ଅଭିଯୋଗକାରୀଙ୍କୁ ହତ୍ୟା କରିବା ମାମଲା: ଦୁଷ୍କର୍ମ ମାମଲାରେ ବାନ୍ଧିଲେନି, ଏବେ ମିଳୁନାହାନ୍ତି
୨୪ ଘଣ୍ଟା ହେଲା ଅନ୍ଧାରରେ ବାଡ଼ି ବୁଲାଉଛି ପୁଲିସ
ଭୁବନେଶ୍ବର: ଝିଆରୀକୁ ଦୁଷ୍କର୍ମ କଲା। କକା ଥାନାରେ ଅଭିଯୋଗ କଲେ। ମାସଟିଏ ବିତିଗଲା। ପୁଲିସ ଅଭିଯୁକ୍ତକୁ ଗିରଫ କଲା ନାହିଁ। ମାମଲା ଫେରାଇ ନେବାକୁ ଅଭିଯୁକ୍ତ ଧମକଚମକ ଦେଲା। କିନ୍ତୁ କକା ମାମଲା ପ୍ରତ୍ୟାହାର ନ କରିବାରୁ ମାସକ ପରେ ଅର୍ଥାତ ମଙ୍ଗଳବାର ଭୋର୍ ସମୟରେ ତାଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ସଂଘବଦ୍ଧ ଭାବେ ହତ୍ୟା କରାଗଲା। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ୨୪ ଘଣ୍ଟା ବିତିବା ପରେ ବି ପୁଲିସ ଅଭିଯୁକ୍ତମାନଙ୍କ ଟେର୍ ପାଉନାହିଁ। ଏହା ହେଉଛି ଗତକାଲି ଜିଇଡି ବସ୍ତିର ସୁଶାନ୍ତ ନାୟକ ହତ୍ୟାକାଣ୍ଡ ମାମଲାରେ କମିସନରେଟ୍ ପୁଲିସର ତଦନ୍ତର ଅବସ୍ଥା।
ଉଦ୍ବେଗର କଥା ଯେ ସବୁଠୁ କଡ଼ା ସୁରକ୍ଷା ଯୋଗାଉଛି ବୋଲି କୁହାଯାଉଥିବା କମିସନରେଟ୍ ପୁଲିସକୁ କିଭଳି ଅପରାଧୀମାନେ ଚକ୍ମା ଦେଲେ। କାରଣ କ୍ୟାପିଟାଲ୍ ଥାନା ପୁଲିସ ପକ୍ଷରୁ କୁହାଯାଇଛି ଯେ ଘଟଣାର ୧୫ ମିନିଟ୍ ମଧ୍ୟରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଯଦି ପୁଲିସ ୧୫ ମିନିଟ୍ରେ ପହଞ୍ଚିଥିଲା, ତେବେ ଅଭିଯୁକ୍ତମାନେ କ’ଣ ୧୫ ମିନିଟ୍ରେ ରାଜଧାନୀ ବାହାରକୁ ଚାଲିଗଲେ? ଆଉ ପୁଲିସ ଜାଣିପାରିଲା ନାହିଁ। ସୁରକ୍ଷା ବ୍ୟବସ୍ଥା ପାଇଁ ସାରା ସହରକୁ ସିସିଟିଭି ନଜରରେ ରଖାଯାଇଛି। ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ରାଜଧାନୀର ସବୁ ରାସ୍ତାରେ ସିସିଟିଭି ଖଞ୍ଜାଯାଇଛି। ସେମିତି ମାଳମାଳ ପିସିଆର ଭ୍ୟାନ୍, ବାଇକ୍ ବି ରଖାଯାଇଛି। ଏଠି ପ୍ରଶ୍ନ ଉଠୁଛି, କମିସନରେଟ୍ ପୁଲିସ ପାଖରେ ଏତେ ସବୁ ଅତ୍ୟାଧୁନିକ ବ୍ୟବସ୍ଥା ଥାଇ କିଭଳି ଅପରାଧୀମାନେ ଖସିଗଲେ। କାହିଁକି ପୁଲିସ ଧରିବାରେ ଫେଲ୍ ମାରିଲା? ଯାହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ହେଲାଣି।
ପୁଲିସ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ସେମାନଙ୍କୁ ଠାବ କରିବା ପାଇଁ ପୁଲିସ ସ୍ବତନ୍ତ୍ର ଟିମ୍ ଗଠନ କରି ଚଢ଼ଉ ଜାରି ରଖିଛି। ଘଟଣାସ୍ଥଳରୁ ସମ୍ଭାବ୍ୟ ସଂଲଗ୍ନ ରାସ୍ତାଗୁଡ଼ିକରେ ଥିବା ସିସିଟିଭି ଫୁଟେଜ୍କୁ ପୁଲିସ ଯାଞ୍ଚ କରିଛି। ସେମାନଙ୍କ ମୋବାଇଲ୍ ନମ୍ବରକୁ ମଧ୍ୟ ଟ୍ରାକିଂରେ ରଖାଯାଇଛି। ପ୍ରକାଶ ଥାଉକି, କ୍ୟାପିଟାଲ୍ ଥାନା ପାଖ ୟୁନିଟ୍-୧ ବାଳିକା ଉଚ୍ଚ ବିଦ୍ୟାଳୟ ରାସ୍ତାରେ ଜିଇଡି ବସ୍ତିରେ ରହୁଥିବା ନୟାଗଡ଼ ଜିଲ୍ଲା ରାଜାପାଟଣା ଅଞ୍ଚଳର ସୁଶାନ୍ତ ନାୟକ(୩୦)ଙ୍କୁ ମଙ୍ଗଳବାର ଭୋର୍ ସମୟରେ ବୀଭତ୍ସଭାବେ ହତ୍ୟା କରାଯାଇଛି। ସୁଶାନ୍ତଙ୍କ ଝିଆରୀକୁ ଅସଦାଚରଣ କରିଥିବା ବଶାଲ୍, ତା ମାମୁ ସୁଜିତ୍ ଓ ଅନ୍ୟ ସହଯୋଗୀମାନେ ସଂଘବଦ୍ଧ ଆକ୍ରମଣ କରି ଏହି ହତ୍ୟାକାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି।