୩୬ ପାଇଲେନି ବିଜେଡି ଟିକେଟ୍‌

ଭୁବନେଶ୍ବର: ୨୦୧୪ରେ ବିଜେ‌ଡି ଟିକେଟ୍‌ ପାଇ ଜିତିଥିଲେ। ଆଶା ରଖିଥିଲେ ଏଥର ମଧ୍ୟ ଟିକେଟ୍‌ ପାଇବେ। ଲବି ମଧ୍ୟ ଜୋରଦାର କରିଥିଲେ। ତଳଠାରୁ ଉପର ପର୍ଯ୍ୟନ୍ତ, ସବୁ ସ୍ତରରେ ଉଦ୍ୟମ ଜାରି ରଖିଥିଲେ। ମାତ୍ର ଦଳର ଶୀର୍ଷ ନେତୃବୃନ୍ଦ ସେମାନଙ୍କ କଥା ଆଦୌ ବିଚାର କଲେ ନାହିଁ। ତାଙ୍କୁ ଟିକେଟ୍‌ ଦେଲେନି କି ସମ୍ପର୍କୀୟଙ୍କୁ ବି ମିଳିଲାନି। ଏମିତି ଭାବେ ବିଜେଡିରୁ ଟିକେଟ୍‌ ପାଇବାରୁ ବଞ୍ଚିତ ହୋଇଛନ୍ତି ଅଧାରୁ ଅଧିକ ପୂର୍ବତନ କର୍ପୋରେଟର।

ଯଦି ହିସାବକୁ ଦେଖାଯାଏ ତେବେ ୨୦୧୪ରେ ବିଜେଡିରୁ ପ୍ରାର୍ଥୀ ହୋଇ ୪୯ ଜଣ ବିଜୟ ହୋଇଥିଲେ। ସ୍ବାଧୀନ ଭାବେ ଲଢ଼ି ଜିତିଥିବା ୧୨ ଜଣ କର୍ପୋରେଟର ଏବଂ କଂଗ୍ରେସରୁ ପ୍ରାର୍ଥୀ ହୋଇ ଜିତିଥିବା ଦୁଇ ଜଣ ଯାକ କର୍ପୋରେଟର ଓ ବିଜେପିର ଦୁଇ ଜଣ କର୍ପୋରେଟର୍‌ ପରବର୍ତୀ ସମୟରେ ବିଜେଡିରେ ସାମିଲ ହୋଇଥିଲେ। ଅର୍ଥାତ୍‌ ବିଏମ୍‌ସିରେ ମୋଟ ବିଜେଡି କର୍ପୋରେଟରଙ୍କ ସଂଖ୍ୟା ୬୫ରେ ପହଞ୍ଚିଥିଲା। ଯେଉଁମାନେ କର୍ପୋରେଟର ରହିଥିଲେ ସେମାନଙ୍କୁ ପୁଣିଥରେ ଟିକେଟ୍‌ ମିଳିବ ବୋଲି ସେମାନେ ଆଶା ବାନ୍ଧି ବସିଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ ୩୪ ଜଣଙ୍କୁ ନିରାଶ ହେବାକୁ ପଡ଼ିଛି। ଏମାନେ ନିଜେ କିମ୍ବା ସମ୍ପର୍କୀୟଙ୍କ ପାଇଁ ଟିକେଟ୍‌ ଯୋଗାଡ଼ କରିପାରି ନାହାନ୍ତି।

