ଭୁବନେଶ୍ୱର: ଶୈଶବ ଶିକ୍ଷା ପାଇଁ ମାଳ ମାଳ ଯୋଜନା। ଶିଶୁଙ୍କ ଖାଇବା, ପିଇବା, ଖେଳିବା, ପିନ୍ଧିବା ପାଇଁଁ ପଦକ୍ଷେପ ନିଆଯାଉଛି। ଗଳିକନ୍ଦିରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯାଇଛି। ସେଠାରେ ସବୁ ପ୍ରକାରର ସୁବିଧା ଯୋଗାଇ ଦେବା ପାଇଁ ଯୋଜନା ବି ହେଉଛି। ହେଲେ ତାହା କିଭଳି ଚାଲିଛି ଯାହାର ଏକ ନଗ୍ନ ନମୁନା ଦେଖିବାକୁ ମିଳୁଛି ରାଜଧାନୀରେ। ଏଠି ଶୈଶବ ଶିକ୍ଷା ଏକପ୍ରକାର ଚୂଲିକୁ ଗଲାଣି। ପିଲାଙ୍କ ଖାଇବା, ପିଇବା କଥା ଦୂରରେ ଥାଉ, ସେମାନଙ୍କ ସୁରକ୍ଷାକୁ ବି ହେୟଜ୍ଞାନ କରାଯାଉଛି। କେଉଁଠି ଚାଳିଆ ଘରେ ଶିକ୍ଷା ଦିଆଯାଉଛି ତ ଆଉ କେଉଁଠି ଝାଟିମାଟି ଘରେ ପିଲା ପାଠ ପଢ଼ୁଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ କୋଠା ତିଆରି କରାଯାଉଛି। ହେଲେ ଏବେ ବି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ୨୭ଟି ଅଙ୍ଗନବାଡ଼ି କେନ୍ଦ୍ରର ଘର ନାହିଁ। ବିପଜ୍ଜନକ ଅବସ୍ଥାରେ ସେଠାରେ ପାଠ ପଢ଼ାଯାଉଛି। ଗତ ଶୁକ୍ରବାର ରାଜ୍ୟ ସଚିବାଳୟଠାରୁ ମାତ୍ର ୩ କିମି ମଧ୍ୟରେ ଥିବା କିଛି ଅଙ୍ଗନବାଡ଼ି କେନ୍ଦ୍ର ବୁଲିବା ସମୟରେ ଶୈଶବ ଶିକ୍ଷାର ପ୍ରକୃତ ଚିତ୍ର ନଜରରେ ପଡ଼ିଥିଲା। ସହିଦନଗରସ୍ଥିତ ଶାନ୍ତିପଲ୍ଲୀ ବସ୍ତିରେ ଥିବା ୨ ନମ୍ବର ଅଙ୍ଗନବାଡ଼ି କେନ୍ଦ୍ରର ଦୃଶ୍ୟ ଦେଖିଲେ ଅଭିଭାବକଙ୍କ ହୋସ୍‌ ଉଡ଼ିଯିବ। ଏଠାରେ ଯେଉଁ କେନ୍ଦ୍ର ରହିଛି ତାହା ଭିତରକୁ ଜଣେ ୪ ଫୁଟ୍‌ ଉଚ୍ଚତା ବିଶିଷ୍ଟ ବ୍ୟକ୍ତି ପଶିପାରିବ ନାହିଁ। ଆଜ୍‌ବେଷ୍ଟସ୍‌ରେ ନିର୍ମାଣ ହୋଇଥିବା ଏହି ଘର ଭିତରେ ପ୍ରତିଦିନ ୨୦ରୁ ୨୫ ଶିଶୁ ପଢ଼ୁଛନ୍ତି। ଘର ଉପରେ ଟାୟାର, ପାଇପ୍‌, ବୋତଲ, କୁଣ୍ଡ ଆଦି ଜମା ହୋଇଛି। ଏବେ ବର୍ଷା ଦିନ ଚାଲୁଛି। କୌଣସି କାରଣରୁ ଯଦି ଆଜବେଷ୍ଟସ୍‌ ଭାଙ୍ଗିଯାଏ, କୋମଳମତି ଶିଶୁଙ୍କ ଅବସ୍ଥା କ’ଣ ହେବ ତାହା ଅନୁମାନ କରାଯାଇପାରେ।

Advertisment

publive-imageଖାରବେଳ ନଗର ମାଳିସାହି ଭିତରେ ଥିବା ମସ୍‌ଜିଦ୍‌ ବସ୍ତିର ୧ ନମ୍ବର ଅଙ୍ଗନବାଡ଼ି କେନ୍ଦ୍ର ଅବସ୍ଥା ତଦୃପ। ଏଠି ଯେଉଁଠି ଶିଶୁ ସେଇଠି ରୋଷେଇ। ପଟିଲି, କାଗଜ, ଆଜବେଷ୍ଟସ୍‌ରେ ତିଆରି ହୋଇଛି ଘର। ଗାଈ ଗୁହାଳଠାରୁ ଏହା କୌଣସି ଗୁଣରେ କମ୍‌ ନୁହେଁ। ଘର ଉପରେ ଜରି ପାଲ ପଡ଼ିଛି। ରୋଷେଇ ଧୂଆଁ ପିଲାଙ୍କ ନାକରେ ପଶୁଛି। ରୋଷେଇ ସମୟରେ ଯଦି କୌଣସି କାରଣରୁ ଅଗ୍ନିକାଣ୍ଡ ଘଟେ ତେବେ ଶିଶୁଙ୍କ ଅବସ୍ଥା କ’ଣ ହେବ ତାହା ସ୍ପଷ୍ଟ ଅନୁମେୟ।

ଅଶୋକ ନଗର ଫାଳିକିଆ ବସ୍ତିରେ ଥିବା ଅଙ୍ଗନବାଡ଼ିରେ ତ କିଛି ନାହିଁ। ଘର ଚାରିପାଖ ମୁକୁଳା। ନିକଟରେ ଥିବା ଅନ୍ୟ ଘରଗୁଡ଼ିକର କାନ୍ଥ ଦୁର୍ବଳ ହୋଇଛି। ତାହା କେତେବେଳେ ଭୁଶୁଡ଼ିବ କେହି କହିପାରିବେ ନାହିଁ। ଏହି ୩ଟି ଅଙ୍ଗନବାଡ଼ିରୁ ଶୈଶବ ଶିକ୍ଷାର ପ୍ରକୃତ ଚିତ୍ର ଜଣାପଡ଼ୁଛି। ଏଭଳି ସ୍ଥିତିକୁ ନେଇ ଅଙ୍ଗନବାଡ଼ି ଦିଦି ବି ନାଚାର। ସବୁ ଜାଣି ହାତ ଟେକି ଦେଇଛନ୍ତି। ଭଗବାନଙ୍କ ଭରସାରେ ଶିଶୁଙ୍କ ଭବିଷ୍ୟତ ଛାଡ଼ି ଦେଇଛନ୍ତି।

୨୭ଟି ଅଙ୍ଗନବାଡ଼ିର କୋଠା ନାହିଁ
ମଧ୍ୟ ଭୁବନେଶ୍ୱର ନିର୍ବାଚନମଣ୍ଡଳୀରେ ଥିବା ୧୦୨ଟି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ୨୬ଟି ଅଙ୍ଗନବାଡ଼ି କେନ୍ଦ୍ରର କୋଠା ନିର୍ମାଣ ସରିଛି। ବାକିଗୁଡ଼ିକ ଭଡ଼ା ଘରେ ଚାଲିଛି। ୨୭ଟି ଅଙ୍ଗନବାଡ଼ି କେନ୍ଦ୍ରର କୋଠା ପାଇଁ ଅନୁମୋଦନ ହୋଇଥିଲେ ମଧ୍ୟ ଜିଏ ବିଭାଗ ଜାଗା ଦେଉନି। ଯେଉଁଥିପାଇଁ ଘର ହୋଇପାରୁନି ବୋଲି ମଧ୍ୟ ଜୋନ୍‌ ସିଡିପିଓ ବିଜୟଲକ୍ଷ୍ମୀ ବେହେରା କହିଛନ୍ତି।