୍ୟର ଛାତ୍ର ସମାଜ ବରଦାସ୍ତ କରିବ ନାହିଁ। ଓଡ଼ିଶାର ପୁରାତନ ବିଶ୍ୱବିଦ୍ୟାଳୟର ପରିସରକୁ ଛୋଟ କରିବାକୁ ଯେଉଁ ଚକ୍ରାନ୍ତ ହେଉଛି ଏହାର ଦୃଢ଼ ଜବାବ ଦିଆଯିବ।
ସେମାନେ ଆହୁରି ଅଭିଯୋଗ କରିଛନ୍ତି ଯେ ବିଶ୍ୱବିଦ୍ୟାଳୟ ପରିସରରେ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି। ଏହାଦ୍ବାରା ଶୈକ୍ଷିକ ବାତାବରଣ ନଷ୍ଟ ହେବା ସହ ଅଣଛାତ୍ର ପ୍ରବେଶର ବାଟ ଫିଟିବ। ବିଶ୍ୱବିଦ୍ୟାଳୟର ପ୍ରସାରଣ ପାଇଁ ଭବିଷ୍ୟତକୁ ଆଖି ଆଗରେ ରଖି ମୂଳରୁ ଏହି ଜାଗା ରଖାଯାଇଛି। ରମାଦେବୀ ବିଶ୍ୱବିଦ୍ୟାଳୟ ମଧ୍ୟ ତାହାର ଭିତ୍ତିଭୂମି ବିକାଶ କରିବାକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଜାଗା ମାଗିଥିଲା ତାହାକୁ କର୍ତୃପକ୍ଷ ଗ୍ରହଣ କଲେନି। ମାତ୍ର ଏବେ ବାଣୀବିହାର ଜାଗାକୁ ବିଡିଏକୁ ଦେଇ ମନୋରଞ୍ଜନ କ୍ଷେତ୍ର କରାଯାଉଛି। ଏହା ବିରୋଧରେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବାକୁ ପୁରାତନ ଛାତ୍ରଛାତ୍ରୀଙ୍କୁ ନିମନ୍ତ୍ରଣ କରାଯିବ। ଏଭଳି ନିଷ୍ପତ୍ତିରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଓହରି ଯାଆନ୍ତୁ। ବିଶ୍ବବିଦ୍ୟାଳୟ କୁଳପତି ଏହି ଘଟଣାର ସ୍ପଷ୍ଟୀକରଣ ଦିଅନ୍ତୁ। ନହେଲେ ଆସନ୍ତା ମଙ୍ଗଳବାରଠାରୁ ଛାତ୍ର କଂଗ୍ରେସ ଆନ୍ଦୋଳନ ଜାରି ରଖିବ। ଛାତ୍ର କଂଗ୍ରେସର ଅଭିଯୋଗ ସମ୍ପର୍କରେ ବିଶ୍ବବିଦ୍ୟାଳୟ କୁଳପତି ଓ କୁଳସଚିବଙ୍କଠାରୁ ମତାମତ ଲୋଡ଼ାଯାଇଥିଲେ ମଧ୍ୟ କେହି ଉତ୍ତର ଦେଇ ନ ଥିଲେ। ଗୋଟିଏ ପଟେ କ୍ୟାମ୍ପସରେ ଛାତ୍ର ଅଶାନ୍ତି ବଢ଼ିଚାଲିଥିବା ବେଳେ ଅନ୍ୟପଟେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଲ୍ଲେଖନୀୟ ଯେ ପୂର୍ବରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ମଧ୍ୟ ସମାନ ଅଭିଯୋଗ ଆଣି ବିକ୍ଷୋଭ ପ୍ରଦର୍ଶନ କରିଥିଲା।