ବିଜେପି, କଂଗ୍ରେସ ଛାଡ଼ିଥିବା ୪ରୁ ଜଣେ ଟିକେଟ୍‌ ପାଇଲେ

ଗତ ଥର ସ୍ବାଧୀନ ଲଢ଼ିଥିବା ୭ ଟିକେଟ୍‌ ନେଲେ

୧୪ ପୂର୍ବତନ କର୍ପୋରେଟର୍‌ଙ୍କ ସମ୍ପର୍କୀୟ ମଇଦାନକୁ ଓହ୍ଲାଇଲେ

ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡଗୁଡ଼ିକରେ ଅଧିକାଂଶ ପୂର୍ବତନ କର୍ପୋରେଟର ନିଜ ଟିକେଟ୍‌ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ଯେତେବେଳେ କି ମଧ୍ୟ ଭୁବନେଶ୍ବର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡରେ ଅଧିକାଂଶ ପୂର୍ବତନ କର୍ପୋରେଟରଙ୍କ ଟିକେଟ୍‌ କଟିଛି। ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୨୪ଟି ୱାର୍ଡ ମଧ୍ୟରୁ ୧୦ ଜଣ ପୂର୍ବତନ କର୍ପୋରେଟର ନିଜ ଟିକେଟ୍‌ ବଞ୍ଚାଇପାରିଛନ୍ତି। ଏକାମ୍ର ଭୁବନେଶ୍ବରର ୨୨ଟି ୱାର୍ଡ ମଧ୍ୟରୁ ୧୩ ଜଣ ପୂର୍ବତନ କର୍ପୋରେଟର ଏଥର ମଧ୍ୟ ଟିକେଟ୍‌ ହାତେଇବାକୁ ସକ୍ଷମ ହୋଇଛନ୍ତି। ମଧ୍ୟ ଭୁବନେଶ୍ବରର ୨୧ଟି ୱାର୍ଡ ମଧ୍ୟରୁ ମାତ୍ର ୬ଟିରେ ପୂର୍ବତନ କର୍ପୋରେଟର ରହିଛନ୍ତି। ୧୪ ଜଣଙ୍କ ଟିକେଟ୍‌ କଟାଯାଇଛି।

୨୦୧୪ରେ କଂଗ୍ରେସ ଛାଡ଼ି ବିଜେଡ଼ିରେ ସାମିଲ ହୋଇଥିବା ଦୁଇ ପୂର୍ବତନ କର୍ପୋରେଟରଙ୍କ ମଧ୍ୟରୁ ଜଣେ ଟିକେଟ୍‌ ପାଇଥିବା ବେଳେ ଅନ୍ୟ ଜଣଙ୍କୁ ନିରାଶ ହେବାକୁ ପଡ଼ିଛି। ୫୨ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ଶ୍ରୀଧର ବେହେରା ଏଥର ବିଜେଡି ଟିକେଟ୍‌ ହାତେଇଛନ୍ତି। ତେବେ ୧୯ ନମ୍ବରରେ କଂଗ୍ରେସ ଟିକେଟ୍‌ରେ ଜିତିଥିବା ଜ୍ୟୋତ୍ସାରାଣୀ ରାଉତରାୟଙ୍କୁ ବିଜେଡି ଏଥର ଟିକେଟ୍‌ ଦେଇନି। ତେଣୁ ସେ ପୁଣିଥରେ କଂଗ୍ରେସକୁ ଫେରିବା ସହ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

୨୦୧୪ ନିର୍ବାଚନରେ ବିଜେପିରୁ ୪ ଜଣ କର୍ପୋରେଟର୍‌ ଜିତିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଅର୍ଥାତ ୪୩ ନମ୍ବର ୱାର୍ଡର ରାଜଲକ୍ଷ୍ମୀ ନାୟକ ଓ ୬୫ ନମ୍ବର ୱାର୍ଡର ଜ୍ୟୋତ୍ସ୍ନାମୟୀ ଜେନା ବିଜେଡିରେ ମିଶିଥିଲେ। କିନ୍ତୁ ଉଭୟଙ୍କୁ ଏଥର ନିରାଶ ହେବାକୁ ପଡ଼ିଛି। ଦୁଇ ଜଣଙ୍କୁ ଦଳ ଭରସା କରିନି। ଉଭୟ ବିଜେଡି ଟିକେଟ୍‌ରୁ ବଞ୍ଚିତ ହୋଇଛନ୍ତି। ଜ୍ୟୋତ୍ସ୍ନାମୟୀ ୬୩ ନମ୍ବର ୱାର୍ଡରୁ ସ୍ବାଧୀନ ଭାବେ ମଇଦାନକୁ ଓହ୍ଲାଇଛନ୍ତି।
୨୦୧୪ରେ ସ୍ବାଧୀନ ଭାବେ ଜିତିବା ପରେ ବିଜେଡିରେ ସାମିଲ ହୋଇଥିବା ୧୨ ଜଣ ପୂର୍ବତନ କର୍ପୋରେଟରଙ୍କ ମଧ୍ୟରୁ ୭ ଜଣଙ୍କ ଉପରେ ଦଳ ପୁଣିଥରେ ଭରସା କରିଛି। ପୂର୍ବତନ କର୍ପୋରେଟର ମୋନାଲିସା ସାହୁ, ସୂର୍ଯ୍ୟକାନ୍ତୀ ଜେନା, ବିନୟିନୀ ଜେନା, ବିରଞ୍ଚି ନାରାୟଣ ମହାସୂପକାରଙ୍କୁ ପୁଣିଥରେ ପ୍ରାର୍ଥୀ କରାଯାଇଛି।

ଏମାନଙ୍କ ବାଦ୍ ଅଶ୍ବିନୀ ସୁନ୍ଦରାୟ, ଦେବୀ ପ୍ରସାଦ ନନ୍ଦ, ନିହାର ରଞ୍ଜନ ସାହୁଙ୍କ ସମ୍ପର୍କିୟଙ୍କୁ ଦଳ ଟିକେଟ୍‌ ଦେଇଛି। ୧୩ ନମ୍ବର ୱାର୍ଡ ମହିଳାଙ୍କ ଲାଗି ସଂରକ୍ଷଣ ହୋଇଥିବାରୁ ପୂର୍ବତନ କର୍ପୋରେଟର ସୌଭାଗ୍ୟ ବାରିକ୍‌ଙ୍କ ସୁପାରିସ୍‌ରେ ହିଁ ଦଳ ଏଠାରେ ଗୀତାଞ୍ଜଳି ବେହେରାଙ୍କୁ ପ୍ରାର୍ଥୀ କରିଛି। ୧୫ ନମ୍ବର ୱାର୍ଡ ମହିଳାଙ୍କ ଲାଗି ସଂରକ୍ଷଣ ହେବା ପରେ ସେଠାରେ ମଧ୍ୟ ସମୀର ପ୍ରଧାନଙ୍କ ଟିକେଟ୍‌ କଟିଛି। ତାଙ୍କ ସୁପାରିସ୍‌ରେ ରାଜଲକ୍ଷ୍ମୀ ବେହେରାଙ୍କୁ ବିଜେଡି ପ୍ରାର୍ଥୀ କରିଛି। ମୋଟ ଉପରେ ଦେଖିବାକୁ ଗଲେ ସମୀର, ସୌଭାଗ୍ୟଙ୍କ ସମେତ ସୁକାନ୍ତି ସୁବୁଦ୍ଧି, ରଚନା ପାଟ୍ଟଶାଣୀ, ବନ୍ଦନା ସାହୁ ଟିକେଟ୍‌ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ବନ୍ଦନା ସାହୁ ୫୭ ନମ୍ବର ୱାର୍ଡରେ ସ୍ବାଧୀନ ଭାବେ ପୁଣି ଥରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

