୩ ବର୍ଷ ହେଲା ସଫା ହୋଇନି ପାଣିଟାଙ୍କି: ଟ୍ୟାପ୍‌ ପାଣି କେତେ ସୁରକ୍ଷିତ?

ଭୁବନେଶ୍ବର: ୱାଟ୍‌କୋ ପକ୍ଷରୁ ବିଭିନ୍ନ ସ୍ଥାନରେ ଓଭରହେଡ୍‌ ଟାଙ୍କି ନିର୍ମାଣ କରି ଲୋକଙ୍କୁ ପିଇବା ପାଣି ଯୋଗାଇ ଦିଆଯାଇଛି। ନିମୟାନୁସାରେ ଏହି ଟାଙ୍କି ଗୁଡ଼ିକ ପ୍ରତି ତିନି ମାସରେ ଥରେ ସଫା କରିବା ପାଇଁ ବ୍ୟବସ୍ଥା ରହିଛି। ମାତ୍ର ଚକେଇସିଆଣି, ଶ୍ରୀରାମନଗର, ସମେଇଗାଡ଼ିଆ, ଭଗବତୀବସ୍ତି, ଭୋଟପଡ଼ା ଆଦି ସ୍ଥାନରେ ଥିବା ଓଭରହେଡ୍‌ ପାଣି ଟାଙ୍କି ଗତ ତିନି ବର୍ଷ ହେଲା ସଫା ହୋଇନାହିଁ। ଶେଷଥର ପାଇଁ ୨୦୧୯ ସେପ୍ଟେମ୍ବର ୧୫ରେ ଟାଙ୍କି ସଫା ହୋଇଥିଲା ବୋଲି ଟାଙ୍କିରେ ଉଲ୍ଲେଖ ରହିଛି। ତେଣୁ ମଇଳା ଟାଙ୍କି ପାଣିରୁ ରୋଗ ବ୍ୟାପିବ ବୋଲି ସାଧାରଣ ଲୋକଙ୍କ ଭିତରେ ଆଶଙ୍କା ପ୍ରକାଶ ପାଇଛି ଓ ଲୋକଙ୍କ ଭିତରେ ଏହାକୁ ନେଇ ଅସନ୍ତୋଷ ଦେଖାଯାଇଛି।

ଉଲ୍ଲେଖଯୋଗ୍ୟ ଉପରୋକ୍ତ ଅଞ୍ଚଳରେ ବହୁ ଲୋକଙ୍କ ଘରକୁ ପାଣି ଲାଇନ୍‌ ସଂଯୋଗ ହୋଇନାହିଁ। ସେମାନେ ଘର ନିକଟରେ ଲାଗିଥିବା ଟ୍ୟାପ୍‌ରୁ ପାଣି ନେଉଛନ୍ତି ଓ ସିଧାସଳଖ ବ୍ୟବହାର କରୁଛନ୍ତି। ଯେଉଁମାନେ ପାଇପ୍‌ ଯୋଗେ ପାଣି ନେଉଛନ୍ତି, ସେମାନେ ଘରେ ବିଭିନ୍ନ ଉପାୟରେ ବିଶୋଧନ କରି ପିଉଛନ୍ତି। ମାତ୍ର ଟ୍ୟାପ୍‌ରୁ ପାଣି ନେଉଥିବା ଲୋକେ ସିଧାସଳଖ ପାଣି ପିଉଛନ୍ତି। ଫଳରେ ମଇଳା ଟାଙ୍କିରୁ ଯାଉଥିବା ମଇଳା ପାଣିକୁ ସେମାନେ ପିଉଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଟ୍ୟାପ୍‌ ପାଣିରେ ଶିଉଳି ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ଭାସୁଥିବା ଦେଖାଯାଉଛି। ତେଣୁ ଅମୃତ ଯୋଜନାରେ ଲୋକେ ମଇଳା ପାଣି ପିଉଛନ୍ତି ବୋଲି ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦାମାନଙ୍କ ଅଭିଯୋଗ ଅନୁସାରେ ତିନି ବର୍ଷ ହେଲା ଟାଙ୍କି ସଫା ହୋଇନଥିବାରୁ ଭିତରେ ଶିଉଳି ଜମିଗଲାଣି। ସେହଭିଳି ବ୍ଲିଚିଂ ପକାଇ ସଫା କରାଯାଉନଥିବା ଯୋଗୁଁ ବିଭିନ୍ନ ସମୟରେ ପାଣିରେ ଜିଆ, ଲାଙ୍ଗୁଡ଼ା ପୋକ ଆଦି ଭାସୁଛନ୍ତି। ଏ ସଂପର୍କରେ ୱାଟ୍‌‌କୋର କନିଷ୍ଠ ଯନ୍ତ୍ରୀ କହିଛନ୍ତି ଯେ ଏବେ ପ୍ରାୟ ସ୍ଥାନରେ ଲୋକଙ୍କ ଘରକୁ ପାଇପ୍‌ ପାଣି ସଂଯୋଗ ଦିଆହୋଇଗଲାଣି। ଯେଉଁ କିଛି ସ୍ଥାନରେ ଲୋକେ ଟାପ୍‌ରୁ ପାଣି ବ୍ୟବହାର କରୁଛନ୍ତି, ସେଠାରେ ଟାଙ୍କିଗୁଡ଼ିକୁ ତୁରନ୍ତ ସଫା କରାଯିବ।

ସମ୍ବନ୍ଧିତ ଖବର