ଓଡ଼ିଶା ବାଏ ମର୍ଣ୍ଣିଙ୍ଗ୍, ହକି ବାଏ ଇଭିନିଙ୍ଗ୍...। ଦେଶ ଓ ଦେଶ ବାହାରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହିଭଳି ଢଙ୍ଗରେ ପ୍ରଚାର ଚାଲିଛି। ସୋସିଆଲ୍ ମିଡିଆ ଓ ୱେବ୍ସାଇଟ୍ରେ ପ୍ରଚାର ହେଉଛି। ମାତ୍ର ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଏଥିରୁ ଟିକେ ବି ଫାଇଦା ଉଠାଇ ପାରିନାହିଁ। ଓଟିଡିସି ପକ୍ଷରୁ ‘ହକି ବିଶ୍ବକପ୍ ସ୍ବତନ୍ତ୍ର ଟୁର୍ ପ୍ୟାକେଜ୍’ ହୋଇଛି। ମାତ୍ର ଏଯାଏଁ ଜଣେ ବି ବୁକିଂ କରିନାହାନ୍ତି। ପାଖାପାଖି ମାସେ ହେବ ଓଟିଡିସି ପକ୍ଷରୁ ୭ଟି ଟୁର୍ ପାଇଁ ଦିନିକିଆ ପ୍ୟାକେଜ୍ କରାଯାଇଛି। କିନ୍ତୁ ଏତେଦିନ ପରେ ଆଜି ଜଣେ ମାତ୍ର ବିଦେଶୀ ପର୍ଯ୍ୟଟକ ମେଲ୍ କରି ଏ ବାବଦରେ ପଚାରି ବୁଝିଛନ୍ତି। ଓଟିଡିସି ପକ୍ଷରୁ ଭୁବନେଶ୍ବର ସିଟି ଟୁର୍, ରଘୁରାଜପୁର-ପୁରୀ-କୋଣାର୍କ-ପିପିଲି, ଚିଲିକା ହ୍ରଦ (ସାତପଡ଼ା), ଚିଲିକା ହ୍ରଦ (ବରକୁଳ, ପାରିକୁଦ), ବୌଦ୍ଧ ଐତିହ୍ୟ (ଲଳିତଗିରି, ରତ୍ନଗିରି, ଉଦୟଗିରି), ଅଧାଦିନ ଭୁବନେଶ୍ବର ସହର ସମେତ ଧଉଳିରେ ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ ଏବଂ କୋଣାର୍କ ଟୁର୍ ସହ ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ’ ଆଦିର ବନ୍ଦୋବସ୍ତ କରାଯାଇଛି। ଦିନିକିଆ ଟୁର୍ ପାଇଁ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଭିନ୍ନଭିନ୍ନ ଟୁର୍ ପ୍ୟାକେଜ୍ ଦର ନିର୍ଧାରିତ ହୋଇଛି। ବିଦେଶୀ ଓ ରାଜ୍ୟ ବାହାରର ହକି ଖେଳ ପ୍ରେମୀ ଦର୍ଶକ ତଥା ପର୍ଯ୍ୟଟକଙ୍କୁ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଆକର୍ଷିତ କରିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ବହୁ ପ୍ରଚାର ପ୍ରସାର ହୋଇଛି। ଅଥଚ ସରକାରୀ ଅଧୀନସ୍ଥ ଏକ ନିଗମ ଏ କ୍ଷେତ୍ରରେ ପଛରେ ପଡ଼ିଯାଇଛି। ବହୁ ହୋଟେଲ୍ରେ ଏନେଇ ବୁକିଂ ହୋଇଥିବା ବେଳେ ଓଟିଡିସିର ନିଜସ୍ବ ଉଦ୍ୟମ ଅଭାବରୁ ପର୍ଯ୍ୟଟକଙ୍କୁ ଟୁର୍ ପ୍ୟାକେଜ୍ରେ ସାମିଲ୍ କରିବାକୁ ସକ୍ଷମ ହୋଇନାହିଁ। ମିଳିଥିବା ସୂଚନା ମୁତାବକ ଅନ୍ୟୁନ ୮ଜଣ ପର୍ଯ୍ୟଟକ ହେଲେ ହିଁ ଟୁର୍ ସମ୍ଭବ ହେବ। କିନ୍ତୁ ଏଯାଏଁ ଜଣେ ହେଲେ ବୁକିଂ କରି ନଥିବା ସୂଚନା ମିଳିଛି। ତେଣୁ ହକି ବିଶ୍ବକପ୍ ଚାଲିଥିବା ସମୟରେ କଳିଙ୍ଗ ଷ୍ଟାଡିୟମ ମଧ୍ୟରେ ଟୁର୍ ପ୍ୟାକେଜ୍ ଅଫ୍ଲାଇନ୍ ଟିକେଟ୍ ବିକ୍ରି ପାଇଁ ଏକ ସ୍ବତନ୍ତ୍ର କାଉଣ୍ଟର କରିବା ପାଇଁ ଓଟିଡିସି ପକ୍ଷରୁ ଚିଠି କରାଯାଇଛି। ଗତକାଲିଠାରୁ ଏ ଚିଠି କ୍ରୀଡ଼ା ବିଭାଗକୁ ପଠାଯାଇଛି। ହେଲେ ଏପର୍ଯ୍ୟନ୍ତ ଏନେଇ କୌଣସି ଉତ୍ତର ମିଳିନାହିଁ।
ବୁକିଂ ହେଉନି ଓଟିଡିସିର ହକି ଟୁର୍ ପ୍ୟାକେଜ୍
କଳିଙ୍ଗ ଷ୍ଟାଡିୟମରେ କାଉଣ୍ଟର ଖୋଲିବାକୁ ଚିଠି ଲେଖିଲା ଓଟିଡିସି
/sambad/media/post_attachments/wp-content/uploads/2018/11/Untitled-14-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)