୧୧ ଜଣ ପୂର୍ବତନ କର୍ପୋରେଟର୍‌ ନିଜ ସମ୍ପର୍କୀୟଙ୍କ ପାଇଁ ବିଜେଡି ଟିକେଟ୍‌ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ୨୦୧୪ର ଏକ ନମ୍ବର ୱାର୍ଡ କର୍ପୋରେଟର ମମତା ରାଉତଙ୍କ ସ୍ବାମୀ ମିହିର କୁମାର ରାଉତ ଟିକେଟ୍‌ ପାଇଛନ୍ତି। ୪ ନମ୍ବର ୱାର୍ଡରେ ଗାୟତ୍ରୀ ଲେଙ୍କାଙ୍କ ସ୍ବାମୀ ଅକ୍ଷୟ ଲେଙ୍କା, ୩୨ ନମ୍ବର ୱାର୍ଡରେ ସୁଷମା ଜେନାଙ୍କ ସ୍ବାମୀ ଶ୍ରୀଧର ଜେନା, ୩୭ ନମ୍ବର ୱାର୍ଡରେ ନବ କିଶୋର ବେହେରାଙ୍କ ପତ୍ନୀ ରଞ୍ଜିତା ବେହେରା, ୪୯ ନମ୍ବର ୱାର୍ଡରେ ଅଶ୍ବିନୀ ସୁନ୍ଦରାୟଙ୍କ ପତ୍ନୀ ସଂଯୁକ୍ତା ସୁନ୍ଦରାୟ, ୫୫ ନମ୍ବର ୱାର୍ଡରେ ସୀମା ନାୟକଙ୍କ ସ୍ବାମୀ ନୃପେଶ ନାୟକ, ୬୦ ନମ୍ବର ୱାର୍ଡରେ ଦୀପ୍ତିମୟୀ ସାମର୍ଥାଙ୍କ ସ୍ବାମୀ ରାଜେନ୍ଦ୍ର ସାମର୍ଥା, ୬୨ ନମ୍ବର ୱାର୍ଡରେ ହୃଦୟ ବଲ୍ଲଭ ସାମନ୍ତରାୟଙ୍କ ପତ୍ନୀ ଚାରୁଲତା ସାମନ୍ତରାୟ, ୬୪ ନମ୍ବର ୱାର୍ଡରେ ମୁଜାହିଦ୍‌ ହୁସେନ୍‌ଙ୍କ ପତ୍ନୀ ସକିବା ମୁସାରତ୍‌, ୬୭ ନମ୍ବର ୱାର୍ଡରେ ଦେବୀ ପ୍ରସାଦ ନନ୍ଦଙ୍କ ପତ୍ନୀ ମିଲନ୍‌ ଦେବୀଙ୍କୁ ବିଜେଡି ଟିକେଟ୍‌ ମିଳିଛି।

 ୱାର୍ଡ ୧୧, ୧୭: ବିଦ୍ରୋହୀଙ୍କ ଉପରେ ନଜର

ଭୁବନେଶ୍ବର: ପ୍ରାର୍ଥିପତ୍ର ଦାଖଲ କଲା ପରେ ୧୧ ଓ ୧୭ ନମ୍ବର ୱାର୍ଡର ରାଜନୀତି ସରଗରମ ହୋଇଉଠିଛି। ଦୁଇଟି ଯାକ ୱାର୍ଡରେ ବ‌ିଜେଡିର ୪ ଜଣ ଲେଖାଏ ନେତା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏମାନେ ବିଜେଡି କର୍ମୀ ଓ ପତାକା ସହ ପ୍ରାର୍ଥିପତ୍ର ଦାଖଲ କରିବାକୁ ଯାଇଥିଲେ। ବିଜେଡି ପକ୍ଷରୁ କିଏ ପ୍ରାର୍ଥୀ ହୋଇଛନ୍ତି ତାହା ସ୍ପଷ୍ଟ ହୋଇଥିଲେ ବି ଦଳ ପକ୍ଷରୁ ବିଧିବଦ୍ଧ ଘୋଷଣା ଏ ଯାଏ କରାଯାଇ ନାହିଁ। ତେଣୁ ଆଶାୟୀମାନେ ଦଳୀୟ ଟିକେଟ୍‌ ପାଇବାର ଆଶା ଏ ଯାଏ ଛାଡ଼ି ନାହାନ୍ତି।

୧୧ ନମ୍ବର ୱାର୍ଡରୁ ପ୍ରଭାସିନୀ ମହାନ୍ତି, ପୂର୍ବତନ କର୍ପୋରେଟର ରଶ୍ମିତା ମହାନ୍ତି, ଝୁନା ପଟ୍ଟନାୟକ ଓ ଶୁଭଶ୍ରୀ ମହାନ୍ତି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏମାନଙ୍କ ମଧ୍ୟରୁ ପ୍ରଭାସିନୀଙ୍କୁ ବିଜେଡି ଟିକେଟ୍‌ ଦେଇଥିବା ଜଣାପଡ଼ିଛି। କିନ୍ତୁ ଅନ୍ୟ ତିନି ଜଣଙ୍କ ମଧ୍ୟରୁ ପୂର୍ବରୁ ପ୍ରାର୍ଥିପତ୍ର ଦାଖଲ କରିବାକୁ ଦଳ ପକ୍ଷରୁ କୁହାଯାଇଥିଲା। ପ୍ରଭାସିନୀ ଟିକେଟ୍‌ ପାଇଲା ପରେ ଏହି ତିନି ଜଣ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ କି ନାହିଁ ତାହା ସେମାନେ ସ୍ପଷ୍ଟ କରି ନାହାନ୍ତି। ଯଦି ତିନି ତିନି ଜଣ ବିଦ୍ରୋହୀ ମଇଦାନକୁ ଓହ୍ଲାନ୍ତି ତେବେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଏହା ଅଡ଼ୁଆ ସୃଷ୍ଟି କରିପାରେ।

ତେଣୁ ବିଦ୍ରୋହୀଙ୍କୁ ବୁଝାଇବାରେ ଦଳୀୟ ନେତାମାନେ ସକ୍ଷମ ହେଉଛନ୍ତି କି ନାହିଁ ତାହା ଦିନେ ଦୁଇ ଦିନ ଭିତରେ ସ୍ପଷ୍ଟ ହେବ। ଏଠାରେ ବିଜେପି ପକ୍ଷରୁ ନିରୂପମା ମାହାପାତ୍ର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। କିନ୍ତୁ କଂଗ୍ରେସର କୌଣସି ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିନଥିବା ଜଣାପଡ଼ିଛି।

୧୭ ନମ୍ବର ୱାର୍ଡରେ ବି ସମାନ ସ୍ଥିତି। ଏଠାରୁ ବିଜେଡିର ଚାରି ଜଣ ଆଶାୟୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେମାନେ ହେଲେ ପୂଜା ମହାରଣା, ପୂର୍ବତନ କର୍ପୋରେଟର୍‌ ସସ୍ମିତା ଦାସ, ବିଜୟିନୀ ବେହେରା ଓ ଦୀପ୍ତିରେଖା ପାଇକରାୟ। ଶେଷରେ ପୂଜା ମହାରଣା ଦଳୀୟ ଟିକେଟ୍‌ ପାଇଛନ୍ତି। ଏବେ ଅନ୍ୟ ତିନି ଜଣ କି ଭୂମିକା ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ସେମାନେ ବିଦ୍ରୋହୀ ଭୂମିକାରେ ଅବତୀଣ୍ଣ ହେବେ ନା ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ କରି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେବେ ତାହା ସ୍ପଷ୍ଟ ହୋଇ ନାହିଁ। ଯଦି ଏମାନେ ସ୍ବାଧୀନ ଭାବେ ଲଢ଼ନ୍ତି, ତେବେ ବିଜେଡି ପ୍ରାର୍ଥୀ ନିଜ ଦଳ ଭିତରୁ କଡ଼ା ମୁକାବିଲାର ସାମ୍ନା କରିବେ। ଏଠାରେ ବିଜେପିରୁ ଜ୍ୟୋତ୍ସ୍ନାରାଣୀ ନୟକ ଓ କଂଗ୍ରେସରୁ ସୁଲେଖା ଦେବୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

ସମ୍ବନ୍ଧିତ ଖବର