ଯତ୍ନ ନେଲେନି: ଡିଭାଇଡର୍‌ରେ ମରିଗଲା ଶହଶହ ଫୁଲ ଗଛ

ଚନ୍ଦ୍ରଶେଖରପୁର: ରାଜଧାନୀର ରାଜରାସ୍ତାକୁ ସୁନ୍ଦର କରିବା ପାଇଁ ଡିଭାଇଡର୍‌ରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଫୁଲ ଗଛ ଲଗାଯାଉଛି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଉଛି। କିନ୍ତୁ ଉପଯୁକ୍ତ ଯତ୍ନ ଓ ରକ୍ଷଣାବେକ୍ଷଣ ଅଭାବରୁ ସେସବୁ ଗଛ ନିଜର ସୌନ୍ଦର୍ଯ୍ୟ ପ୍ରଦର୍ଶନ କରିବା ପୂର୍ବରୁ ମରିଯାଉଛି। କେଉଁଠି ବୁଲାଗୋରୁଙ୍କ ପାଟିରେ ଯାଉଛି ତ କେଉଁଠି ପାଣି ନପାଇ ଅକାଳରେ ମରିଯାଉଛି। ଫଳରେ ରାଜକୋଷରୁ ପୁଳାପୁଳା ଟଙ୍କା ପାଣିରେ ପଡ଼ୁଛି ସିନା ରାଜରାସ୍ତା ସେମିତି ଶ୍ରୀହୀନ ହୋଇରହୁଛି।
ଚନ୍ଦ୍ରଶେଖରପୁର ଅଞ୍ଚଳର ଜୟଦେବବିହାର-ନନ୍ଦନକାନନ ରାସ୍ତା ଡିଭାଇଡରରେ ଏଭଳି ବହୁ ଗଛ ଲଗାଯାଇଥିଲା। ବିଡିଏ ପକ୍ଷରୁ ସୌନ୍ଦର୍ଯ୍ୟୀକରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପ୍ରତିବର୍ଷ ଫୁଲ ଓ ଔଷଧୀୟ ଗଛ ଲଗାଯାଉଛି। କନିଅର, ଟଗର, ଚମ୍ପା, ସେବତୀ, ମାଳତୀ, ହେନା, ମନ୍ଦାର ଓ ଦୁଦୁରା

ଆଦି ବହୁ ରକମର ଫୁଲ ଗଛ ଲଗାଯାଇଥିଲା। ଏହା ଛଡ଼ା କିଛି ଔଷଧୀୟ ଗଛ ମଧ୍ୟ ଲାଗିଥିଲା। ମାତ୍ର ରାସ୍ତାର ସୁନ୍ଦରତା ବଢ଼ିବା ନାଁ ନାହିଁ। ଚାରା ଲଗେଇବାର କିଛି ଦିନ ପରେ ବହୁ ସ୍ଥାନରେ ସେସବୁ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। କିଛି ବୁଲାଗୋରୁଙ୍କ ଆହାର ହୋଇସାରିଛି। ଦୃଢ଼ ଗୋବାରଣ ନଥିବାରୁ ଗାଈ ଓ ଷଣ୍ଢ ଗଛ ଖାଇ ଦେଉଛନ୍ତି। ଜୟଦେବବିହାର ଛକରୁ ଆରମ୍ଭ କରି ନାଲ୍‌କୋ ଛକ, କାନନବିହାର, ଡମଣା, ପଟିଆ, କିଟ୍ ଆଦି ଅଞ୍ଚଳରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ବର୍ତ୍ତମାନ ସେହି ଗଛଗୁଡ଼ିକ ଆଉ ନାହିଁ। କିଛି ଜାଗାରେ ଅଳ୍ପ ଗଛ ଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ସେଗୁଡିକ ମରିବାକୁ ବସିଲାଣି। ଖରା ଦିନ ଆସିବା ପୂର୍ବରୁ ଠିକ୍‌ ଭାବେ ପାଣି ଓ ମୂଳରେ ମାଟି ଦିଆନଗଲେ, ରୋଗିଣା ଅବସ୍ଥାରେ ଠିଆ ହୋଇଥିବା ଗଛଗୁଡ଼ିକ ନଷ୍ଟ ହୋଇଯିବ ବୋଲି ଆଶଙ୍କା କରାଯାଇଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ବିଡିଏ ପକ୍ଷରୁ ଗଛ ଲଗାଗଲା। ମାତ୍ର ଉପଯୁକ୍ତ ଯତ୍ନ ନିଆଗଲା ନାହିଁ। ଦାୟିତ୍ବରେ ଥିବା କର୍ମଚାରୀମାନେ ପାଣି ଦେଲେ କି ନାହିଁ, ଗୋବାରଣ ରହିଲା କି କେହି ଚୋରେଇ ନେଲା, କେହି ତଦାରଖ କରିବାକୁ ରହିଲେ ନାହିଁ। ଗଛ ଲଗାଇଲେ ଓ କିଛି ଦିନ ପାଇଁ ଲୋକଦେଖାଣିଆ ଭାବେ ଯତ୍ନ ନେଲେ। ମାତ୍ର ପରେ ଚୁପ୍ ରହିଗଲେ। ଫଳରେ ଧୀରେଧୀରେ ଗଛ ସବୁ ନଷ୍ଟ ହେବାରେ ଲାଗିଲା। ଏ ନେଇ ବିଡିଏ ଅଧିକାରୀ ଅଶୋକ କୁମାର ଧଳଙ୍କ ସହ ଯୋଗାଯୋଗ କରାଯାଇଥିଲା। ଗଛ ମରିଯିବା ବା ନଷ୍ଟ ହୋଇଯିବା କଥାକୁ ସେ ଅସ୍ବୀକାର କରିଥିଲେ। ଗଛଗୁଡ଼ିକର ଅଧିକ ଯତ୍ନ ନିଆଯାଇଛି ଓ ପ୍ରତିଦିନ କର୍ମଚାରୀମାନେ ପାଣି ଦେଉଛନ୍ତି ବୋଲି ସଫେଇ ଦେଇଥିଲେ। ଏମିତିକି ରାସ୍ତା ଡିଭାଇଡରରୁ ଗଛ ମରିବା ଖବର ବା ଅଭିଯୋଗ ତାଙ୍କ ନିକଟରେ ନାହିଁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର