ଧାର୍ଯ୍ୟ ସମୟରେ ସରିବନି ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲ!: ପୁଣି ଘୁଞ୍ଚିପାରେ ଅବଧି, ୧୧ ମାସରେ ସରିଛି ମାତ୍ର ୪୦% କାମ

ବିଳମ୍ବିତ କାର୍ଯ୍ୟ ପାଇଁ ୪୦ଲକ୍ଷ ଜରିମାନା ଗଣିଲାଣି ଠିକାସଂସ୍ଥା, ୬୦ରୁ ଊର୍ଦ୍ଧ୍ବ ବ୍ୟବସାୟୀଙ୍କ ଦୋକାନ ବନ୍ଦ

ଭୁବନେଶ୍ବର: ବରମୁଣ୍ଡା ଅନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡକୁ ରାଜ୍ୟ ସରକାର ଅନ୍ତର୍ଜାତୀୟସ୍ତରର ବସ୍‌ ଟର୍ମିନାଲ ଭାବେ ନିର୍ମାଣ କରୁଛନ୍ତି। ପ୍ରାୟ ୧୮୦ କୋଟି ଟଙ୍କାରେ ନିର୍ମାଣ ହେଉଥିବା ଏହି ବସ୍‌ ଟର୍ମିନାଲର କାମ ୧୮ମାସ ମଧ୍ୟରେ ଶେଷ କରିବାକୁ ବିଡିଏକୁ ଟାର୍ଗେଟ୍ ଦିଆଯାଇଛି। ଅର୍ଥାତ୍‌ ଜୁନ୍‌ ୨୦୨୨ ସୁଦ୍ଧା ପ୍ରକଳ୍ପ କାମ ସାରିବାକୁ ବିଡିଏକୁ କଣ୍ଟ ଦିଆଯାଇଛି। କିନ୍ତୁ ଅବଧି ପାଖେଇ ଆସୁଥିଲେ ହେଁ ବର୍ତ୍ତମାନ ସୁଦ୍ଧା (୧୧ ମାସ ମଧ୍ୟରେ) ମାତ୍ର ୪୦ ପ୍ରତିଶତ କାମ ଶେଷ ହୋଇଥିବା କୁହାଯାଉଛି। ତେଣୁ ଆଉ ମାତ୍ର ୭ ମାସରେ ବିଡିଏ ବାକି ୬୦ ପ୍ରତିଶତ କାମ ସାରିପାରିବ ତ? ପ୍ରାରମ୍ଭିକ କାର୍ଯ୍ୟ ବିଳମ୍ବ ସାଙ୍ଗକୁ ନିର୍ମାଣ କାମ ମନ୍ଥର ଗତିରେ ଚାଲିଥିବାରୁ ଏବେ ସାଧାରଣ‌ରେ ଏହି ଆଶଙ୍କା ସୃଷ୍ଟି ହୋଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗତବର୍ଷ ଡିସେମ୍ବରରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ସହ ବିଡିଏକୁ କାମ ଶେଷ କରିବାକୁ ୧୮ ମାସର ଟାର୍ଗେଟ୍ ଦେଇଥିଲେ। ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରି ୫-ଟି ସଚିବ ଭିକେ ପାଣ୍ଡିଆନ୍ ୨୦୨୨ ଜୁନ୍ ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ହେଲେ ଏତେ ପରେ ବି ଏହି ଅବଧି ପୁଣି ଘୁଞ୍ଚିବ ବୋଲି ଜଳଜଳ ହୋଇ ଦିଶୁଛି।

ସୂଚନା ମୁତାବକ, ବରମୁଣ୍ଡା ଅନ୍ତଃରାଜ୍ୟ ବସ୍ ଟର୍ମିନାଲ୍ ପାଇଁ ୬ଟି ବଡ଼ ଅଟ୍ଟାଳିକା ନିର୍ମାଣ ହେବାକୁ ସ୍ଥିରୀକୃତ ହୋଇଛି। ସେଥିମଧ୍ୟରୁ ବର୍ତ୍ତମାନ ୫ଟି ବ୍ଲକ୍‌ର କାମ ଚାଲିଛି। ପ୍ରତିଟି ବ୍ଲକ୍‌ର ଫାଉଣ୍ଡେସନ୍ ୬୦ ପ୍ରତିଶତ ସରିଥିବା ବେଳେ ତଳ ମହଲା ୪୦ ପ୍ରତିଶତ ଓ ପ୍ରଥମ ମହଲା ୩୦ ପ୍ରତିଶତ ଶେଷ ହୋଇଛି। ସମୁଦାୟ ୧୧ ମାସ ମଧ୍ୟରେ ପ୍ରାୟ ୪୦ ପ୍ରତିଶତ କାମ ଶେଷ ହୋଇଛି ବୋଲି କୁହାଯାଉଛି। ତେଣୁ ଆଉ ୭ ମାସରେ ବାକି ୬୦ ପ୍ରତିଶତ କାମ କେମିତି ଶେଷ ହେବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ୭ମାସ ମଧ୍ୟରେ ବସ୍‌ଷ୍ଟାଣ୍ଡର ପୁରୁଣା କୋଠା(ଯେଉଁଠି ଏବେ ବ୍ୟବସାୟୀ, ହୋଟେଲ୍‌ ଓ ଟିକେଟ୍ ବିକ୍ରି କରାଯାଉଛି) ଭାଙ୍ଗି ସେଠି ଆଉ ଏକ ନୂଆ କୋଠା ତିଆରି ସାଙ୍ଗକୁ ଅନ୍ୟାନ୍ୟ ଆନୁଷଙ୍ଗିକ କାମ ସାରିବା କାଠିକର ପାଠ। ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମହାମାରୀ କରୋନା ଓ ଜବରଦଖଲ ପାଇଁ ପ୍ରକଳ୍ପ କାମ ଧିମେଇ ଯାଇଛି। ମାତ୍ର ନିର୍ଧାରିତ ସମୟରେ କାମ ସାରିବାକୁ ଆମେ ଚେଷ୍ଟା କରିବୁ।

ସୂଚନାଯୋଗ୍ୟ, ୨୦୨୦ ଜୁନ୍‌ରୁ ଏହି ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ନଭେମ୍ବର ୨୦୨୧ରେ ପ୍ରକଳ୍ପ ସାରିବାକୁ କଣ୍ଟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏକାଧିକ କାରଣ ପାଇଁ ଅବଧି ପୁଣି ଘୁଞ୍ଚିଥିଲା। ନିର୍ଧାରିତ ଅବଧି ମଧ୍ୟରେ କାମ ନ ସରିବାରୁ ଠିକା ସଂସ୍ଥାକୁ ପ୍ରାୟ ୪୦ରୁ ୪୫ଲକ୍ଷ ଟଙ୍କାର ଜରିମାନା ଗଣିବାକୁ ପଡ଼ିଥିଲା। ଏଥର ମଧ୍ୟ ତାହାର ପୁନରାବୃତ୍ତି ହୋଇପାରେ। ୨୦୨୨ ଜୁନ୍ ସୁଦ୍ଧା କାମ ନ ସରିଲେ ଠିକା ସଂସ୍ଥାକୁ ପୁଣି ଜରିମାନା ଗଣିବାକୁ ପଡ଼ିପାରେ ବୋଲି କୁହାଯାଉଛି।

୬୦ରୁ ଊର୍ଦ୍ଧ୍ବ ବ୍ୟବସାୟୀଙ୍କ ଦୋକାନ ବନ୍ଦ
ବିଡିଏ ଓ ଓଏସ୍‌ଆର୍‌ଟିସି ବସ୍‌ଷ୍ଟାଣ୍ଡରେ ବ୍ୟବସାୟ କରୁଥିବା ଗୋପବନ୍ଧୁ କ୍ଷୁଦ୍ର ବ୍ୟବସାୟୀ ସଂଘକୁ ଯଥାସମ୍ଭବ ସମସ୍ୟାରେ ପକାଇବାକୁ ଚେଷ୍ଟା କରୁଛନ୍ତି। ବସ୍‌ଷ୍ଟାଣ୍ଡ ଉନ୍ନତୀକରଣ ପୂର୍ବରୁ ସଂଘ ସହ ୨ସଂସ୍ଥା ମିଳିତ ଭାବେ ବୈଠକ କରିଥିଲେ। ବୈଠକରେ ସ୍ଥିର ହୋଇଥିଲା ଯେ ଅନ୍ତଃରାଜ୍ୟ ବସ୍ ଟର୍ମିନାଲ୍ କାର୍ଯ୍ୟକ୍ଷମ ହେବା ପରେ ସେମାନଙ୍କୁ ସେଠାରେ ଦୋକାନ ମିଳିବ। ଏହାସହ ବସ୍‌ଷ୍ଟାଣ୍ଡର ଉନ୍ନତୀକରଣ ପାଇଁ ଭଙ୍ଗାଯାଇଥିବା ଦୋକାନଗୁଡ଼ିକୁ ଅଲଗା ସ୍ଥାନରେ ସାମୟିକ ସମୟ ପାଇଁ ଦୋକାନ କରିବାକୁ ଜାଗା ଦିଆଯିବ। ତେଣୁ ଏହି ଚୁକ୍ତିନାମା ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର ସଂଘର ବର୍ତ୍ତମାନ ସୁଦ୍ଧା ୧୨ଦୋକାନ ଭାଙ୍ଗି ଦିଆଯାଇଥିବା ବେଳେ ପ୍ରାୟ ୬୦ରୁ ଅଧିକ ଦୋକାନ ସମ୍ମୁଖକୁ ଖୋଳି ଦିଆଯାଇଛି। ଫଳରେ ଦୋକାନକୁ ଲୋକ ଯାଇ ପାରୁ ନଥିବାରୁ ସେମାନଙ୍କ ବ୍ୟବସାୟରେ ତାଲା ପଡ଼ିଛି। ଅପରପକ୍ଷେ ବିଡିଏ ମାତ୍ର ୧୨ଜଣ ଦୋକାନୀଙ୍କୁ ଥଇଥାନ କରିଛି। ଅପରପକ୍ଷେ ବିଡିଏ କର୍ତ୍ତୃପକ୍ଷ ସେମାନଙ୍କୁ ଆଇଡିଅଲ୍ ବସ୍‌ ପାର୍କିଂ ନିକଟରେ ଜାଗା ଦେବାକୁ ଯୋଜନା କରିଥିବା କହିଛନ୍ତି। ମାତ୍ର ଏନେଇ ଓଏସ୍‌ଆରଟିସି ପକ୍ଷରୁ ଉକ୍ତ ୬୦ଦୋକାନୀଙ୍କ ପାଇଁ ଜାଗା ଥଇଥାନ ବ୍ୟବସ୍ଥା କରିବାକୁ ବିଡିଏକୁ କୌଣସି ସୂଚନା ଦିଆଯାଇନଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର